ପ୍ରତି ନିର୍ବାଚନ ମଣ୍ଡଳୀରେ ପାଳନ ହେବ ବିଜୁଙ୍କ ତିରୋଧାନ ଦିବସ

ଦଳୀୟ ନେତାଙ୍କୁ ଚିଠି ଲେଖି ଜଣାଇଲେ ରାଜ୍ୟ ସଭାପତି

ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସକୁ ଏପ୍ରିଲ ୧୭ରେ ବିଜେଡି ପାଳନ କରିବ। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବିଜୁବାବୁଙ୍କ ତିରୋଧାନ ଦିବସକୁ ଦଳ ନିରାଡମ୍ବର ସହକାରେ ପାଳନ ପାଇଁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ପତ୍ର ଲେଖିଛନ୍ତି।

ବିଜେଡିର ସମସ୍ତ କର୍ମକର୍ତ୍ତା ଓ ନେତାଙ୍କୁ ଲେଖାଯାଇଥିବା ଏହି ପତ୍ରରେ କୁହାଯାଇଛି, ଚଳିତବର୍ଷ ଏହି ମହାନ ପୁରୁଷଙ୍କ ପବିତ୍ର ଶ୍ରାଦ୍ଧ ଦିବସକୁ ରାଜ୍ୟସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଅବିସ୍ମରଣୀୟ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ପବିତ୍ର ଶ୍ରାଦ୍ଧ ଦିବସରେ ବିଜୁ ଜନତା ଦଳର ପ୍ରତ୍ୟେକ ସଦସ୍ୟ ବିଜୁବାବୁଙ୍କ ଅଭିଳଷିତ ଓଡ଼ିଶା ଗଠନ ନିମନ୍ତେ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହେବେ। ଏହା ସହ ବିଜୁ ଜନତା ଦଳର ରାଜ୍ୟବାସୀଙ୍କ ପ୍ରତି ରହିଥିବା ସାମାଜିକ ପ୍ରତିବଦ୍ଧତାର ପରିପୂରଣ ଲାଗି ଆଗେଇ ଆସିବାକୁ ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତି। ଆଜି ଦଳର ଉପ-ସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ ଇସ୍ତାହାରରେ ଏହା ଜଣାଇଛନ୍ତି।

ତିରୋଧାନ ଦିବସ ପାଳନ ଅବସରରେ ସକାଳ ୭.୩୦ ମିନିଟ୍‌ରେ ବିଜୁ ଜନତା ଦଳ ପକ୍ଷରୁ ମେଡିକାଲ୍‌ରେ ରୋଗୀମାନଙ୍କୁ ଫଳବଣ୍ଟନ କାର୍ଯ୍ୟକ୍ରମ କରାଯିବ। ସକାଳ ୮.୩୦ରେ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ଦଳୀୟ କାର୍ଯ୍ୟାଳୟରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହେବ। ସେହିପରି ଅପରାହ୍ନ୫.୩୦ରେ ଦୀପ ଦାନ, ସମୂହ ସଂକଳ୍ପ ଏବଂ ସାଧାରଣ ସଭା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର