ରାଉରକେଲା: ନୂଆ ରୂପ ପାଇଛି ସେକ୍ଟର-୫ସ୍ଥ ସେଲ୍‌ ହକି ଏକାଡେମୀର ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ। ପାଖାପାଖି ୧୧.୯୧ କୋଟି ବିନିଯୋଗରେ ଏଠାକାର ଭିତ୍ତିଭୂମି ବିକାଶ କରାଯାଇଛି। ଏଠାରେ ଅତ୍ୟାଧୁନିକମାନର ଡ୍ରେସିଂ ରୁମ୍‌, ଭିଭିଆଇ ଗ୍ୟାଲେରୀ ଆଦି ନିର୍ମାଣ କରାଯାଇଛି। ଏହି ନବୀକୃତ ହକି ଷ୍ଟାଡିୟମକୁ ବୁଧବାର ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ସେଲ୍‌)ର ଅଧ୍ୟକ୍ଷା ସୋମା ମଣ୍ଡଳ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ସେଲ୍‌ ହକି ଏକାଡେମୀ ଓ ଟାଟା ହକି ଏକାଡେମୀ(ଜାମମଶେଦପୁର) ମଧ୍ୟରେ ଏକ ପ୍ରଦର୍ଶନ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ସେଲ୍‌ ଏକାଡେମୀ ୩-୧ ଗୋଲ୍‌ରେ ବିଜୟୀ ହୋଇଛି।

Advertisment

୧୧.୯୧ କୋଟି ବ୍ୟୟରେ ନବୀକରଣ
ଉଦ୍‌ଘାଟନ କଲେ ସେଲ୍‌ ଅଧ୍ୟକ୍ଷା

ରାଉରକେଲା ଓ ଆଖପାଖ ଅଞ୍ଚଳରେ ହକିର ଚାହିଦାକୁ ଦୃଷ୍ଟିରେ ରଖି ୧୯୯୧ ମସିହାରେ ଏଠାରେ ସେଲ୍‌ ହକି ଏକାଡେମୀ ସ୍ଥାପିତ ହୋଇଥିଲା। ୩୨ ଜଣ ଯୁବ ହକି ଖେଳାଳିଙ୍କୁ ଏକାଡେମୀରେ ହକି ପ୍ରଶିକ୍ଷଣ ଦିଆଯାଉଛି। ଏଠାରେ ୨୦୦୫ ମସିହାରେ ପ୍ରଥମେ ଆଷ୍ଟ୍ରୋଟର୍ଫ‌୍ ବିଛାଯାଇଥିଲା। ପରବର୍ତ୍ତୀ ସମୟରେ ଏହା ପୁରୁଣା ହେବାରୁ ଏକ ନୂତନ ଆଷ୍ଟ୍ରେଟର୍ଫ୍‌ର ଆବଶ୍ୟକତା ପଡ଼ିଥିଲା। ଏଣୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) କର୍ତ୍ତୃପକ୍ଷ ପଦକ୍ଷେପ ନେଇଥିଲେ। ସେଲ୍‌ ହକି ଏମାଡେମୀର ଛାତ୍ରାବାସ, ଷ୍ଟାଡିୟମ ନବୀକରଣ ପାଇଁ ଯୋଜନା କରାଯାଇଥିଲା। ଯୋଜନା ମୁତାବକ ଛାତ୍ରାବାସ ନବୀକରଣ, ଆଲୋକବ୍ୟବସ୍ଥା ପାଇଁ ପ୍ରାୟ ୫.୫୦ କୋଟି ଓ ଷ୍ଟାଡିୟମ ନବୀକରଣ ପାଇଁ ୬.୪୧ କୋଟି ବ୍ୟୟ ଅଟକଳ ରଖାଯାଇଥିଲା।

publive-image

ନବୀକରଣପରେ ଏଡି ଷ୍ଟାଡିୟମରେ ନୂତନ ଆଷ୍ଟ୍ରୋଟର୍ଫ‌୍‌, ଖେଳାଳିଙ୍କ ପାଇଁ ୨ଟି ଅତ୍ୟାଧୁନିକମାନର ଡ୍ରେସିଂ ରୁମ୍‌, ବାଥ୍‌ଟବ୍‌, ଜିମ୍‌ର ନିର୍ମାଣ କରାଯାଇଛି। ପୂର୍ବରୁ ଏଠାରେ ସିଟ୍‌ର ବ୍ୟବସ୍ଥା ନ ଥିଲା। ଏବେ କିନ୍ତୁ ଭିଆଇପି ଗ୍ୟାଲେରୀରେ ୫ ଶହ ସିଟ୍‌ ସହ ସେଡ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି। ଗତ ଅକ୍ଟୋବର ପହିଲାରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଷ୍ଟାଡିୟମରେ ଏକକାଳୀନ ୧୫ ହଜାର ଦର୍ଶକ ମ୍ୟାଚ୍‌ର ମଜା ନେଇପାରିବେ। ଗତ ୨୦୦୫ ମସିହାରେ ପ୍ରଥମଥର ପାଇଁ ଆଷ୍ଟ୍ରେଟର୍ଫ‌୍ ବିଛା ଯିବା ସମୟରେ ଏକ ପ୍ରଦର୍ଶନୀ ହକି ମ୍ୟାଚ୍‌ ଖେଳାଯାଇଥିଲା। ସେତେବେଳେ ପ୍ରାୟ ୨୨ ହଜାର ଦର୍ଶକ ଉପସ୍ଥିତ ରହି ମ୍ୟାଚ୍‌ର ମଜା ନେଇଥିଲେ। ଉଲ୍ଲେଖଯୋଗ୍ୟ, ଏଯାବତ୍‌ ସେଲ୍‌ ହକି ଏକାଡେମୀର ୧୨ ଜଣ ଖେଳାଳି ବିଭିନ୍ନ ବର୍ଗରେ ଭାରତୀୟ ହକି ଦଳର ପ୍ରତିନିଧିତ୍ବ କରିଛନ୍ତି। ସେମାନେ ହେଉଛନ୍ତି ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରା, ପୱଲ ଲାକ୍ରା, ଜେରୋମ ଲାକ୍ରା, ଆନନ୍ଦ ଲାକ୍ରା, ସୁଶୀଳ ଖାଲଖୋ, ରାଜେଶ ଲାକ୍ରା, ଶୀଳାନନ୍ଦ ଲାକ୍ରା, ସୁବୋଧ ତିର୍କୀ, ପଙ୍କଜ ରଜାକ ଓ କେ. ସୁମେଶ କାନ୍ତା। ମଣିପୁରର ଜଣେ ଖେଳାଳି ଭାରତୀୟ କନିଷ୍ଠ ଦଳରେ ମଧ୍ୟ ସାମିଲ ହୋଇଥିଲେ।