ଭୁବନେଶ୍ବର : ଆସନ୍ତା ୧୭ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ନିରାଡମ୍ବର ଭାବେ ପାଳନ ହେବ। ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଇଁ ରାଜ୍ୟ ଓ ପ୍ରତ୍ୟେକ ନିର୍ବାଚନମଣ୍ଡଳୀସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଶ୍ରାଦ୍ଧ ଦିବସ ଉପଲକ୍ଷେ ସକାଳେ ତିଳ ତିର୍ପଣ ପରେ ପ୍ରଭାତଫେରୀ ଓ ସମୂହ ସଫେଇ ଅଭିଯାନ ହେବ। ପରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ସ୍ମୃତିସଭା, ରକ୍ତଦାନ ଶିବିର, ବିଜୁବାବୁଙ୍କ ୧୦୭ତମ ଜନ୍ମ ତିଥି ଅବସରରେ ମାର୍ଚ ୫ରୁ ୨୫ ତାରିଖ ଭିତରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ନିର୍ବାଚନମଣ୍ଡଳୀ ସ୍ତରରେ ସମ୍ବର୍ଦ୍ଧନା ଦିଆଯିବ। ଅପରାହ୍ଣରେ ସମୂହ ଦୀପ ଦାନ ଓ ଶପଥ ପାଠ ଆୟୋଜିତ ହେବ। ଓଡ଼ିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସମୂହ ରକ୍ତଦାନ ଶିବିର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଆୟୋଜିତ ହେବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।
ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଜୁବାବୁ ଜନସେବାକୁ ସର୍ବାଧିକ ଗୁରୁତ୍ବ ଦେଇ ଆସୁଥିଲେ। ତାଙ୍କ ସେବା, ତ୍ୟାଗ ଓ ନିରନ୍ତର ସଂଗ୍ରାମ ବିଜେଡି ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଆଦର୍ଶ ଓ ଅନୁକରଣୀୟ। ରାଜ୍ୟର ପ୍ରତ୍ୟେକ ପରିବାରର ସଦସ୍ୟଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରି ଆସୁଥିବା ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରତ୍ୟେକ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବା ପାଇଁ ସେ ଆହ୍ବାନ କରିଛନ୍ତି।