ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ମିଡ଼ିଆକିଆ ପଞ୍ଚାୟତ ଅନ୍ତର୍ଗତ ବାଗ୍ରାମିଲା ଗ୍ରାମର ଡାକ୍ତରୀ ଛାତ୍ର ଇଫୁ ମଲିକଙ୍କ ପରିବାରକୁ ମିଳିଛି ବିଜୁ ପକ୍କାଘର ସହାୟତା।
ଦୁର୍ଗମ ଆଦିବାସୀ ଗାଁର ଏହି ମେଧାବୀ ଛାତ୍ର ଇଫୁ ନିକଟରେ ଚର୍ଚ୍ଚାକୁ ଆସିଥିଲେ। ସରକାରୀ ମେଡିକାଲ କଲେଜରେ ସିଟ୍ ପାଇବା ପରେ ପାଠପଢ଼ା ଖର୍ଚ୍ଚ ଉଠାଇବାପାଇଁ ସେ ଧାନକାଟୁଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଡାକ୍ତରୀ ପଢ଼ା ବାବଦ ସମସ୍ତ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଥିଲେ। ସେ ମଧ୍ୟ ଗତ ୯ତାରିଖରେ ନବୀନନିବାସଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହାର ଦୁଇଦିନ ପରେ ଅର୍ଥାତ୍ ସୋମବାର ଦିନ ବାଲିଗୁଡ଼ା ବ୍ଲକ୍ ପ୍ରଶାସନ ତରଫରୁ ବିଡିଓ ଶଶାଙ୍କ ଶେଖର ପାତ୍ର ଇଫୁଙ୍କ ପରିବାରକୁ ଭେଟିବା ସହ ବିଜୁ ପକ୍କାଘର କାର୍ଯ୍ୟାଦେଶ ଦେଇଛନ୍ତି।
ଇଫୁଙ୍କ ପରିବାର ଏକ ଝାଟିମାଟି ଘରେ ରହୁଛନ୍ତି। ବହୁକଷ୍ଟରେ ବାପାମା’ ଇଫୁଙ୍କୁ ପାଠ ପଢାଉଛନ୍ତି। ଜଣେ ମେଧାବୀ ଛାତ୍ର ଭାବେ ଇଫୁ ମଧ୍ୟ ପ୍ରଥମ ଶ୍ରେଣୀରୁ ନିଟ୍ ପରୀକ୍ଷା ପର୍ଯ୍ୟନ୍ତ ନିଜର ଦକ୍ଷତା ପ୍ରଦର୍ଶିତ କରିଆସୁଛନ୍ତି। ଅଭାବଗ୍ରସ୍ତ ବହୁ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଇଫୁ ଏବେ ଉଦାହରଣ ପାଲଟିଛନ୍ତି।