ବିଜୁ କୃଷକ ବୀମା ଯୋଜନା ଅବଧି ଜୁଲାଇ ଯାଏଁ ବଢ଼ିଲା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପ୍ରମୁଖ ବିଜୁ କୃଷକ କଲ୍ୟାଣ ଯୋଜନାର ବୀମା ଅବଧି ଆସନ୍ତା ମାର୍ଚ ପର୍ଯ୍ୟନ୍ତ ରହିଥିଲା। ଏହାର ଅବଧି ଜୁଲାଇ ଯାଏଁ ବୃଦ୍ଧି କରାଯାଇଛି। ଏଭଳି ବୃଦ୍ଧି ହେବା ଫଳରେ ରାଜ୍ୟର ୫୭.୬୪ ଲକ୍ଷରୁ ଅଧିକ କୃଷକ ପରିବାର ଉପକୃତ ହେବେ।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ କ୍ଷମତାସଂପନ୍ନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୀମାଭୁକ୍ତ କୃଷକ ପରିବାରମାନେ ଯେପରି ଅଧିକରୁ ଅଧିକ ସଂଖ୍ୟାରେ ସ୍ୱାସ୍ଥ୍ୟ ବୀମା ସୁବିଧା ପାଇପାରିବେ ସେ ନେଇ ସେମାନଙ୍କୁ ସଚେତନ କରିବା ପାଇଁ ବୀମା କମ୍ପାନିମାନେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ। ସରକାରୀ ଡାକ୍ତରଖାନାରେ ଏହି ଯୋଜନା ନେଇ ରହିଥିବା ସ୍ମାର୍ଟ କାର୍ଡର ବହୁଳ ବ୍ୟବହାର ସଂପର୍କରେ ଆଲୋଚନା ହୋଇଥିଲା। ବିଶେଷ କରି ସ୍ମାର୍ଟ କାର୍ଡ ବ୍ୟବହାର କରି ରୋଗୀଙ୍କୁ ଚିକିତ୍ସା କରିଥିବା ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ବୀମା ରାଶିର କିଛି ଭାଗ ପ୍ରୋତ୍ସାହନ ବାବଦକୁ ଦେବା ନିମନ୍ତେ ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇଛି। ବୈଠକରେ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ନିର୍ଦେଶକ ଏମ୍‌.ମୁଥୁକୁମାର ବୀମା ସଂପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର