ରାତି ଅଧରେ ଭଙ୍ଗାଗଲା ବିଜୁବାବୁଙ୍କ ସମାଧି

ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟୀକରଣ

ପୁରୀ : ବୁଧବାର ବିଳମ୍ବିତ ରାତିରେ ସ୍ବର୍ଗଦ୍ବାରରେ ଥିବା ବିଜୁବାବୁଙ୍କ ସ୍ମୃତିପୀଠ ତଥା ସମାଧିସ୍ଥଳକୁ ଉଚ୍ଛେଦ କରାଯାଇଛି। ୨୦ ବର୍ଷର ବିଜୁବାବଙ୍କୁ ଏହି ସମାଧିସ୍ଥଳକୁ ସଂପୂର୍ଣ୍ଣ ଭାଙ୍ଗି ଏହାର ଭଗ୍ନାବଶେଷ ସ୍ଥାନାନ୍ତର ପ୍ରକ୍ରିୟା ବି ଆରମ୍ଭ ହୋଇଛି।

ସ୍ବର୍ଗଦ୍ବାରରେ ଶବଦାହ ପାଇଁ ଦିନରେ ଲୋକଙ୍କ ଭିଡ଼ ରହୁଥିବାରୁ ରାତି ଅଧରେ ପ୍ରଶାସନ ଜେସିବି ଲଗାଇ ଏହାକୁ ଭାଙ୍ଗି ଦେଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରାତି ପାହିଲା ବେଳକୁ ବିଜୁବାବୁଙ୍କ ସମାଧିସ୍ଥଳ ଓ ସ୍ମୃତିପୀଠ ଭଙ୍ଗା ସରିଥିବା ଲୋକେ ଦେଖିଥିଲେ। ଅନ୍ୟପକ୍ଷରେ ସକାଳୁ ଅନ୍ୟାନ୍ୟ ‌ଉଚ୍ଛେଦ ପ୍ରକ୍ରିୟା ପାଇଁ ବେଳାମାର୍ଗ ପାର୍ଶ୍ବରୁ ସ୍ବର୍ଗଦ୍ବାରକୁ ଯାଇଥିବା ପ୍ରବେଶ ପଥକୁ ବି ବନ୍ଦ କରି ଦିଆଯାଇଛି। ଆତ୍ମୀୟସ୍ବଜନମାନେ ସମୁଦ୍ରରେ ସ୍ନାନ ପରେ ଅନ୍ୟରାସ୍ତାରେ ସ୍ବର୍ଗଦ୍ବାରକୁ ପ୍ରବେଶ କରି ଶ୍ରାଦ୍ଧ ଆଦି କାର୍ଯ୍ୟ କରୁଛନ୍ତି।

୧୯୯୭ ମସିହା ଏପ୍ରିଲ ୧୭ରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା। ହଜାର ହଜାର ଲୋକଙ୍କ ଗହଣରେ ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହି ସ୍ମୃତିକୁ ଉଜ୍ଜୀବୀତ କରି ରଖିବା ଲକ୍ଷ୍ୟରେ ପୁରୀ ପୌରସଂସ୍ଥା ପକ୍ଷରୁ ୧୯୯୯ ମସିହାରେ ସ୍ବର୍ଗଦ୍ବାରରେ ଯେଉଁ ସ୍ଥାନରେ ବିଜୁବାବୁଙ୍କ ଶେଷକୃତ୍ୟ କରାଯାଇଥିଲା, ସେହି ସ୍ଥାନରେ ବିଜୁବାବୁଙ୍କ ସମାଧି ନିର୍ମାଣ କରାଯାଇଥିଲା। ଯାହାକୁ ବିଜୁ ପଟ୍ଟନାୟକ ସ୍ମୃତିପୀଠ ନାମରେ ନାମିତ କରାଯାଇଥିଲା। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମାଧିପୀଠକୁ ଉଦ୍‌ଘାଟନ କରିଥିଲେ। ତେବେ ଦୀର୍ଘ ୨୦ ବର୍ଷ ପରେ ସ୍ବର୍ଗଦ୍ବାରର ସୌନ୍ଦର୍ଯ୍ୟୀକରଣ ଲକ୍ଷ୍ୟ ନେଇ ଗତ ‌ନଭେମ୍ବରରେ ଖୋଦ୍ ମୁଖ୍ୟମନ୍ତ୍ରୀ ବାପାଙ୍କ ସମାଧି ପୀଠକୁ ଭଙ୍ଗାଯିବ ବୋଲି ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଜନସାଧାରଣଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା କହିଥିଲେ। ସୌନ୍ଦର୍ଯ୍ୟୀକରଣର ନକ୍ସା ପ୍ରସ୍ତୁତ କରି ବିକାଶ ପାଇଁ ୫ କୋଟି ଟଙ୍କାର ଅନୁଦାନ ରାଶି ବି ଘୋଷଣା କରିଥିଲେ।

ଏହା ପରେ ପୁରୀ ଜିଲ୍ଲା ପ୍ରଶାସନ ସ୍ବର୍ଗଦ୍ବାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି। ଏଠାରେ ଥିବା ପୁରୁଣା ଶ୍ରାଦ୍ଧ ଘର, ପାଚେରି , ୭୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶବଦାହ ଚିମିନି ସହ ଅନ୍ୟାନ୍ୟ ଘର ସବୁ ଭଙ୍ଗାଯାଇଛି। ଏହି ଭଗ୍ନାବଶେଷ ଅନ୍ୟତ୍ର ସ୍ଥାନାନ୍ତର ପରେ ଶବଦାହ ପାଇଁ ଏହି ପାର୍ଶ୍ବକୁ କାମରେ ଲଗାଯାଇଛି। ମୃତକଙ୍କ ଆତ୍ମୀୟସ୍ବଜନମାନେ ଏହି ପାର୍ଶ୍ବରେ ମୃତଦେହ ଦାହ କରୁଥିବାବେଳେ ମଝିରେ ଟିଣର ବାଡ଼ ପକାଇ ପ୍ରଶାସନ ଅନ୍ୟପାର୍ଶ୍ବ ଉଚ୍ଛେଦ ଆରମ୍ଭ କରିଛି। କିଛି ଛୋଟମୋଟ ଘର ଭାଙ୍ଗିବା ପରେ ଗତକାଲି ବିଳମ୍ବିତ ରାତିରେ ଅତ୍ୟନ୍ତ ଗୋପନୀୟ ଭାବେ ଜିଲ୍ଲା ପ୍ରଶାସନ ବିଜୁବାବୁଙ୍କ ସମାଧିପୀଠକୁ ଜେସିବି ଲଗାଇ ଭାଙ୍ଗି ଦେଇଛି। ଏବେ ବି ଭଗ୍ନାବଶେଷ ପଡ଼ି ରହିଥିବାବେଳେ ଶବଦାହ କାର୍ଯ୍ୟ କମିବା ପରେ ଅର୍ଥାତ ଆଜି ରାତିରେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ଯୋଜନା କରିଛି।

ସମ୍ବନ୍ଧିତ ଖବର