ବିଜୁ କନ୍ଧମାଳ ଓ ଗଜପତି ଯୋଜନାର ନିୟମାବଳୀ ବଦଳିଲା

ଭୁବନେଶ୍ବର : ୨୦୦୯-୧୦ରୁ କାର୍ଯ୍ୟକାରୀ ହେଉଥିବା ବିଜୁ କନ୍ଧମାଳ ଓ ଗଜପତି ଯୋଜନାର ମାର୍ଗଦର୍ଶିକା ଓ ନିୟମାବଳୀରେ ସଂଶୋଧନ ଅଣାଯାଇଛି। ସଂଶୋଧିତ ନିୟମାବଳୀ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଯୋଜନା ଓ ସଂଯୋଜନ ବିଭାଗ ଆଣିଥିବା ସଂକଳ୍ପରେ କୁହାଯାଇଛି।

ବିଜୁ କନ୍ଧମାଳ ଓ ଗଜପତି ଯୋଜନାର ସଂଶୋଧିତ ନିୟମାବଳୀ ଅନୁଯାୟୀ ଉଭୟ ଜିଲ୍ଲା ପାଇଁ ବ୍ୟୟବରାଦ ହେଉଥିବା ଅର୍ଥ ଉଭୟ ରାଜ୍ୟ କ୍ଷେତ୍ରୀୟ ଯୋଜନା ଓ ଜିଲ୍ଲା କ୍ଷେତ୍ରୀୟ ଯୋଜନା ଅଧୀନରେ କାର୍ଯ୍ୟକାରୀ କରାଯିବ। ମୋଟ ବରାଦ ଅର୍ଥରୁ ରାଜ୍ୟ କ୍ଷେତ୍ରୀୟ ଯୋଜନା ଅଧୀନରେ ଦୁଇ ତୃତୀୟାଂଶ ଏବଂ ଜିଲ୍ଲା କ୍ଷେତ୍ରୀୟ ଯୋଜନାରେ ଏକ ତୃତୀୟାଂଶ ଖର୍ଚ ହେବ। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ନିର୍ଧାରିତ ବ୍ୟୟ ଅଟକଳକୁ ନେଇ ନିର୍ଦିଷ୍ଟ ଭାବେ ରାଜ୍ୟ କ୍ଷେତ୍ରୀୟ ଯୋଜନା ଏବଂ ଜିଲ୍ଲା କ୍ଷେତ୍ରୀୟ ଯୋଜନା ନିମନ୍ତେ ସ୍ବତନ୍ତ୍ର ଭାବେ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବେ। ଜିଲ୍ଲା କ୍ଷେତ୍ରୀୟ ଯୋଜନା ଅଧୀନରେ ପ୍ରସ୍ତୁତ କାର୍ଯ୍ୟ ଯୋଜନାକୁ ଜିଲ୍ଲା ଯୋଜନା କମିଟି(ଡିପିସି) ମଞ୍ଜୁରି ଦେବା ପରେ ତାହା ଚୂଡ଼ାନ୍ତ ଅନୁମୋଦନ ପାଇଁ ଯୋଜନା ଓ ସଂଯୋଜନ ବିଭାଗକୁ ଯିବ। ରାଜ୍ୟ କ୍ଷେତ୍ରୀୟ ଯୋଜନା ଅଧୀନରେ ପ୍ରସ୍ତୁତ କାର୍ଯ୍ୟ ଯୋଜନା ସିଧାସଳଖ ବିଭାଗକୁ ସରକାରଙ୍କ ମଞ୍ଜୁରି ପାଇଁ ପଠାଯିବ ବୋଲି ସଂକଳ୍ପରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର