ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଶ୍ରେଷ୍ଠ ବିମାନବନ୍ଦର ସମ୍ମାନ

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ବରକୁ ଏୟାରପୋର୍ଟ ସର୍ଭିସ କ୍ବାଲିଟି ଆୱାର୍ଡ-୨୦୧୮ ମିଳିଛି। ବିମାନବନ୍ଦରର ଆକାର ଏବଂ କ୍ଷେତ୍ର ଦୃଷ୍ଟିରୁ ଭୁବନେଶ୍ବର ବିମାନବନ୍ଦରକୁ ଶ୍ରେଷ୍ଠ ବିମାନବନ୍ଦରର ମାନ୍ୟତା ମିଳିଛି। ଏସିଆ ମହାଦେଶର ୨ରୁ ୫ମିଲିଅନ ଯାତ୍ରୀ ଯାତାୟାତ କରୁଥିବା ବିମାନବନ୍ଦର ଶ୍ରେଣୀରେ ଭୁବନେଶ୍ବର ବିମାନବନ୍ଦରକୁ ଏହି ସମ୍ମାନ ମିଳିଛି। ଏୟାରପୋର୍ଟ କାଉନସିଲ୍‌ ଇଣ୍ଟରନ୍ୟାସନାଲ୍‌ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଭୁବନେଶ୍ବର ବିମାନବନ୍ଦର ସମେତ ଚଣ୍ଡୀଗଡ଼ ବିମାନବନ୍ଦର, ଦେବୀ ଅହଲ୍ୟାବାଇ ହୋଲକାର ବିମାନବନ୍ଦର, ଏସ୍‌ଏମ୍‌ ବଦ୍ଦାରୁଦ୍ଦିନ୍ ୨ ବିମାନବନ୍ଦର, ଏସ୍‌ଏସ୍‌ କାସିମ ୨ ବିମାନବନ୍ଦର, ୟିଚାଙ୍ଗ ସାଙ୍କସିଆ ବିମାନବନ୍ଦରକୁ ବି ଏହି ସମ୍ମାନ ମିଳିଛି। ଭୁବନେଶ୍ବର ବିମାନବନ୍ଦରକୁ ଶ୍ରେଷ୍ଠ ବିମାନବନ୍ଦରର ମାନ୍ୟତା ତଥା ଏୟାରପୋର୍ଟ ସର୍ଭିସ କ୍ବାଲିଟି ଆୱାର୍ଡ-୨୦୧୮ ମିଳିବା ପରେ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ଯେ, ଏହି ସମ୍ମାନ ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ସମ୍ମାନ ଦ୍ବାରା ବିଶ୍ବ ବିମାନବନ୍ଦର ସମୂହରେ ଭୁବନେଶ୍ବର ବିମାନବନ୍ଦର ତା’ର ସ୍ଥିତି ଜାହିର୍‌ କରିଛି।

ସୂଚନାଯୋଗ୍ୟେ, ଏୟାରପୋର୍ଟ କାଉନସିଲ୍‌ ଇଣ୍ଟରନ୍ୟାସନାଲ୍‌ ପକ୍ଷରୁ ବିମାନବନ୍ଦରକୁ ଆସୁଥିବା ଯାତ୍ରୀଙ୍କ ମତାମତକୁ ନେଇ ଏହି ସର୍ଭେ ହୋଇଥିଲା।

ସମ୍ବନ୍ଧିତ ଖବର