ବାଲେଶ୍ବରରେ ବିଜୁ କୃଷକ ଯୋଜନା ଦିଗହରା: ୩ ବର୍ଷ ପରେ ବି ଖୋଳାହେଲାନି ନଳକୂପ, କୋଟିଏ ଟଙ୍କା ଜମା ଦେଇଛନ୍ତି ଚାଷୀ

ବାଲେଶ୍ବର : ବାଲେଶ୍ବର ଜିଲ୍ଲାରେ ବିଜୁ କୃଷକ ଯୋଜନା ଦିଗହରା। ଏହି ଯୋଜନାରେ ବାଲେଶ୍ବର ଜିଲ୍ଲାରୁ ଏକ ହଜାର ୧୦ ଜଣ ଚାଷୀ ସାମିଲ ହୋଇଛନ୍ତି। ଆବେଦନ ପରେ ସେମାନେ ବ୍ୟାଙ୍କ ଡ୍ରାଫ୍ଟ ମାଧ୍ୟମରେ ପ୍ରାୟ କୋଟିଏ ଟଙ୍କା ଜମା ମଧ୍ୟ କରିଛନ୍ତି। ତେବେ ଟଙ୍କା ଜମା ହେବାର ୩ ବର୍ଷ ବିତିଯାଇଥିଲେ ମଧ୍ୟ କାହାର ନଳକୂପ ଖୋଳା ଯାଇନାହିଁ। ଏ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଚାଷୀଙ୍କ ଆୟ ବଢ଼ାଇବା ତଥା ଜମିକୁ ଜଳସେଚନ ଉଦ୍ଦେଶ୍ୟରେ ରାଜ୍ୟ ସରକାର ୨୦୧୭-୧୮ରେ ଆରମ୍ଭ କରିଥିଲେ ବିଜୁ କୃଷକ ଯୋଜନା। ଯେଉଁ ଚାଷୀଙ୍କ ଏକ ଏକର ଜମି ଥିବ ସେମାନେ ଏହି ଯୋଜନାରେ ସାମିଲ ହୋଇପାରିବେ। ଗଭୀର ନଳକୂପ ଖୋଳିବା ଲାଗି ସାଧାରଣ ବର୍ଗ ଚାଷୀଙ୍କୁ ୨୦ ହଜାର ଓ ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଚାଷୀଙ୍କୁ ୧୦ ହଜାର ଟଙ୍କା ଜମା କରିବାକୁ ପଡ଼ିବ ବୋଲି ଏଥିରେ ସର୍ତ୍ତ ରହିଛି।

ଚାଷ ଜମିକୁ ବର୍ଷତମାମ ପାଣି ମାଡ଼ିବା ଆଶାରେ ବାଲେଶ୍ବର ଜିଲ୍ଲାର ଚାଷୀମାନେ ଏହି ମହତ୍ବକାଂକ୍ଷୀ ଯୋଜନାରେ ସାମିଲ ହୋଇଥିଲେ। ତେବେ ଏହାକୁ କାର୍ଯ୍ୟକାରୀ କରିବାରେ କାହିଁକି ଏତେ ଡେରି ବୋଲି ଅନେକ ପ୍ରଶ୍ନ କରିଛନ୍ତି। ଯୋଜନାରେ ସାମିଲ ହୋଇଥିବା ଜଳେଶ୍ବର ଅଞ୍ଚଳର ଚାଷୀ ପ୍ରଶାନ୍ତ କୁମାର ବେହେରା ଓ ମାନସ ଜେନା ଅସନ୍ତୋଷ ପ୍ରକାଶ କରିବା ସହ ସେମାନେ ଠକାମୀର ଶିକାର ହୋଇଛନ୍ତି ବୋଲି କହିଛନ୍ତି। ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଥିଲେ ବି କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ବାହାନଗା ଅଞ୍ଚଳର ଚାଷୀ ବସନ୍ତ କୁମାର ଦାସ ଓ ଜୟନ୍ତ କୁମାର ପାତ୍ର। ବିଭାଗୀୟ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ଚାଷୀଙ୍କ ଅଭିଯୋଗ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ କହିଛନ୍ତି। ଧାନର ଅଭାବ ବିକ୍ରି ସାଙ୍ଗକୁ ନିକଟରେ ହୋଇଥିବା ବାତ୍ୟା ୟାସ୍ ବାଲେଶ୍ବର ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଛି। ଏଭଳି ସ୍ଥିତିରେ ସରକାରଙ୍କ ବିଭିନ୍ନ ଯୋଜନାରୁ ଚାଷୀ କିଭଳି ଉପକୃତ ହେବେ ସେ ଦିଗରେ ସବୁ ସ୍ତରରୁ ଉଦ୍ୟମ ଲୋଡ଼ା ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର