ଭୁବନେଶ୍ୱର : ବିଜୁ ଶ୍ରମିକ ସାମ୍ମୁଖ୍ୟର ପ୍ରଥମ ରାଜ୍ୟ ସମ୍ମେଳନ ଆସନ୍ତା ୧୨ ତାରିଖରେ ଭୁବନେଶ୍ୱରସ୍ଥିତ ୟୁନିଟ୍-୬ ପାଣି ଟାଙ୍କି ସାମ୍ନା ପଡ଼ିଆରେ ଅନୁଷ୍ଠିତ ହେବ। ଏହାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ। ରାଜ୍ୟର ବିଭିନ୍ନ ସ୍ଥାନରୁ ୫ ହଜାର ପ୍ରତିନିଧି ସମ୍ମେଳନରେ ଯୋଗ ଦେବେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ ଓ ମହାସଚିବ ସୁବାସ ସିଂହ କହିଲେ, ବିଜୁ ଶ୍ରମିକ ସାମ୍ମୁଖ୍ୟ ସରକାରଙ୍କ ଶ୍ରମ ବିଭାଗ ଦ୍ୱାରା ପଞ୍ଜୀକୃତ ହୋଇସାରିଛି। ଏହି ସଂଗଠନକୁ ଜାତୀୟ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୁର୍ ସଭା ସହ ସହବନ୍ଧିତ କରାଯିବ। ଓଡ଼ିଶାରେ ପ୍ରାୟ ଦେଢ଼ କୋଟି ଅସଂଗଠିତ ଶ୍ରମିକ ନିର୍ମାଣ କ୍ଷେତ୍ର, ପରିବହନ, ଘରୋଇ କାର୍ଯ୍ୟ, ରାସ୍ତା ପାର୍ଶ୍ୱ ଉଠାଦୋକାନୀ, ଘରୋଇ ଭାବେ କାର୍ଯ୍ୟ କରୁଥିବା ଶ୍ରମିକ, ରିକ୍ସା ଓ ଟ୍ରଲି ଚାଳକ, ସିକ୍ୟୁରିଟି ଗାର୍ଡ, ଗ୍ରାମ୍ୟ କାରିଗର, ବିଭିନ୍ନ ସ୍କିମ୍ରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଂଗଠିତ କରିବ। ସେମାନଙ୍କୁ ସାମାଜିକ ସୁରକ୍ଷା ପରିସରଭୁକ୍ତ ପାଇଁ ଉଦ୍ୟମ କରାଯିବ।
ସାମ୍ମୁଖ୍ୟର ପ୍ରଥମ ରାଜ୍ୟ ସମ୍ମେଳନ ପରେ ରାଜ୍ୟର ୫ଟି ଜୋନ୍ରେ ଜୋନାଲ୍ ସମ୍ମେଳନ କରାଯିବ। ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, କଟକ, ବାଲେଶ୍ୱରରେ ଏହି ଜୋନାଲ୍ ସମ୍ମେଳନ କରାଯିବ। ଏହା ପରେ ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ୍ କମିଟି ସଂଗଠିତ କରାଯିବ ବୋଲି ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଉପସଭାପତି ତଥା ମେୟର ଅନନ୍ତ ନାରାୟଣ ଜେନା ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ସାମ୍ମୁଖ୍ୟର ରାଜ୍ୟ ସମ୍ପାଦକ ଯୁଗଳ କିଶୋର ନାୟକ, ରାଜେନ୍ଦ୍ର ଦାସ, ସଂଯୁକ୍ତା ମହଲ ଓ ସୁରେନ୍ଦ୍ର ପ୍ରସାଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।