ପୁରୁଣା ଇନ୍ଦିରା ଆବାସ ଘରେ ବିଜୁ ପକ୍କାଘର ପୋଷ୍ଟର

ଘୁ.ଉଦୟଗିରି : କେମିତି ଚାଲିଛି ଆମ ଶାସନ ବ୍ୟବସ୍ଥା ତାହା ଦେଖିବାକୁ ମିଳିଛି ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ଼ ପଞ୍ଚାୟତରେ। ପୁରୁଣା ଇନ୍ଦିରା ଆବାସ ଗୃହରେ ଲାଗିଛି ନୂତନ ବିଜୁ ପକ୍କାଘର ପୋଷ୍ଟର। ହିତାଧିକାରୀଙ୍କ ଅନୁପସ୍ଥିତରେ ତାଙ୍କ ଘର ସମ୍ମୁଖରେ ବିଜୁ ପକ୍କାଘର ପୋଷ୍ଟର ମରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଏକ ଅଭିନନ୍ଦନ ପତ୍ର ପ୍ରଦାନ କରାଯାଇଛି। ଏହି ପୋଷ୍ଟର ଏବଂ ଚିଠି ପାଇବା ପରେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଲିଙ୍ଗାଗଡ଼ ଗାଁର ବିରଜା ମୁଖୀ ଜଣେ ଅସହାୟ ବିଧବା ମହିଳା। ଗତ ୨୦୦୯-୧୦ ଆର୍ଥିକ ବର୍ଷରେ ଇନ୍ଦିରା ଆବାସ ଯୋଜନାରେ ୩୫ହଜାର ଟଙ୍କା ପାଇଥିଲେ। ସେଇ ଟଙ୍କାରେ ଏକ ଟିଣ ଘର ନିର୍ମାଣ କରିଥିଲେ। ଗତ ୪ଦିନ ତଳେ ସେ ଘରେ ନଥିବା ସମୟରେ ତାଙ୍କ ଘର କାନ୍ଥରେ ବିଜୁ ପକ୍କାଘର ପୋଷ୍ଟର ଲାଗିଥିଲା। ଯେଉଁଥିରେ ସେ ବିଜୁ ପକ୍କାଘର ପାଇଥିବା ଦର୍ଶାଯାଇଥିଲା। ଘରକୁ ଫେରିବା ପରେ ଏକ ଚିଠି ମଧ୍ୟ ପାଇଥିଲେ। ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାକ୍ଷର ଥାଇ ଏକ ଅଭିନନ୍ଦନ ପତ୍ର ଲେଖାଥିଲା। ଏହି ଚିଠି ପଢି ବିରଜା ଏବେ ଆଶ୍ଚର୍ଯ୍ୟ ହୋଇଯାଇଥିବା କହିଛନ୍ତି।

ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ତାଙ୍କୁ ଇନ୍ଦିରା ଆବାସ ମିଳିଥିଲେ ସେ ଟିଣ ଘର ଖଣ୍ଡେ କରି ରହୁଛନ୍ତି କାହିଁକି। ବିଜୁ ପକ୍କାଘର ନ ଦେଇ ଦିଆଯାଇଛି ବୋଲି ପୋଷ୍ଟର ମାରି ଚିଠି ଦେଇଛନ୍ତି। ସେ ଜଣେ ଅସହାୟ ବିଧବା ମହିଳା ହୋଇଥିବାରୁ ତାଙ୍କୁ ବିଜୁ ପକ୍କାଘର ଯୋଗାଇଦିଆଯାଉ ବୋଲି କହିଛନ୍ତି। ଖାଲି ବିରଜା ଜଣେ ନୁହନ୍ତି ଏହି ଗାଁର ଏକାଧିକ ପରିବାରରେ ଏହି ପୋଷ୍ଟର ଲାଗିଛି ଚିଠି ଦିଆଯାଇଛି। ଲିଙ୍ଗାଗଡ଼ ଗ୍ରାମର ଦଶରଥ ମୁଖୀ ଯିଏକି ୨୦୧୪-୧୫ ଆର୍ଥିକ ବର୍ଷରେ ଇନ୍ଦିରା ଆବାସ ଯୋଜନାରେ ଅର୍ଥ ପାଇ ଟିଣ ଘର ନିର୍ମାଣ କରିଥିଲେ। ସେହିଭଳି ସଂଯୁକ୍ତା ମୁଖୀ ମଧ୍ୟ ୨୦୦୮-୦୯ରେ ଇନ୍ଦିରା ଆବାସ ଯୋଜନାରେ ଘର କରିଛନ୍ତି ସମସ୍ତଙ୍କ ଘରେ ବିଜୁ ପକ୍କାଘର ପୋଷ୍ଟର ସହ ନବୀନ ପଟ୍ଟନାୟକ ଚିଠି ପହଂଚିଛି। ପ୍ରଶ୍ନ ଉଠୁଛି ପୁରୁଣା ଇନ୍ଦିରା ଆବାସ ଘରେ ଏହି ପୋଷ୍ଟର ମାରି ଚିଠି ବାଣ୍ଟିବା ଉଦ୍ଦେଶ୍ୟ କଣ? ଲୋକଙ୍କୁ ଭୁଆଁ ବୁଲା ଯାଉଛି ନା ଆଉ କିଛି ରହସ୍ୟ ରହିଛି। ଏନେଇ ବିଡ଼ିଓ ବିଜୟ ପ୍ରଧାନଙ୍କୁ ପଚାରିବା ପରେ ସେ କହିଲେ ଉପରୁ ଲିଷ୍ଟ ଆସିଥିଲା। ସମୟ କମ ଥିବାରୁ ଯାଞ୍ଚ ହୋଇପାରିନଥିଲା। ଏଣୁ କିଛି ସ୍ଥାନରେ ଭୁଲରେ ପୋଷ୍ଟର ମରାଯାଇଥିବ। ଏନେଇ ଲିଙ୍ଗାଗଡ଼ ପିଇଓଙ୍କୁ ମଧ୍ୟ ପଚାରିଥିବା ପରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।

ଏହି ପୋଷ୍ଟର ଚିଠି ଗୁଡିକ ସରକାରୀ କର୍ମଚାରୀ ମାନେ ମାରିଥିବା ସୂଚନା ମିଳିଛି। ଏହି କ୍ଷେତ୍ରରେ କିଭଳି ବହୁ ବର୍ଷ ପୂର୍ବରୁ ଜଣେ ଇନ୍ଦିରା ଆବାସ ପାଇଥିବା ହିତାଧିକାରୀଙ୍କ ଘର କାନ୍ଥରେ ବିଜୁ ପକ୍କାଘର ପୋଷ୍ଟର ମରଗଲା ମୁଖ୍ୟମନ୍ତ୍ରୀଙ୍କ ଚିଠି ଦିଆଗଲା ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଏହିଭଳି କାର୍ଯ୍ୟ ସରକାରୀ ଭୁଲ ନା ପ୍ରଶାସନିକ ଭୁଲ। ନା’ ରାଜନୈତିକ ଫାଇଦା ନିମନ୍ତେ ଏହିଭଳି ପ୍ରୟାସ କରାଯାଇଛି ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର