ଅନୁଗୁଳ: ପ୍ରଧାନମନ୍ତ୍ରୀ ଆବାସ କାନ୍ଥରେ ‘ବିଜୁ ପକ୍କା ଘର’ର ଫଳକ ଝୁଲାଉଛି ଅନୁଗୁଳ ଜିଲ୍ଲା ପ୍ରଶାସନ

ଅନୁଗୁଳ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ  ପକ୍କା ଘର କରିବା ପାଇଁ ମିଳିଛି ଏକ ଲକ୍ଷ ୨୦ହଜାର ଟଙ୍କା। ଚାରୋଟି କିସ୍ତିରେ ଏ ଟଙ୍କା ନେଇ ଲୋକେ ଘର ତୋଳିଛନ୍ତି। କିନ୍ତୁ, ଘର ତିଆରି ଶେଷ ହେଉ ହେଉ ଏହି ପ୍ରଧାନମନ୍ତ୍ରୀ ଆବାସ କାନ୍ଥରେ ଝୁଲାଯାଉଛି ‘ବିଜୁ ପକ୍କା ଘର’ର ଏକ ମାର୍ବଲ ଖଚିତ ଫଳକ। ବିଜୁ ବାବୁଙ୍କ ଚିତ୍ର ଥିବା ଏହି ଆକର୍ଷଣୀୟ ମାର୍ବଲ ଫଳକ ଲୋକଙ୍କ ସିମେଣ୍ଟ କାନ୍ଥରେ କେବଳ ଚକ୍‌ଚକ୍‌ କରୁନାହିଁ, ବରଂ ‘ପ୍ରଧାନମନ୍ତ୍ରୀ ଆବାସ’ର ହାତଲେଖା ଫଳକକୁ ଫିକା କରି ଦେଉଛି।

ଆଗରୁ ପ୍ରଧାନମନ୍ତ୍ରୀ ଆବାସରେ ଏମିତି ଦ୍ବୈତ ଫଳକ ଲାଗୁ ନ ଥିବା ବେଳେ ଗତ କିଛି ଦିନ ହେଲା ଅନୁଗୁଳ ଜିଲ୍ଲା ପ୍ରଶାସନ ଗାଁ ଗଣ୍ଡାରେ ‘ବିଜୁ ପକ୍କା ଘର’ ନାଁରେ କାହିଁକି ମାର୍ବଲ ଫଳକ ଲଗାଇ ଚାଲିଛି? ଗୋଟିଏ ପଟେ ଜିଲ୍ଲା ପ୍ରଶାସନ ଏହାର କିଛି ନିର୍ଦ୍ଦିଷ୍ଟ ଉତ୍ତର ରଖି ପାରୁନଥିବା ବେଳେ ଅନ୍ୟପଟେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ କେନ୍ଦ୍ର ଯୋଜନାକୁ ନିଜ ନାଁରେ ରାଜ୍ୟ ସରକାର ଏମିତି ହାଇଜାକ୍ କରୁଥିବା ସନ୍ଦେହ କରାଯାଉଛି।

ତଥ୍ୟ ମୁତାବକ, ଦୀର୍ଘ ଦଶନ୍ଧି ତଳୁ ଇନ୍ଦିରା ଆବାସ ନାଁରେ କେନ୍ଦ୍ର ସରକାର ଏହି ଆବାସ ଯୋଜନା ଆରମ୍ଭ କରିଥିଲେ। ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ବ ପରେ ଇନ୍ଦିରା ଆବାସ ନାଁ ପରିବର୍ତ୍ତିତ ହୋଇ ପ୍ରଧାନମନ୍ତ୍ରୀ ଆବାସ କରାଗଲା। ନିର୍ଦ୍ଦିଷ୍ଟ ମସିହା ସୁଦ୍ଧା ସବୁ ମାଟି ଘରକୁ ପକ୍କା କରିବାକୁ ସରକାର ନିର୍ବାଚନୀ ଘୋଷଣା କଲେ। କେନ୍ଦ୍ରର ତାଳେତାଳେ ରାଜ୍ୟ ସରକାର ବି ନିଜର ଏକ ସ୍ବତନ୍ତ୍ର ଆବାସ ଯୋଜନା ଆରମ୍ଭ କଲେ। ଯାହା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁରେ ଚାଲିଲା। ତାକୁ ‘ବିଜୁ ପକ୍କା‌ ଘର’ କୁହାଗଲା। କେନ୍ଦ୍ର ସରକାର ଗୋଟିଏ ଘର ପାଇଁ ଯେମିତି ଏକ ଲକ୍ଷ ୨୦ହଜାର ଟଙ୍କା ଯୋଗାଉଛନ୍ତି, ରାଜ୍ୟ ସରକାର ବି ବିଜୁ ପକ୍କା ଘର ପାଇଁ ଏକ ଲକ୍ଷ ୨୦ହଜାର ଟଙ୍କାର ଅନୁଦାନ ରଖିଲେ।
କିନ୍ତୁ, ଦୁର୍ଭାଗ୍ୟର କଥା ଗତ ୨୦୧୮-୧୯ପରଠାରୁ ଆଉ ବିଜୁ ପକ୍କା ଘରର ଅନୁଦାନ ଆସୁନାହିଁ। କେବଳ ପ୍ରଧାନମନ୍ତ୍ରୀ ଆବାସ ବାବଦକୁ ହିତାଧିକାରୀଙ୍କୁ ଏକ ଲକ୍ଷ ୨୦ହଜାର ଟଙ୍କାର ଅନୁଦାନ ଦିଆ ଚାଲିଛି।

ଏହି ପ୍ରଧାନମନ୍ତ୍ରୀ ଆବାସ ଘର କାନ୍ଥରେ ‘ବିଜୁ ପକ୍କା ଘର’ର ଏକ ମାର୍ବଲ ଖୋଦେଇ ଫଳକ ଲୋକଙ୍କ କାନ୍ଥରେ ମାରି ଦିଆଯାଉଛି। ଘରର ଗୋଟିଏ କାନ୍ଥରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ଦ୍ବୈତ ଫଳକକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ୨୦୧୮-୧୯ଆର୍ଥିକ ବର୍ଷରୁ ଜିଲ୍ଲାକୁ ବିଜୁ ପକ୍କାଘର ଆସୁନଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଘର କାନ୍ଥରେ କାହିଁକି ବିଜୁ ବାବୁଙ୍କର ଫଳକ ଝୁଲୁଛି? ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଘର କାନ୍ଥରେ କେବଳ ପ୍ରଧାନମନ୍ତ୍ରୀ ଆବାସ ବୋଲି କାନ୍ଥରେ ହାତଲେଖା ଫଳକ ଝୁଲୁଥିଲା।

ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ତା’ ପୂର୍ବରୁ କାହିଁକି ହାତଲେଖା ଫଳକ କାନ୍ଥରେ ରାଜ୍ୟ ସରକାର ମାର୍ବଲ ଫଳକ କାନ୍ଥରେ ମାରୁଛନ୍ତି? ପ୍ରଧାନମନ୍ତ୍ରୀ ଆବାସରେ ରାଜ୍ୟ ସରକାରଙ୍କର କିଛି ଅଂଶ ଧନ ଅଛି କି? ଯଦି ଅଛି, ତେବେ ଉଭୟ ଫଳକ ମାର୍ବଲ କରିବା ପରିବର୍ତ୍ତେ ହିତାଧିକାରୀଙ୍କ କାନ୍ଥରେ କେବଳ ‘ବିଜୁ ପକ୍କା ଘର’ କାହିଁକି ଚକ୍‌ଚକ୍‌ କରୁଛି? ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଏ ଦ୍ବୈତ ଫଳକ କାରବାର ଗାଁ ଗଣ୍ଡାରେ ଏକ ପ୍ରକାର ନିର୍ବାଚନୀ ପ୍ରଚାର ନୁହେଁ ତ? ବୁଦ୍ଧିଜୀବୀ ମହଲରେ ଏମିତି ନାନା ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଜିଲ୍ଲା ପ୍ରଶାସନ କିନ୍ତୁ ଏହା ଉପରେ କୌଣସି ଠୋସ୍‌ ଉତ୍ତର ଦେଇ ପାରୁନାହିଁ।


ଆବାସରେ ବିଜୁ ପକ୍କା ଘରର ଫଳକ ଲଗାଇବାର କାରଣ କ’ଣ? ପ୍ରଶ୍ନର ଉତ୍ତରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ ସାହୁ କହିଛନ୍ତି, ସରକାରଙ୍କ ଚିଠି ମୁତାବକ ହିତାଧିକାରୀଙ୍କ ଘରେ ମାର୍ବଲ ଫଳକ ଲଗାଯାଉଛି। ୨୦୧୮ମସିହାରେ ଏ ପ୍ରକାର ଫଳକ ଲଗାଇବା ପାଇଁ ଚିଠି ଆସିଥିଲା। ଏବେ ତାହାକୁ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି। କେନ୍ଦ୍ର ସରକାରଙ୍କର ଏହି ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ କିଛି ଅଂଶୀଦାର ଅଛନ୍ତି କି? ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଆବାସରେ ରାଜ୍ୟ ସରକାର କେତେ ଅଂଶୀଦାର ସେ ଜାଣି ନାହାନ୍ତି। ସରକାରଙ୍କ ଚିଠି ମୁତାବକ କାମ କରାଯାଉଛି ବୋଲି ପିଡି, ଡିଆର୍‌ଡିଏ ଶ୍ରୀ ସାହୁ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର