ଭୁବନେଶ୍ବର : ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଆଜି ପୁଣି ବିଜେଡି ଘେରିଛି। କଳାଟଙ୍କା ଉପାର୍ଜନ କରିବା ସହ ମନି ଲଣ୍ଡରିଂ ବ୍ୟବସାୟରେ ଶ୍ରୀ ପଣ୍ଡା ଲିପ୍ତ ଥିବା ନେଇ ଦଳ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି। ବୈଜୟନ୍ତଙ୍କ ଅସଲ ଚେହେରା କେନ୍ଦ୍ରାପଡ଼ାବାସୀ ଚିହ୍ନି ସାରିଲେଣି। ଏଥରକ ନିର୍ବାଚନରେ ଏହାର ଉଚିତ ଜବାବ ଦେବେ ବୋଲି ବିଜେଡି ଦାବି କରିଛି।

Advertisment

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଅଭିଯୋଗ କରି କହିଛନ୍ତି, ଶ୍ରୀ ପଣ୍ଡା ନିଜ ମାଲିକାନାରେ ଥିବା ଓରଟେଲ କମ୍ୟୁନିକେସନ ସହିତ ଓଟିଭି ପାଇଁ ବାହାମସ୍ କମ୍ପାନି ଜରିଆରେ କଳଟଙ୍କା ଉପାର୍ଜନ କରିଛନ୍ତି। ଓରଟେଲ୍ ଓ ଓଟିଭିର ନିର୍ଦ୍ଦେଶକ ଥିବା ଶ୍ରୀ ପଣ୍ଡା ୧୭ କୋଟି ୭୨ ଲକ୍ଷ ଟଙ୍କାର ଇକ୍ୟୁଟି ବାହାମସର ଫିନଲେ, ମେସିନା ଏବଂ ପିକିକା ନାମକ ୩ଟି କମ୍ପାନିକୁ ବିକ୍ରି କରିଥିଲେ। ବିକ୍ରି କରିବାର କିଛି ଘଣ୍ଟା ପରେ ସମ୍ପୃକ୍ତ ୩ଟି ଯାକ କମ୍ପାନି ପୁଣି ଥରେ ବୈଜୟନ୍ତ ପଣ୍ଡାଙ୍କୁ ମାତ୍ର ୧ କୋଟି ୬୮ ଲକ୍ଷ ଟଙ୍କାରେ ସେଇ ସମାନ ସଂଖ୍ୟକ ଇକ୍ୟୁଟି ବିକ୍ରି କରିଥିଲେ। ଯାହାକି ସମ୍ପୂର୍ଣ୍ଣ ଭାବେ ଆୟକର ବିଭାଗକୁ ଫାଙ୍କିବା ପାଇଁ ୧୬ କୋଟି ୪ ଲକ୍ଷ ଟଙ୍କାର କ୍ଷତି ଦର୍ଶାଇ କାରବାର କରାଯାଇଥିଲା। ଏହି ୩ଟି ବାହାମସ୍ କମ୍ପାନି ଏବେ କେଉଁଠି ବୋଲି ବିଜେଡି ପ୍ରଶ୍ନ କରିଛି। ଖୋଦ ବୈଜୟନ୍ତ ବାବୁ ନିଜ କଳାଧନକୁ ଧଳା କରିବା ପାଇଁ କାଳ୍ପନିକ ଭାବେ ୩ଟି କମ୍ପାନି ଜରିଆରେ ଏପରି କାରବାର କରିିଥିବା ବିଜେଡି ଅଭିଯୋଗ କରିଛି। ମୁଖପାତ୍ର ଡ. ପାତ୍ର ଆହୁରି କହିଛନ୍ତି, ଏ ନେଇ ଜଣେ ସାମ୍ବାଦିକ ଖୋଲାଖୋଲି ଭାବେ ଗଣମାଧ୍ୟକୁ କହିବା ସହ ଶ୍ରୀ ପଣ୍ଡାଙ୍କ ଏପରି ମନି ଲଣ୍ଡରିଂ ନେଇ ସିବିଆଇ, ଇଡି ଏବଂ ଆଇଟି ପାଖରେ ପୂର୍ବରୁ ଅଭିଯୋଗ କରିଥିଲେ ବି ଏବେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ବୋଧହୁଏ, ଏହି କଳାକାରନାମାକୁ ଘୋଡ଼ାଇବା ପାଇଁ ବୁଝାମଣା କରି ଶ୍ରୀ ପଣ୍ଡା ବିଜେପି ଦଳରେ ଯୋଗଦେଇଛନ୍ତି ବୋଲି ଡଃ ପାତ୍ର ଅଭିଯୋଗ କରିଥିଲେ। ତିନିଦିନ ତଳେ ବିଜେଡି ଶ୍ରୀ ପଣ୍ଡାଙ୍କ ୨୦୧୪ ଓ ୨୦୧୯ ନିର୍ବାଚନୀ ସତ୍ୟପାଠ ନେଇ ତଥ୍ୟ ଓ ପ୍ରମାଣ ସହ ପ୍ରଶ୍ନ ଉଠାଇବା ପରେ ବିଜେଡିର ଅଭିଯୋଗକୁ ଅସତ୍ୟ ବୋଲି କହି ଶ୍ରୀ ପଣ୍ଡା ଖଣ୍ଡନ କରିଥିଲେ। ବାସ୍ତବରେ କେନ୍ଦ୍ରାପଡ଼ାବାସୀ ବୈଜୟନ୍ତ ବାବୁଙ୍କ ଅସଲ ଚେହେରା ବିଷୟରେ ଜାଣିସାରିଲେଣି। ଏଥର ନିର୍ବାଚନରେ ତାଙ୍କୁ ଉଚିତ ଜବାବ ଦେବେ ବୋଲି ବିଜେଡି ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଲେନିନ୍ ମହାନ୍ତି ଓ ସୁଲତା ଦେଓ ଉପସ୍ଥିତ ଥିଲେ।