ଆରଏସବିଵାଇ ବଦଳରେ ବିକେକେଵାଇ କାର୍ଡ

ଜାନୁଆରି ପହିଲାରୁ ନୂଆ ସୁବିଧା, ତୁରନ୍ତ କାର୍ଡ଼ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର : ଆସନ୍ତା ନୂଆବର୍ଷରୁ ରାଜ୍ୟର ସମସ୍ତ ୪୪ଲକ୍ଷ ୮ ହଜାର ୭୦ ଜଣ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ହିତାଧିକାରୀ ବିଜୁ କୃଷକ କଲ୍ୟାଣ ଯୋଜନାରେ ସାମିଲ ହେବେ। ଏଥିପାଇଁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା କାର୍ଡ଼ ନୁହେଁ, ବିଜୁ କୃଷକ କଲ୍ୟାଣ ଯୋଜନା ଷ୍ଟ୍ରିମ୍-୨ କାର୍ଡ଼ ଯୋଗାଇଦେବାକୁ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଆରଏସବିଵାଇ ହିତାଧିକାରୀ ପୂର୍ବଭଳି ଏକ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇବା ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସମସ୍ତ ସୁବିଧା ବି ପାଇବେ।

କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଆରଏସବିଵାଇ ଯୋଜନାର ଅବଧି ଚଳିତବର୍ଷ ଡିସେମ୍ବର ୩୧ ତାରିଖରେ େଶଷ ହେଉଛି। ତେଣୁ ଏହି ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀ ଯେଭଳି ପୂର୍ବଭଳି ମାଗଣା ଚିକିତ୍ସା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ ଶନିବାର ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଓ ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏଠାରେ ଉପସ୍ଥିତ ଥିଲେ। ଆରଏସବିଵାଇ ହିତାଧିକାରୀମାନେ ଯେଭଳି ତୁରନ୍ତ ବିକେକେଵାଇ କାର୍ଡ଼ ପାଇବେ ସେଥିପାଇଁ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ହିତାଧିକାରୀମାନେ ନିକଟସ୍ଥ ବିକେକେଵାଇ କିଓସ୍କରୁ ପୁରୁଣା ଆରଏସବିଵାଇ କାର୍ଡ଼ ବଦଳରେ ନୂତନ ବିକେକେଵାଇ (ଷ୍ଟ୍ରିମ-୨) କାର୍ଡ଼ ସଂଗ୍ରହ କରିବାପାଇଁ ପରାମର୍ଶ ଦିଆଯାଇଛି। ଏ ନେଇ ସଚେତନତା ସୃଷ୍ଟି ପାଇଁ ଆଶା,ଅଙ୍ଗନବାଡ଼ି କର୍ମୀ,ଗାଁ କଲ୍ୟାଣ ସମିତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସଟିଏଫ)ର ନୂତନ ମାର୍ଗଦର୍ଶିକା ଆଧାରରେ ବିକେକେଵାଇ କାର୍ଡ଼ଧାରୀମାନେ ଯେଭଳି ନିରବଚ୍ଛିନ୍ନ ସେବା ପାଇବେ ସେଥିପାଇଁ ପରାମର୍ଶ ଦିଆଯାଇଛି। ଓଏସଟିଏଫର ନୂତନ ମାର୍ଗଦର୍ଶିକା ଅନୁଯାୟୀ ମାରାତ୍ମକ ରୋଗରେ ପୀଡ଼ିତ ଗରିବଙ୍କୁ ସରକାରଙ୍କ ଚିକିତ୍ସା ପାଣ୍ଠିରୁ ମାଗଣା ଅର୍ଥ ଯୋଗାଇ ଦିଆଯିବ। ବିକେକେଵାଇ କାର୍ଡ଼ଧାରୀଙ୍କ ବ୍ୟତୀତ ଅନ୍ତ୍ୟୋଦୟ ଅନ୍ନଯୋଜନାର ହିତାଧିକାରୀ ଏବଂ ଗ୍ରାମାଞ୍ଚଳରେ ବାର୍ଷିକ ୫୦ ହଜାର ଓ ସହରାଞ୍ଚଳରେ ୬୦ ହଜାର ଟଙ୍କାରୁ କମ ଆୟକାରୀ ଏହି ସୁବିଧା ପାଇପାରିବେ। ଏହାଛଡ଼ା, ହୃଦରୋଗ,କିଡନୀ ଏବଂ କର୍କଟରେ ପୀଡ଼ିତ ରୋଗୀଙ୍କ କ୍ଷେତ୍ରରେ ବାର୍ଷିକ ୩ ଲକ୍ଷ ଟଙ୍କାରୁ କମ ଆୟକାରୀ ରାଜ୍ୟ ପାଣ୍ଠିରୁ ସୁବିଧା ପାଇପାରିବେ। ସରକାରଙ୍କ ପକ୍ଷରୁ ମଧ୍ୟ ଦେୟମୁକ୍ତ ନମ୍ବର ୧୫୫୩୬୯ରେ ଯୋଗାଯୋଗ ପାଇଁ ପରାମର୍ଶ ଦିଆଯାଇଛି।

ପ୍ରକାଶଥାଉକି, ଗତ ଅଗଷ୍ଟ ୧୫ ତାରିଖରୁ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ଆରଏସବିଵାଇ ଓ ବିକେକେଵାଇର ପ୍ରାୟ ୭୦ ଲକ୍ଷ ପରିବାରର ସାଢ଼େ ୩ କୋଟିରୁ ଅଧିକ ହିତାଧିକାରୀ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏମାନଙ୍କୁ ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କୁ ୭ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି।

ସମ୍ବନ୍ଧିତ ଖବର