ବିଜୁଙ୍କ ଜୟନ୍ତୀ ପାଇଁ ସର୍ବାଧିକ ଖର୍ଚ୍ଚ

ଭୁବନେଶ୍ୱର : ରାଜ୍ୟ ସରକାର ୨୬ ଜଣ ମହାପୁରୁଷଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପାଳନ କରୁଛନ୍ତି। ଏହି ଉତ୍ସବର ଆୟୋଜନ କରୁଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ୨୦୧୬-୧୭ ଆର୍ଥିକ ବର୍ଷରେ ଏ ବାବଦକୁ ମୋଟ୍‌ ଖର୍ଚ୍ଚ ହୋଇଛି ୮୩ ଲକ୍ଷ ୭୪ ହଜାର ଟଙ୍କା। ଏହା ମଧ୍ୟରୁ କେବଳ ବିଜୁଙ୍କ ଜୟନ୍ତୀ ଓ ଶ୍ରାଦ୍ଧରେ ଖର୍ଚ୍ଚ ହୋଇଛି ୫୨ ଲକ୍ଷ ଟଙ୍କାରୁ ଅଧିକ। ଅବଶିଷ୍ଟ ୨୫ ଜଣଙ୍କ ପାଇଁ ଖର୍ଚ୍ଚ ହୋଇଛି ୩୧ ଲକ୍ଷ ଟଙ୍କା। ଆଜି ବିଧାନସଭାରେ ବିଜେପି ବିଧାୟକ ରବି ନାରାୟଣ ନାଏକଙ୍କ ଏକ ପ୍ରଶ୍ନରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ତଥ୍ୟ ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ୫୦ ଲକ୍ଷ ୬୯ ହଜାର ଟଙ୍କା ଖର୍ଚ୍ଚ କରିଛି। ଏପ୍ରିଲ୍‌ ୧୭ ତାରିଖରେ ବିଜୁଙ୍କ ଶ୍ରାଦ୍ଧ ଦିବସ ପାଇଁ ଖର୍ଚ୍ଚ ହୋଇଛି ୧ ଲକ୍ଷ ୫୪ ହଜାର ଟଙ୍କା। ବିଜୁଙ୍କ ବାଦ୍‌ ସବୁ ମହାପୁରୁଷଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ୨ ଲକ୍ଷ ଟଙ୍କା ଭିତରେ ସୀମିତ ରହିଛି। ରାଜ୍ୟସ୍ତରୀୟ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ କାର୍ଯ୍ୟକ୍ରମ କେବଳ ରାଜଧାନୀରେ ଆୟୋଜନ କରାଯାଉଛି। ଅନ୍ୟ ସ୍ଥାନରେ ଏପରି ଉତ୍ସବ ପାଳନ ନିମନ୍ତେ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ମନ୍ତ୍ରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର