ବିଜୁ ପଟ୍ଟନାୟକ ପୁଲିସ ଏକାଡେମିକୁ ଶ୍ରେଷ୍ଠ ପ୍ରତିଷ୍ଠାନ ମାନ୍ୟତା

ମିଳିଲା ଟ୍ରଫି ଓ ୨୦ ଲକ୍ଷ ଟଙ୍କା

ଭୁବନେଶ୍ବର : ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମି(ବିପିଏସ୍‌ପିଏ) ସମଗ୍ର ଦେଶର ଶ୍ରେଷ୍ଠ ପ୍ରଶିକ୍ଷଣ ଅନୁଷ୍ଠାନ ଭାବରେ ମାନ୍ୟତା ପାଇବା ସହ ୨୦୨୦-୨୧ ବର୍ଷ ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଟ୍ରଫି ହାସଲ କରିଛି। ଗେଜେଟେଡ୍‌ ଅଫିସର୍ସ ବିଭାଗରେ ଏହି ଅନୁଷ୍ଠାନ ଦେଶର ସମସ୍ତ ପ୍ରତିଷ୍ଠାନକୁ ପଛରେ ପକାଇ ଏହି ଗୌରବ ହାସଲ କରିଛି। ଏହି ମାନ୍ୟତା ପାଇଁ ଟ୍ରଫି ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି। ଏବେ ଏକାଡେମି ନିର୍ଦେଶକ ଭାବେ ବରିଷ୍ଠ ଆଇପିଏସ୍ ତଥା ଏଡିଜି ଅରୁଣ କୁମାର ଷଡ଼ଙ୍ଗୀ ଅଛନ୍ତି।

ପୂର୍ବରୁ ୨୦୧୫-୧୬, ୨୦୧୬-୧୭, ୨୦୧୮-୨୦୧୯ ଓ ୨୦୧୯-୨୦୨୦ ବର୍ଷ ପାଇଁ ମଧ୍ୟ ଏହି ଅନୁଷ୍ଠାନ କେନ୍ଦ୍ର ଗୃହ ମନ୍ତ୍ରୀ ପୂର୍ବଜୋନ୍‌ ସ୍ତରୀୟ ଟ୍ରଫି ହାସଲ କରିଥିଲା। କିନ୍ତୁ ଏଥର ପ୍ରଥମ ଥର ପାଇଁ ଦେଶର ଶ୍ରେଷ୍ଠ ପୁଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନର ମାନ୍ୟତା ପାଇଥିବାରୁ ରାଜ୍ୟ ଗୃହ ବିଭାଗକୁ ସବୁ ଦିଗରୁ ପ୍ରଶଂସାର ସୁଅ ଛୁଟିଛି। ୨୦୦୫ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନରେ ସିଧାସଳଖ ନିଯୁକ୍ତି ପାଉଥିବା ଓପିଏସ୍‌ ଅଫିସରଙ୍କ ସମେତ ଏସ୍‌ଆଇ, ସର୍ଜେଣ୍ଟ୍‌, ଡେପୁଟି ସୁବେଦାରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଆଜି ପର୍ଯ୍ୟନ୍ତ ଏହି ପ୍ରତିଷ୍ଠାନ ୬ଟି ବ୍ୟାଚ୍‌ରେ ୬୫ ଓପିଏସ୍‌ ଅଫିସର, ୨୪ଟି ବ୍ୟାଚ୍‌ରେ ୩୨୦୦ ଏସ୍‌ଆଇ, ସର୍ଜେଣ୍ଟ୍‌ ଓ ଡେପୁଟି ସୁବେଦାରଙ୍କୁ ପ୍ରଶିକ୍ଷଣ ଦେଇ ସାରିଛି। ଏହା ସହିତ ଏହି ପ୍ରତିଷ୍ଠାନରେ ପୁଲିସ ଏଏସ୍‌ଆଇ, ଅବକାରୀ, ପରିବହନ, ବନବିଭାଗ, କାରାଗାର ଓ କେନ୍ଦ୍ରୀୟ ଅବକାରୀ ବିଭାଗ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। କ୍ଲାସ୍‌ରୁମ୍‌ ପ୍ରଶିକ୍ଷଣ ସହ ଅନ୍‌ଲାଇନ୍‌ରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି। ଏହି ପ୍ରତିଷ୍ଠାନର ଗୁଣାତ୍ମକ ବିକାଶ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସମ୍ବନ୍ଧିତ ଖବର