ଭୁବନେଶ୍ୱର: ପୁଲିସ ଚାକିରି କଲେ ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡ଼ିଥାଏ। ଗରିବ, ମହିଳା ଓ ପିଲାମାନଙ୍କର ସୁରକ୍ଷା ପୁଲିସ ଉପରେ ନିର୍ଭର କରେ। ୟୁନିଫର୍ମ ସର୍ଭିସ୍କୁ ଗର୍ବ ଓ ଜନସାଧାରଣଙ୍କ ସେବାର ଏକ ମାଧ୍ୟମ ଭାବେ ଗ୍ରହଣ କରିବାକୁ ଆପଣମାନଙ୍କୁ ସର୍ବଦା ପ୍ରସ୍ତୁତ ରହିବାକୁ ହେବ। ସାଧାରଣ ଲୋକମାନଙ୍କର ବିଶ୍ୱାସଭାଜନ ହେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି।
ଆଜି ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ଅନୁଷ୍ଠିତ ଅଷ୍ଟମ ଡିଏସ୍ପି ଓ ଦ୍ବାଦଶ ଏସ୍ଆଇ (ପ୍ରୋବେସନାଲ୍) ଶିକ୍ଷାନବିସ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ ଆଜିଠାରୁ ଆପଣମାନଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଆମ ସରକାର ଶପଥ ନେଇଛି। ସେ ଦିଗରେ ଆପଣମାନେ ପ୍ରମୁଖ ଭୂମିକା ତୁଲାଇବେ। ଆପଣଙ୍କ ଦକ୍ଷତା, ନ୍ୟାୟ ପ୍ରଦାନ, ଜନତାଙ୍କ ସୁରକ୍ଷା, ଆଇନଶୃଙ୍ଖଳା ରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ମାଓବାଦୀ ଦମନ କ୍ଷେତ୍ରରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ପୁଲିସ ପାଇଁ କଲ୍ୟାଣମୂଳକ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାର ଯତ୍ନବାନ ରହିବେ।
ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ଶିକ୍ଷାନବିସ ଦୀକ୍ଷାନ୍ତ ସମାରୋହ
୪ ଡିଏସ୍ପି, ୧୭୧ ଏସ୍ଆଇଙ୍କ ପାସିଂ ଆଉଟ୍ ପରେଡ୍
ଲୋକବଳ ଅଭାବରୁ ପୁଲିସ ଚାପଗ୍ରସ୍ତ ରହୁଥିବାରୁ ଏହାକୁ ଦୂର କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ପୁଲିସ ପ୍ରଶିକ୍ଷଣକୁ ଆହୁରି ଗତିଶୀଳ ଓ ଲୋକାଭିମୁଖୀ କରିବା ପାଇଁ ଆଗାମୀ ଦିନରେ ତାଲିମ ଭିତ୍ତିଭୂମିର ବିକାଶ ପାଇଁ ବିଶେଷ ଧ୍ୟାନ ଦିଆଯିବା ନେଇ ସେ ପ୍ରତିଶ୍ରୁତି ଦେଇଥିଲେ। ଅନୁରୂପ ଭାବେ ଖାଲି ପଡ଼ିଥିବା ବିଭିନ୍ନ ପଦ ପଦବିକୁ ପୂର୍ଣ୍ଣ କରିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟ ସରକାର ଏଥିପାଇଁ ଚେଷ୍ଟିତ। ନୂଆ ପଦବି ସୃଷ୍ଟି କରିବାକୁ ମଧ୍ୟ ପଦକ୍ଷେପ ନିଆଯାଉଛି। ପୁଲିସ ସେବାକୁ ଯୁଗୋପଯୋଗୀ କରିବା ଲାଗି ପ୍ରତ୍ୟେକ ଏସ୍ଆଇଙ୍କୁ ବାଇକ୍, ଲାପ୍ଟପ୍, ମୋବାଇଲ ଓ ପେନ୍ଡ୍ରାଇଭ୍ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପାସିଂ ଆଉଟ୍ ପରେଡ୍ରେ ଅଭିବାଦନ ଗ୍ରହଣ କରିବା ସହିତ ମୌଳିକ ତାଲିମ ସମ୍ପୂର୍ଣ୍ଣ କରିଥିବା ୪ ଜଣ ଡିଏସ୍ପି ଓ ୧୭୧ ଜଣ ଏସ୍ଆଇଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଶିକ୍ଷାନବିସଙ୍କୁ ପୁରସ୍କୃତ କରିଥିଲେ। ଡିଜିପି ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଶିକ୍ଷାନବିସଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏକାଡେମୀର ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଆରକ୍ଷୀ ମହାନିରୀକ୍ଷକ (ତାଲିମ) ଅନୁପ କୁମାର ସାହୁଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ, ପ୍ରଶିକ୍ଷକ, କର୍ମଚାରୀ ଏବଂ ଅଭିଭାବକ ଉପସ୍ଥିତ ଥିଲେ।