ମିଥ୍ୟା କାଗଜପତ୍ରରେ ଟଙ୍କା ହଡ଼ପ ଘଟଣା : ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନାମରେ ମାମଲା

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବିଜୁ ଶିଶୁ ସୁରକ୍ଷା ଯୋଜନାରେ ମିଥ୍ୟା କାଗଜପତ୍ର ଦିଆଯାଇ ଟଙ୍କା ହଡ଼ପ କରାଯାଇଥିବା ଖବର ବିଭିନ୍ନ ମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବଳଦେବ ରଥଙ୍କ ନାମରେ ବୋଡ଼େନ ଥାନାରେ ଖଡ଼ିଆଳର ଜଣେ ସମାଜସେବୀ ଗୋପାଳ ଦାସ ଏତଲା ଦେଇଛନ୍ତି। ବୋଡ଼େନ ଥାନା କେସ ନଂ ୧୩୦/୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନାଧିକାରୀ ସରୋଜ ମଲ୍ଲିକ ପ୍ରକାଶ କରିଛନ୍ତି। ଅଭିଯୋଗ ଅନୁସାରେ, ଜିଲ୍ଲାରେ ଥିବା ଅନାଥ ଶିଶୁମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରି ଥଇଥାନ କରିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ବିଜୁ ଶିଶୁ ସୁରକ୍ଷା ଯୋଜନା (ବିଏସଏସୱାଇ)ରେ ଯେଉଁ ଶିଶୁମାନଙ୍କ (୧୮ ବର୍ଷ ପୂର୍ବରୁ) ବାପା, ମା’ଙ୍କ ମୃତ୍ୟୁ ଘଟିଥିବା, ସେ କ୍ଷେତ୍ରରେ ଝିଅଙ୍କ ବିବାହ ସମୟରେ ୫୦ ହଜାର ଟଙ୍କା ଓ ପୁଅମାନଙ୍କୁ ୪୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। କିନ୍ତୁ ନୂଆପଡ଼ା ଜିଲ୍ଲାରେ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରଥ ଏହି ନିୟମକୁ ବେଖାତିର କରି ସହାୟତା ପ୍ରଦାନ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ବୋଡ଼େନ ବ୍ଲକର ଶିବ ପ୍ରସାଦ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ୨୮ ବର୍ଷରୁ ଅଧିକ ହୋଇଥିବାବେଳେ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲା ଏବଂ ୩୬ ବର୍ଷ ବୟସରେ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ, ତାଙ୍କୁ ମଧ୍ୟ ଏହି ଯୋଜନାରେ ଶିଶୁ ଦର୍ଶାଇ ୪୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର