ଭୁବନେଶ୍ୱର : କୁଳପତି ନାହାନ୍ତି। ଯିଏ କାମ ଚଳାଉଛନ୍ତି, ସେ ସରକାରଙ୍କ ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବିରେ ଅଛନ୍ତି। ଇସ୍ତଫା ପରେ ନାମକୁ ମାତ୍ର ରହିଛନ୍ତି କୁଳସଚିବ। ୪୬୧ ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦବି ମଧ୍ୟରୁ ଅର୍ଦ୍ଧାଧିକ ଅର୍ଥାତ ୨୩୩ ପଦବି ଖାଲି। ଅଣଶିକ୍ଷକ ପଦବିରୁ ମଧ୍ୟ ପାଖାପାଖି ୪୦ ପ୍ରତିଶତ ଫାଙ୍କା।
ଏହା ହେଉଛି ଓଡ଼ିଶାର ବୈଷୟିକ ଶିକ୍ଷାକୁ ନିୟନ୍ତ୍ରଣ କରୁଥିବା ‘ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ’ର ସ୍ଥିତି। ବିଶ୍ୱବିଦ୍ୟାଳୟ ଗଠନ ପର ଠାରୁ ହିଁ ଏହାକୁ ବିକଳାଙ୍ଗ ସ୍ଥିତିରେ ସରକାର ଛାଡ଼ି ଦେଇଛନ୍ତି। ସମସ୍ୟା ପ୍ରତି ନଜର ନ ଥିଲେ ବି ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କୁ ଏଠାରେ ‘ପ୍ରୋ-ଚାନ୍ସେଲର୍’ ପଦବି ଦେବା ପାଇଁ ସରକାରୀ ସ୍ତରରେ ବେଶ୍ କସରତ ହୋଇଛି। ରାଜ୍ୟପାଳ ବିଲ୍ ଫେରାଇଦେଇଥିଲେ। ହେଲେ ସରକାର ନଛୋଡବନ୍ଧା। ପୁଣି ଥରେ ରାଜ୍ୟପାଳଙ୍କ ପାଖକୁ ପଠାଇବାକୁ ଯୋଜନା ଚାଲିଛି।
ଅଗଷ୍ଟ ମାସରେ ବିପିୟୁଟିର କୁଳପତି ଏସ୍ ଏସ୍ ପଟ୍ଟନାୟକ ଇସ୍ତଫା ଦେଲା ପରେ ବୈଷୟିକ ଶିକ୍ଷା ସଚିବ ସଞ୍ଜୟ ସିଂହଙ୍କୁ ଭାରପ୍ରାପ୍ତ
କୁଳପତି ଭାବେ ଦାୟିତ୍ୱ ଦିଆଯାଇଛି। ଶ୍ରୀ ସିଂହ ପୂର୍ବରୁ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବିରେ ଅଛନ୍ତି। ସେ ବୈଷୟିକ ଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରିବା ସହ ଇଡ୍କୋ ସିଏମ୍ଡି ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି। ପୁଣି ବିପିୟୁଟି କାର୍ଯ୍ୟାଳୟ ରାଉରକେଲାରେ। ଶ୍ରୀ ସିଂହ ଦାୟିତ୍ୱ ନେବାର ଅଢ଼େଇ ମାସ ହୋଇଯାଇଥିଲେ ବି ଦିନଟିଏ ରାଉରକେଲା ବିପିୟୁଟି କାର୍ଯ୍ୟାଳୟରେ ପାଦ ଦେଇ ନାହାନ୍ତି। ତେଣୁ ସେ କିପରି ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିବେ, ତାହା ସହଜରେ ଅନୁମେୟ। ସେହିପରି ବର୍ତ୍ତମାନର କୁଳସଚିବ ଇସ୍ତଫା ଦେଇଥିବାରୁ ତାଙ୍କ ସ୍ଥାନରେ ସରକାର ଜଣେ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କୁଳସଚିବ ପୁଣି ତାଙ୍କ କାର୍ଯ୍ୟ ଜାରି ରଖିଛନ୍ତି। ଏହା ଏବେ ରହସ୍ୟଜନକ ହୋଇ ରହିଛି।
ବର୍ତ୍ତମାନ ବିପିୟୁଟି ଓ ଏହାର ଅଧୀନସ୍ଥ ସରକାରୀ ବୈଷୟିକ କଲେଜ ଭୁବନେଶ୍ୱରର ସିଇଟି, ବ୍ରହ୍ପୁରର ପିଏମ୍ଇସି, କେନ୍ଦୁଝରର ଜିସିଇ, କଳାହାଣ୍ଡିର ଜିସିଇ ଓ କଟକର ଆଇଏମ୍ଆଇଟିରେ ମୋଟ୍ ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦବି ହେଲା ୪୬୧। ତାହା ମଧ୍ୟରୁ ପ୍ରଫେସର ୬୩, ଆସୋସିଏଟ୍ ପ୍ରଫେସର ୧୪୦ ଓ ଆସିଷ୍ଟାଣ୍ଟ୍ ପ୍ରଫେସର ୨୫୮। କିନ୍ତୁ ୪୬୧ ପଦବି ମଧ୍ୟରୁ ଖାଲି ପଡ଼ିଛି ୨୩୩। ଅର୍ଥାତ ବର୍ତ୍ତମାନ ୫୮ ପ୍ରଫେସର, ୧୦୯ ଆସୋସିଏଟ୍ ପ୍ରଫେସର ଓ ୬୬ ଆସିଷ୍ଟାଣ୍ଟ୍ ପ୍ରଫେସର ପଦବି ଖାଲି ରହିଛି। ସେହିପରି ବିପିୟୁଟି ଓ ଏହା ଅଧୀନସ୍ଥ ଅନ୍ୟ କଲେଜଗୁଡ଼ିକରେ ମଞ୍ଜୁରିପ୍ରାପ୍ତ ଅଣଶିକ୍ଷକ ପଦବି(ପ୍ରଶାସନିକ ଅଧିକାରୀ, ଗ୍ରୁପ୍ ସି ଓ ଗ୍ରୁପ୍ ଡି) ରହିଛି ୨୩୧। ତାହା ମଧ୍ୟରୁ ଖାଲି ପଡ଼ିଛି ପାଖାପାଖି ୪୦ ପ୍ରତିଶତ ଅର୍ଥାତ ୮୬ଟି ପଦବି। ଗତ ବିଧାନସଭା ଅଧିବେଶନ ସମୟରେ ବିିଭାଗୀୟ ମନ୍ତ୍ରୀ ବିଧାନସଭାରେ ଏହାକୁ ସ୍ୱୀକାର କରିଥିଲେ।
ରାଜ୍ୟରେ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଛତୁ ଫୁଟିଲା ପରି ଗଢ଼ି ଉଠିଲା ପରେ ସରକାର ବୈଷୟିକ ବିଶ୍ୱବିଦ୍ୟାଳୟ କଥା ଚିନ୍ତା କଲେ। ୨୦୦୨ରେ ବିପିୟୁଟି ଗଠନ କରି ସବୁ କଲେଜକୁ ଏହା ଅଧୀନକୁ ଆଣିଲେ। କିନ୍ତୁ ଖୋଦ୍ ବିପିୟୁଟି ଓ ଏହାର ଅଧୀନସ୍ଥ ସରକାରୀ କଲେଜଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ଉଦ୍ୟମ କଲେ ନାହିଁ। ବୈଷୟିକ ଶିକ୍ଷାର ସ୍ଥିତିକୁ ଦେଖି ସରକାର ଓଡ଼ିଶାକୁ ପୂର୍ବ ଭାରତର ‘ଶିକ୍ଷା ହବ୍’ ବୋଲି ବେଶ୍ ପ୍ରଚାର କରୁଛନ୍ତି। କିନ୍ତୁ ଖୋଦ୍ ସରକାରୀ ଅବେହଳା ଯୋଗୁଁ ବିପିୟୁଟି ବୈଷୟିକ ଶିକ୍ଷାକୁ ଠିକଣା ଦିଗ ଦେଖାଇପାରିଲା ନାହିଁ। ଆରମ୍ଭରୁ ହିଁ ବିପିୟୁଟି ଅନେକ ସମସ୍ୟା ଦେଇ ଗତି କରୁଛି। ଛାତ୍ର ଅଶାନ୍ତି, ଠିକ୍ ସମୟରେ ପରୀକ୍ଷା ନ ହେବା ଓ ଫଳ ପ୍ରକାଶ ନ ପାଇବା ଆଦି ସମସ୍ୟା ବିପିୟୁଟିକୁ ଅତୀତରେ ବେଶ୍ ବଦନାମ କରିଛି।
ବର୍ତ୍ତମାନ ବିପିୟୁଟି ଅନୁବନ୍ଧିତ ୧୪୯ଟି କଲେଜ ରହିଛି। ଏହି କଲେଜଗୁଡ଼ିକ ଇଞ୍ଜିନିୟରିଂ, ଫାର୍ମାସି, ଏମ୍ବିଏ, ଏମ୍ସିଏ ଓ ଆର୍କିଟେକ୍ଚର୍ ଆଦି ପାଠ୍ୟକ୍ରମରେ ଶିକ୍ଷା ଦେଉଛନ୍ତି। କଲେଜଗୁଡ଼ିକ ପାଇଁ ବିପିୟୁଟି ଗାଇଡ୍ଲାଇନ୍ ପ୍ରସ୍ତୁତ କରିଛି ସତ। କିନ୍ତୁ ବୈଷୟିକ ଶିକ୍ଷାର ମାନକୁ ଆହୁରି ଉପରକୁ ନେବା ପାଇଁ ବିପିୟୁଟି ଯେଉଁ ଭୂମିକା ନେବା କଥା, ତାହା ନେଇପାରି ନାହିଁ। କର୍ମଚାରୀ ସଙ୍କଟ ଓ ଭିତ୍ତିଭୂମି ଅଭାବ ସବୁବେଳେ ବିପିୟୁଟିକୁ ବିକଳାଙ୍ଗ ସ୍ଥିତିରେ ରହିବାକୁ ବାଧ୍ୟ କରୁଛି।
ସରକାରୀ ଦଳରେ ମଧ୍ୟ ଅନେକ ମନ୍ତ୍ରୀ, ବିଧାୟକଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସଂପୃକ୍ତିିରେ ଅନେକ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିଛି। କିନ୍ତୁ ବ୍ୟବସ୍ଥାକୁ ସଜାଡ଼ିବାକୁ କେହି ଉଦ୍ୟମ କରିନାହାନ୍ତି। ତେବେ ଶାସକ ଦଳର କିଛି ନେତା ନିଜ ପତିଆରା ଜାହିର କରିବା ପାଇଁ ବୈଷୟିକ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରିବାରେ ଆଦୌ ହେଳା କରିନାହାନ୍ତି। ଏହି ନେତାମାନଙ୍କ ପୃଷ୍ଠପୋଷକତାରେ ଅନେକ ଛାତ୍ର ସଂଗଠନ ଗଢ଼ି ଉଠିଛି। ଗତ ବର୍ଷ ରାଜଧାନୀର ଏକ ତାରକା ହୋଟେଲ୍ରେ ବିପିୟୁଟିର ଏକ ସମ୍ମିିଳନୀ ଚାଲିଥିଲା ବେଳେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଏହି ପତିଆରା ଲଢ଼େଇର ଏକ ଭୟଙ୍କର ପରିଣତି ଥିଲା। ବିପିୟୁଟି ନାମରେ ଗଢ଼ି ଉଠୁଥିବା ଛାତ୍ର ସଂଗଠନଗୁଡ଼ିକ ବୈଧ କି ନୁହେଁ, ତାହା ବି ବିପିୟୁଟି କର୍ତ୍ତୃପକ୍ଷ ସ୍ପଷ୍ଟ କରିନାହାନ୍ତି। ଯଦି ବୈଧ ନୁହେଁ, ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାରେ ବିପିୟୁଟି କର୍ତ୍ତୃପକ୍ଷଙ୍କୁ କିଏ ରୋକୁଛି, ତାହା ବୁଝା ପଡ଼ୁ ନାହିଁ।
ବିପିୟୁଟିକୁ ସଜାଡ଼ିବାକୁ ସରକାରୀ ସ୍ତରରେ ତ ତତ୍ପରତା ପ୍ରକାଶ ପାଉ ନାହିଁ। ଓଲଟି ସିଧାସଳଖ ବିପିୟୁଟି କାମରେ ହସ୍ତକ୍ଷେପ କରିବାକୁ ସରକାରୀ ବାଟ ଫିଟାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ମନ୍ତ୍ରୀଙ୍କୁ ପ୍ରୋ-ଚାନ୍ସେଲର୍ ପଦବିରେ ବସାଇବା ପାଇଁ ଗତ ବର୍ଷ ଡିସେମ୍ବର ମାସରେ ବିଧାନସଭାର ଶୀତ ଅଧିବେଶନରେ ବିଲ୍ ଗୃହୀତ କରାଇଲେ। କିନ୍ତୁ ରାଜ୍ୟପାଳ ଏହାକୁ ସ୍ୱୀକୃତି ଦେଲେ ନାହିଁ ଓ ଗତ ଏପ୍ରିଲ୍ ମାସରେ ଏହାକୁ ଫେରାଇ ଦେଲେ। ସରକାରଙ୍କୁ ଏହା ଶକ୍ତ ଚାପୁଡ଼ା ହୋଇଥିଲେ ମଧ୍ୟ ଉଦ୍ୟମରୁ ଓହରି ନାହାନ୍ତି। ପୁନର୍ବାର ଏହି ବିଲ୍କୁ ରାଜ୍ୟପାଳକୁ ପାଖକୁ ପଠାଇବା ପାଇଁ ବାଟ ଖୋଜା ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/bput-3.jpg)