ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ମିଡ଼ିଆକିଆ ପଂଚାୟତର ବାଗ୍ରାମିଲା ଗ୍ରାମର ଡାକ୍ତରୀ ଛାତ୍ର ଇଫୁ ମଳିକଙ୍କ ପରିବାରକୁ ମିଳିଛି ବିଜୁ ପକ୍କାଘର ସହାୟତା। ନିକଟରେ ଦୁର୍ଗମ ଆଦିବାସୀ ଗାଁର ମେଧାବୀ ଛାତ୍ର ଇଫୁ ନିଟ୍‌ରେ ପାଇଥିବା ସଫଳତା ଓ ସରକାରୀ ମେଡିକାଲ୍‌ କଲେଜରେ ସିଟ୍‌ ପାଇବା ପରେ ତାଙ୍କ ପରିବାରର ଆର୍ଥିକ ଦୁଃସ୍ଥିତି ଓ ପାଠପଢ଼ା ଖର୍ଚ୍ଚ ଉଠାଇବାକୁ ଇଫୁ ଗାଁ ବିଲରେ ଧାନ କାଟି ପଇସା ଯୋଗାଡ଼ କରିବା ଖବର ଲୋକଲୋଚନକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଡାକ୍ତରୀ ପଢ଼ା ବାବଦ ସମସ୍ତ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଥିଲେ।

Advertisment

ତାଙ୍କୁ ମୁଖ୍ୟମନ୍ତ୍ରୀ ନିଜ ଦପ୍ତରକୁ ଡାକି ଭେଟିଥିଲେ। ଆଜି ବାଲିଗୁଡ଼ା ବ୍ଲକ୍‌ ପ୍ରଶାସନ ତରଫରୁ ବିଡିଓ ଶଶାଙ୍କ ଶେଖର ପାତ୍ର ଇଫୁଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଭେଟିବା ସହ ବିଜୁ ପକ୍କାଘର କାର୍ଯ୍ୟାଦେଶ ଦେଇଛନ୍ତି। ଇଫୁଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବା ବେଳେ ଯେଉଁ ଘରେ ରହି ସେ ପିଲାରୁ ବଡ଼ ହୋଇଛନ୍ତି ଓ ପ୍ରଥମ ଶ୍ରେଣୀରୁ ନିଟ୍‌ ପରୀକ୍ଷା ପର୍ଯ୍ୟନ୍ତ ପାଠ ପଢୁଥିଲେ, ସେହି ଘରଟି ଝାଟିମାଟି ଘର। ବହୁ କଷ୍ଟରେ ବାପା ମା’ ପୁଅ ଇଫୁଙ୍କୁ ପାଠ ପଢାଇଥିଲେ। ଗଣମାଧ୍ୟମରେ ଇଫୁଙ୍କ ସଫଳତା ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ତତ୍ପରତା ଦେଖାଇବା ସହ ସରକାରୀ ସହାୟତା ପ୍ରଦାନ କରିଛନ୍ତି।