ରାଉରକେଲା : ଜିଲ୍ଲାରେ ଖେଳର ବିକାଶ ପାଇଁ ରାଜ୍ୟ ସରକାର‌ ପାନପୋଷ ଇନ୍‌ଡ଼ୋର ଷ୍ଟାଡିୟମ ନିର୍ମାଣ କରିଛନ୍ତି। ସ୍ମାର୍ଟସିଟି ପାଣ୍ଠିରୁ ୧୧ କୋଟି ୬ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ହୋଇଛି। ବାହାରକୁ ଚକାଚକ୍‌ ଦେଖାଯାଉଛି। ହେଲେ ଭିତରେ ଖେଳାଳୀଙ୍କୁ ଯେତିକି ସୁବିଧା ମିଳିବା କଥା ତା’ ମିଳୁନି। ନିମ୍ନମାନର କାମ ଯୋଗୁ ‌ବିଭିନ୍ନ ଅଞ୍ଚଳରୁ ତାଲିମ ପାଇଁ ଆସୁଥିବା ଖେଳାଳୀମାନେ ନାହିଁ ନଥିବା ଅସୁବିଧା‌ରେ ସମ୍ମୁଖୀନ ହେଉଛନ୍ତି। କିଛି ଖେଳାଳୀଙ୍କ କହିବାନୁଯାୟୀ ରକ୍ଷଣାବେକ୍ଷଣ ଅଭାବରୁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଦ୍ବାରା ପରିଚାଳିତ ଷ୍ଟାଡ଼ିୟମରୁ ଖେଳାଳୀମାନେ ମୁହଁ ମୋଡ଼ିବାକୁ ବାଧ୍ୟ ହେଲେଣି। ଇନ୍‌ଡ଼ୋର ଷ୍ଟାଡିୟମ ଭିତରେ ଏସି ଆଦୌ କାମ ଦେଉନି। ସକାଳ ଓ ସଂଧ୍ୟାରେ ଯେଉଁମାନେ ତାଲିମ ନେଉଛନ୍ତି, ସେମାନେ ଗରମରେ ସିଝୁଛନ୍ତି। ଭିତରେ ଯେତିକି ଲାଇଟ୍‌ ଲାଗିଛି, ଅଧିକାଂଶ ଲାଇଟ୍‌ ଠିକ୍‌ ଭାବେ ଜଳୁନି। ବର୍ଷା ହେଲେ ଉପରୁ ଛାତରୁ କେତେକ ସ୍ଥାନରେ ପାଣି ଗଳୁଛି। ଶୌଚାଳୟର ପରିମଳ ବ୍ୟବସ୍ଥା କଥା ନ କହିବା ଭଲ।

Advertisment

publive-image

ଗତ କିଛି ମାସ ଧରି ଏଭଳି ସମସ୍ୟା ଜାରି ରହିଥିଲେ ହେଁ ଆର୍‌ଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା କିଛି ଖେଳାଳୀ ଅଭିଯୋଗ କରିଛନ୍ତି। ସକାଳ ଓ ସଂଧ୍ୟାରେ ପ୍ରାୟ ୧୦୦ରୁ ଅଧିକ ଖେଳାଳୀ ତାଲିମ ନେଉଛନ୍ତି। ପ୍ରତ୍ୟେକ ଖେଳାଳୀ ତାଲିମ ବାବଦରେ ମାସିକ ୮୦୦ ଟଙ୍କା ଲେଖାଏଁ ଦେଉଛନ୍ତି। ସେପଟେ ଉଦ୍‌ଘାଟନକୁ ମାତ୍ର କେଇ ମାସ ନ ପୁରୁଣୁ ଇନ୍‌ଡୋର ଷ୍ଟାଡିୟମରେ ଭିତରେ ପାଣି ଗଳିବା, ଏସି କାମ ନ କରିବା ନିର୍ମାଣ କାମର ଗୁଣବତ୍ତାକୁ କେତେ ଧ୍ୟାନ ଦିଆଯାଇଛି, ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି। ଠିକା ସଂସ୍ଥା ଓ କାର୍ଯ୍ୟ ତଦାରଖ ଦାୟିତ୍ବରେ ଥିବା ଅଧିକାରୀଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ। ଷ୍ଟାଡ଼ିୟମ ଖୋଲିବାର ମାତ୍ର ବର୍ଷକ ମଧ୍ୟରେ ଯଦି ଏମିତି ସମସ୍ୟା ଉପୁଜିଛି, ଆଗାମୀ ଦିନରେ ଏହା ଖେଳାଳୀମାନଙ୍କୁ ତାଲିମ ଦେବାରେ କେତେ ସହାୟକ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ, ପ୍ରାୟ ୧୧ କୋଟି ୬ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ବିଜୁ ପଟ୍ଟନାୟକ ଇନ୍‌ଡ଼ୋର ଷ୍ଟାଡିୟମକୁ ଗତ ୨୦୨୧ ଡିସେମ୍ବର ୧୬ରେ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ଉଦ୍‌ଘାଟନ ହେବାର ପ୍ରାୟ ବର୍ଷକ ପରେ ‌ଷ୍ଟାଡ଼ିୟମ ଖୋଲିଥିଲା। ‌ଷ୍ଟାଡ଼ିୟମରେ ଭଲିବଲ୍‌, ବ୍ୟାଡ଼ମିଣ୍ଟନ କୋର୍ଟ, ଟେବୁଲ ଟେନିସ୍‌, ଜିମ୍‌ ସହ ଅନ୍ୟାନ୍ୟ ସୁବିଧା ରହିଛି। ଷ୍ଟାଡିୟମର ୩୫୦ ଦର୍ଶକ ଏକକାଳୀନ ବସି ଖେଳ ଉପଭୋଗ କରିପାରିବେ।