ଭୁବନେଶ୍ବର : ବିଜୁ ଜନତା ଦଳ ଏଥର ବିଜୁ ଜୟନ୍ତୀ ୧୫ ଦିନ ଧରି ପାଳନ କରିବ। ଆଜି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ନେତାମାନେ ଏହି ସୂଚନା ଦେଇଛନ୍ତି। କହିଛନ୍ତି ଯେ ଓଡ଼ିଶାବାସୀଙ୍କ ସଦିଚ୍ଛାରେ ନବୀନ ବାବୁଙ୍କ ନେତୃତ୍ବରେ ଗଠନ େହାଇଥିବା ସରକାର ବିଜୁ ଜୟନ୍ତୀରେ ୨୦ବର୍ଷ ପୂରଣ କରୁଛି। ଏହି ପକ୍ଷ ପାଳନ ସହ ବିଜୁ ବାବୁଙ୍କ ମାର୍ଗରେ ଓଡ଼ିଶାର ବିକାଶ ଯାତ୍ରା ସଂପର୍କରେ ଲୋକଙ୍କୁ ଅବଗତ କରାଯିବ। ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଦିଆଯିବ। ମାର୍ଚ୍ଚ ୫ ତାରିଖ ଦିନ ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ ବିଜେଡିର ଛାମୁଆ ସଂଗଠନ କର୍ମକର୍ତ୍ତା, ସଦସ୍ୟ, ସଦସ୍ୟା ଓ ଶୁଭେଚ୍ଛୁଙ୍କୁ ନେଇ ପାଳନ କରାଯିବ।
ବିଜେଡି କହିଛି ଯେ ଗାଁକୁ କାମ ଓ ମା’ କୁ ସମ୍ମାନ ବିଜୁ ବାବୁଙ୍କ ଆହ୍ବାନ ଥିଲା। ଆଜି ବିଜେଡି ନବୀନ ବାବୁଙ୍କ ନେତୃତ୍ବରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପଦକ୍ଷେପ ନେଇଛି। ଏହି ପକ୍ଷ ପାଳନ ଅବସରରେ ୮ ତାରିଖ ଅର୍ଥାତ୍ ଆନ୍ତର୍ଜାତିକ ମହିଳା ଦିବସଠାରୁ ମହିଳାମାନଙ୍କ ସମ୍ମିଳନୀ କରାଯାଇ ସେମାନଙ୍କ ବିକାଶ ଆଲୋଚନା ସହିତ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ମହିଳାଙ୍କୁ ସମ୍ବର୍ଧିତ କରାଯିବ। ବିଜୁ ଯୁବ ଓ ଛାତ୍ର ଜନତା ଦଳ ଆନୁକୂଲ୍ୟରେ ରକ୍ତଦାନ ଭଳି ସାମାଜିକ ପ୍ରତିବଦ୍ଧତା ସହିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାର୍ଚ୍ଚ ୫ରୁ ୧୭ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ନିର୍ବାଚନମଣ୍ଡଳୀରେ କରାଯିବ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ସଂଜୟ କୁମାର ଦାସବର୍ମା, ପ୍ରମିଳା ମଲ୍ଲିକ, ଉଷା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।