ବିଜୁ ବାବୁଙ୍କୁ ଝୁରୁଛି ଜି.ନୂଆଗାଁ : ଘର ପାଲଟିଛି ଗୋଦାମ, ପାଠାଗାର ଚଢ଼େଇ ବସା

ଭଞ୍ଜନଗର : ଗ˚ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଜି.ନୂଆଗାଁ ଗ୍ରାମ। ସମଗ୍ର ବିଶ୍ବ ମାନଚିତ୍ରରେ ଏହି ପଲ୍ଲୀର ରହିଛି ସ୍ବତନ୍ତ୍ର ପରିଚୟ। କାରଣ ଏହା ହେଉଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଓ ତାଙ୍କ ପୁଅ ତଥା ଓଡ଼ିଶାର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୈତୃକ ଗ୍ରାମ। ଏଠାରେ ହିଁ ବିଜୁ ବାବୁଙ୍କ ବାପା ସ୍ବର୍ଗତ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଜନ୍ମଗ୍ରହଣ କରିଥିଲେ।

ଲୋକେ କହନ୍ତି, ବିଜୁବାବୁ ନିଜ ଗାଁକୁ ବହୁତ ଭଲ ପାଉଥିଲେ। ରାଜନୈତିକ ଜୀବନରେ ଅନେକ କାର୍ଯ୍ୟ ବ୍ୟସ୍ତତା ସତ୍ତ୍ବେ ସମୟ ବାହାର କରି ସେ କିଛି ଦିନ ଏଠାରେ ରହି ସମୟ କାଟୁଥିଲେ। ଗ୍ରାମବାସୀ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ଭେଟି ସୁଖଦୁଃଖ ବୁଝୁଥିଲେ। ବିଜୁବାବୁଙ୍କୁ ଭେଟିବାକୁ ତାଙ୍କ ଘର ପାଖରେ ନାହିଁ ନଥିବା ଭିଡ଼ ଜମି ଯାଉଥିଲା।

ବର୍ତ୍ତମାନ ସେହି ଘର ବିଜୁ ବାବୁଙ୍କ ସ୍ମୃତିକୁ କେବଳ ସାଇତି ଧରିଛି। ଜର୍ମାନ୍‌ ଆର୍କିଟେକ୍ଟରେ ପ୍ରସ୍ତୁତ ଏହି ଘରେ ବିଜୁ ବାବୁଙ୍କ ବ୍ୟବହୃତ ଖଟ, ଚୌକି ଭଳି ବିଭିନ୍ନ ସାମଗ୍ରୀ ଆଜି ବି ସେମିତି ରହିଛି। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ଘର ବର୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଚାରିପଟେ ଧୂଳିର ଆସ୍ତରଣ। ‌ଚୌକି ଭାଙ୍ଗି ପଡ଼ିଥିବା ସହ ଆଜବେଷ୍ଟସ୍ କଣା ହୋଇ ବର୍ଷା ହେଲେ ପାଣି ଗଳୁଛି। ଖଟଠାରୁ ଆରମ୍ଭ କରି ଦର୍ପଣ ଓ ବେତ ତିଆରି ସୋଫା ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ବର୍ଷ ବର୍ଷ ଧରି ସେମିତି ପଡ଼ି ରହିଛି। ହେଲେ ଏହି ସ୍ମୃତିକୁ ସାଇତି ରଖିବା ଓ ପୁନରୁଦ୍ଧାର ପାଇଁ ପ୍ରଶାସନ, ସରକାର ଏବଂ ରାଜନେତାଙ୍କ ନିଘା ନାହିଁ। ଜୀବନର ବହୁ ସମୟ କାଟିଥିବା ଏହି ଘର ପ୍ରତି କାହାର ଦୃଷ୍ଟି ପଡ଼ୁନି। ଖାଲି ଏତିକି ନୁହେଁ, ବିଜୁବାବୁଙ୍କ ସ୍ମୃତିରେ ନିର୍ମିତ ପାଠାଗାର ବି ଚଢ଼େଇ ବସା ପାଲଟିଗଲାଣି।

ବିଜୁ ବାବୁ ରହୁଥିବା ଘର ପୂର୍ବରୁ ଚାଳଛପର ଥିଲା। ସେଠାରେ ଏକ ସ୍ବତନ୍ତ୍ର ଘର ନିର୍ମାଣ ପାଇଁ ସେ ଭାଇ ବିନାୟକଙ୍କୁ ପରାମର୍ଶ ଦେଇଥିଲେ। ବିନା ପିଲର୍ ସାହାଯ୍ୟରେ ଲୁହା ପାଇପ୍ ଦେଇ ଇଟା ଯୋଡ଼େଇ କାନ୍ଥ ତିଆରି ହୋଇଥିଲା। ଆଜ୍‌ବେଷ୍ଟସ୍ ଛାତ ସହ ୫ଟି ଶୟନ କକ୍ଷ, ରୋଷେଇ ଘର ଓ ମଝିରେ ଅଗଣା ଆଦି ରହିଥିଲା। ଲୁହାରେ ତିଆରି ଖଟ, କାଠ ତିଆରି ଡ୍ରେସିଂ ଟେବୁଲ୍ ଓ ବେତରେ ତିଆରି ଆରାମ୍‌ ଚୌକି ରଖା ଯାଇଥିଲା।

ବିଜୁବାନୁ ନାହାନ୍ତି। ହେଲେ ଏ ସବୁ ଆସବାବପତ୍ର କେବଳ ସ୍ମୃତିର ସନ୍ତକ ଭାବେ ପଡ଼ି ରହିଛି। ତାଙ୍କ ଦ୍ବାରା ବ୍ୟବହାର ହେଉଥିବା ମାଟିପାତ୍ର ସେମିତି ଥାକରେ ସଜା ହୋଇ ରହିଛି। ଚାରିପଟେ ଗଛଲତା ଉଠି ସାରିଲାଣି। ଗୃହର ରକ୍ଷଣାବେକ୍ଷଣ ସହ ଏହାକୁ ଏକ ସଂଗ୍ରହାଳୟରେ ପରିଣତ କରିବାକୁ ବହୁବାର ଦାବି ହୋଇ ଆସୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନି। ଏହି ଘର ନିକଟରେ ଚ‌ାଳ ଘରକୁ ମରାମତି କରି ବିଜୁବାବୁଙ୍କ ପୁତୁରା ପ୍ରମୋଦ ପଟ୍ଟନାୟକ ରହୁଛନ୍ତି। ଅନ୍ୟ ଭାଇ ଓ ସମ୍ପର୍କୀୟମାନେ ଗାଁ ଛାଡ଼ି ବାହାରେ ରହୁଥିବା ପ୍ରମୋଦ ପ୍ରକାଶ କରିଛନ୍ତି।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିକା ସାଂସଦ ଥିବା ସମୟରେ ଏହି ଗ୍ରାମକୁ ଆସିଥିଲେ। ଗ୍ରାମବାସୀଙ୍କ ସହ ଆଲୋଚନା କରୁଥିବା ସମୟର ଫଟୋ ଏବେ ବି କାନ୍ଥରେ ଝୁଲୁଛି। ୨୦୧୩ ମସିହାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଗ୍ରାମରେ ଏକ ପାଠାଗାର ଓ ଗୋଷ୍ଠୀକେନ୍ଦ୍ର ନିର୍ମାଣ ହୋଇଥିଲା। ସେହି ବର୍ଷ ଜାନୁଆରି ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପାଠାଗାରକୁ ଉଦ୍‌ଘାଟନ କରିଥିଲେ। କୋଠା ନିର୍ମାଣ ସହ ଲୋକେ ପୁସ୍ତକ ପଢ଼ିବା ପାଇଁ ଚୌକି ଓ ଟେବୁଲ୍‌ ମଧ୍ୟ ରଖା ଯାଇଥିଲା। ଏହାସହ ଚାରି ପାଖରେ ବୃକ୍ଷରୋପଣ କରା ଯାଇଥିଲା। କିନ୍ତୁ ଯତ୍ନ ଅଭାବରୁ ତାହା ମଧ୍ୟ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ। ପୁସ୍ତକ ରଖିବା ପାଇଁ ଥିବା ଆଲ୍‌ମିରା ଚଢ଼େଇ ବସା ପାଲଟିଛି। ୭ ବର୍ଷ ହେଲା ପ୍ରଶାସନ ଖଣ୍ଡିଏ ବହି ଯୋଗାଇପାରୁନି। ପାଠାଗାର ପାର୍ଶ୍ବରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରହିଥିବା ବେଳେ କେତେକ ବୈଠକ ଏହି ଗୃହରେ କରାଯାଉଛି। ଏନେଇ ବେଲଗୁଣ୍ଠା ବ୍ଲକ୍ ପ୍ରଶାସନ ଅବଗତ ଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ବିଜୁବାବୁଙ୍କ ଘରର ପୁନରୁଦ୍ଧାର ଏବଂ ପାଠାଗାରର ରକ୍ଷଣାବେକ୍ଷଣ ପାଇଁ ପ୍ରାଶାସନିକ ଓ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇପାରିନି। ସବୁକିଛି ପ୍ରସ୍ତାବରେ ସୀମିତ ହୋଇ ରହିଛି।

ସମ୍ବନ୍ଧିତ ଖବର