ଆୟକର ନୋଟିସକୁ ବିଜୁ ଜନତା ଦଳର ଚାଲେଞ୍ଜ

କେନ୍ଦ୍ର ସରକାରଙ୍କୁ ନୋଟିସ୍, ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର

କଟକ : ଆୟକର ବିଭାଗ ନୋଟିସକୁ ଚାଲେଞ୍ଜ କରି ବିଜୁ ଜନତା ଦଳ ଦାୟର କରିଥିବା ମାମଲାରେ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ମାମଲାରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ ପକ୍ଷଭୁକ୍ତ କରିବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ଦାୟର ଆବେଦନକୁ ହାଇକୋର୍ଟ ଗ୍ରହଣ କରିବା ସହିତ ଏଥିପାଇଁ ଅନୁମତି ଦେଇଛନ୍ତି। ନୂତନ ଭାବେ ପକ୍ଷଭୁକ୍ତ କେନ୍ଦ୍ର ସରକାରଙ୍କୁ ପକ୍ଷ ରଖିବାକୁ ନୋଟିସ୍ ଜାରି କରାଯାଇଛି।  ଏଥିସହିତ ପୂର୍ବ ନିର୍ଦ୍ଦେଶ ପାଳନ କରି ଆୟକର ବିଭାଗ ପକ୍ଷରୁ ମାମଲାରେ ଜବାବ ଦାଖଲ କରାଯାଇଛି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜୁ ଜନତା ଦଳ ପକ୍ଷରୁ କୋଷାଧ୍ୟକ୍ଷ ଓ ଅନ୍ୟ ଜଣେ ଦାୟର କରିଥିବା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

୨୦୨୧, ଜୁଲାଇ ୧୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ଜବାବ ଦାଖଲ ପାଇଁ ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ୨୦୨୧, ମେ ୬ ଓ ମେ ୨୦ର ନୋଟିସ୍ ଆଧାରରେ ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୪-୧୫ ଆୟକର ଆକଳନ ବର୍ଷ(ଆସେସମେଣ୍ଟ ଇୟର)ରେ ବିଜୁ ଜନତା ଦଳକୁ ଡୋନେସନ୍ ବାବଦରେ ମୁମ୍ବାଇର ଏକ ସଂସ୍ଥା ନିକଟରୁ ମିଳିଥିବା ଅର୍ଥ ଉପରେ ଆୟକର ପୈଠ ପ୍ରସଂଗକୁ ନେଇ ଆୟକର ବିଭାଗ ନୋଟିସ୍ ଜାରି କରିଥିଲା। ଏହି ନୋଟିସକୁ ଚାଲେଞ୍ଜ କରି ବିଜୁ ଜନତା ଦଳ କୋଷାଧ୍ୟକ୍ଷ ଓ ଅନ୍ୟ ଜଣଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଥିଲା ଯେ ଆଇନ ଦ୍ବାରା ନିର୍ଦ୍ଧାରିତ ସମୟ ପରେ ଏପରି ନୋଟିସ୍ ଜାରି କରାଯିବା ବୈଧ ନୁହେଁ। ଏଥିସହିତ ଆୟକର ଆଇନର ଧାରା ୧୪୮ ଅନୁସାରେ ଏହି ପ୍ରସଂଗରେ ନୋଟିସ୍ ଜାରି କରିବା ପୂର୍ବରୁ ବିଭାଗ ପକ୍ଷରୁ ତଦନ୍ତ କରାଯିବା କଥା। କିନ୍ତୁ ଏହି ମାମଲାରେ ଏପରି କରାଯାଇ ନଥିଲା। ତେଣୁ ଆୟକର ବିଭାଗର ଏପରି ନୋଟିସ୍ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ବିଜୁ ଜନତା ଦଳ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଥିଲା। ଆୟକର ବିଭାଗ ତରଫରୁ ବରିଷ୍ଠ ଷ୍ଟାଣ୍ଡିଂ କାଉନସିଲ ଆର.ଚିମନ୍‌କା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର