ବଡ଼ନଦୀ କୂଳରେ ଥିବା ଘରେ ରହୁଥିଲେ ବିଜୁବାବୁ, ଏକୁଟିଆ ସାଇକେଲ୍‌ ଧରି ବୁଲୁଥିଲେ

ଭଞ୍ଜନଗର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜାତି ଆଉ ମାଟି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବା ସହ ଜାତୀୟ ରାଜନୀତିର ଅପ୍ରତିଦ୍ବନ୍ଦ୍ବୀ ଜନନେତା ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ଓଡ଼ିଶାର ଜନମାନସର ନେତା ବିଜୁ ପଟ୍ଟନାୟକଙ୍କୁ ଆଜି ବି ଝୁରୁଛି ନିଜ ପୈତୃକ ମାଟି। ଚିହ୍ନ ଲିଭିବାକୁ ଲାଗିଥିବା ବେଳେ ପରିବାରବର୍ଗଙ୍କ ମନରେ ଆଜି ଅତୀତର ସ୍ମୃତି ସତେଜ ହୋଇ ରହିଛି। ଓଡ଼ିଶାର ନାମକୁ ସାରା ବିଶ୍ବରେ ପରିଚିତ କରାଇଥିବା ବିଜୁ ବାବୁଙ୍କ ପୈତୃକ ଗାଁରେ ତାଙ୍କ ସ୍ମୃତି ସାଉଁଟୁଛି।
ଆଜି ସାରା ରାଜ୍ୟରେ ଓଡ଼ିଶାର ପ୍ରବାଦ ପୁରୁଷ ସ୍ବର୍ଗତ ଶ୍ରୀ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ହେଉଥିବା ବେଳେ ତାଙ୍କର ଜୀବନର ବହୁ ସମୟ କଟିଥିବା ଏହି ଘରେ ମଧ୍ୟ ଜୟନ୍ତୀ ପାଳନ ନେଇ ପ୍ରସ୍ତୁତି ହୋଇଛି। ପୈତୃକ ଗାଁର ଘର ତାଙ୍କର ସ୍ମୃତିର ସନ୍ତକ ଭାବେ ଛିଡା ହୋଇ ରହିଛି। ବିଜୁ ବାବୁଙ୍କ ପାରିବାରିକ, ସାମାଜିକ ଓ ରାଜନୈତିକ ଜୀବନ ସହିତ ଗଞ୍ଜାମ ଜିଲ୍ଲା ଜଡ଼ିତ ହୋଇ ରହିଛି। ସେଥି ମଧ୍ୟରେ ପୈତୃକ ଗ୍ରାମ ଜି.ନୂଆଗାଁରେ ତାଙ୍କରି ବହୁ ସମୟ ବିତାଇଥିବା ବେଳେ ବହୁ ଲୋକଙ୍କ ଦୁଃଖସୁଖ ବୁଝିଛନ୍ତି। ଜିଲ୍ଲାକୁ ଆସିଲେ ଘରକୁ ଆସୁଥିଲେ। ରହିବା ପାଇଁ ବଡ଼ନଦୀ ତଟରେ ସୁନ୍ଦର ଘର କରିଥିଲେ। ପ୍ରାୟ ସମୟ‌ରେ ନିଜ‌େ ଏକୁଟିଆ ବି ସାଇକେଲ ଧରି ବୁଲୁଥିବା ପରିବାର ବର୍ଗ ପ୍ରକାଶ କରନ୍ତି।
ସବୁ ଗୁଣରେ ପାରଙ୍ଗମ ଥିଲେ ବିଜୁ ବାବୁ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଘୁମୁସର ନୂଆଗାଁରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବଜଙ୍କ ଘର, ଯେଉଁ ଘରରେ ରହିଛି ବିଜୁ ବାବୁଙ୍କ ବହୁ ସ୍ମୃତି। ସ୍ବର୍ଗତ ବିଜୁ ବାବୁ  ନିଜ ଗାଁକୁ ବହୁବାର ଆସୁଥିଲେ। ନିଜ ବଡବାପା ପୁଅଙ୍କୁ ମିଶିବା ସହ ଗାଁରେ ବୁଲାବୁଲି କରୁଥିଲେ। ଏଥିସହ ବହୁତ ଲୋକ‌େ ସେଠାକୁ ଆସି ବିଜୁ ବାବୁଙ୍କୁ ନିଜ ଗୁହାରି ଜଣାଉଥିଲେ। ତାଙ୍କ ପାଇଁ ନିର୍ମିତ ହୋଇଥିବା ଗୃହ ଆଜି ଅଲୋଡା ହୋଇ ପଡିଛି। ସରକାରଙ୍କ ପକ୍ଷରୁ ଏଠାରେ ବିଜୁ ବାବୁଙ୍କ ସ୍ମୃତି ଭବନ କରିବାକୁ ଦାବି କରିଛନ୍ତି।   ବିଜୁ ବାବୁଙ୍କ ସାନ ବାପା ପୁଅ ଭାଇ ବିନାୟକ ପଟ୍ଟନାୟକ ଓ ଭଗବାନ ପଟ୍ଟନାୟକ ଜି ନୂଆଗାଁରେ ରହୁଥିଲେ।
ଭଗବାନ ପଟ୍ଟନାୟକଙ୍କ ପୁଅ ପ୍ର‌ମୋଦଙ୍କ କହିବାନୁଯାୟୀ, ବିଜୁ ବାବୁ ଆସିବା ସମୟରେ ସେତବେଳେ ଗାଁରେ ସମସ୍ତଙ୍କ ଚାଳ ଘର ରହିଥିଲା ସେଥିପାଇଁ ସେଠାରେ ରହିବା ପାଇଁ ସ୍ବତନ୍ତ୍ର ଗୃହ ନିର୍ମାଣ କରିବାକୁ ଭାଇ ବିନାୟକଙ୍କୁ କହିଥିଲେ। ଏହାପରେ ସେଠାରେ ବିନା ପିଲରରେ କେବଳ ଲୁହା ପାଇପ ସାହାଯ୍ୟରେ ଇଟା କାନ୍ଥରେ ଘର ନିର୍ମାଣ କରାଯାଇଥିଲା। ଉପରେ ଛାତ ବଦଳରେ ପଡିଥିଲା ଆଜବେଷ୍ଟ। ସେଠାରେ ଆଧୁନିକ ଶୈଳୀରେ ୫ଟି ବେଡ୍‌ରୁମ, ରୋଷେଇ ଗୃହ, ମଝିରେ ଅଗଣା, ଗୃହପାଳିତ ପଶୁ ପାଇଁ ଗୃହ ସମେତ ବହୁ ଗୃହ ନିର୍ମାଣ କରିଥିଲେ। ଖାସ୍‌ କରି ବିଜୁବାବୁଙ୍କ ପାଇଁ ଘରର ଦ୍ବାରବନ୍ଧ ଗୁଡ଼ିକ ବହୁତ ଉଚ୍ଚ ମଧ୍ୟ କରା ଯାଇଥିଲା। କାଠର ତିଆରି ଖଟ ଓ ବିଭିନ୍ନ ଆସବାପତ୍ର ରହିଥିଲା। ବିଜୁ ବାବୁ ‌ଏଠାରେ ବହୁ ଦିନ ରହୁଥିବା ବ‌େଳେ କେତେକ ପର୍ବପର୍ବାଣୀରେ ମଧ୍ୟ ଯୋଗ ଦେଇଛନ୍ତି। ଏଥିସହ ବହୁ ରାଜନେତା ମଧ୍ୟ ଆସି ଏଠାରେ ବିଭିନ୍ନ ଅଲୋଚନା ମଧ୍ୟ କରିଥିବା ସହ ବହୁ ଲୋକ ସାକ୍ଷାତକାର କରି ଯାଇଛନ୍ତି। ଏଥିସହ ଏହି ଅଞ୍ଚଳର ବିକାଶରେ ମଧ୍ୟ ତାଙ୍କର ବହୁ ଅବଦାନ ରହିଥିବା ନେଇ ପ୍ରକାଶ କରିଛନ୍ତି। ଗାଁକୁ ଭୁଲି କେବେ‌ବି ଭୁଲି ନପାରିବା ନେଇ ‌ବିଜୁ ବାବୁ ପ୍ରକାଶ କରିଥିଲେ ବୋଲି ଗ୍ରାମର ବ‌ୟୋଜ୍ୟେଷ୍ଠ ବ୍ୟକ୍ତି ପ୍ରକାଶ କରିଛନ୍ତି। ବିଜୁ ବାବୁଙ୍କ ଘର ଚିହ୍ନ ଲିଭିବାକୁ ବସିଥିବା ବେଳେ ସ୍ମୃତି ରକ୍ଷାପାଇଁ ଦାବି ହୋଇଛି।
ସମ୍ବନ୍ଧିତ ଖବର