ଭୁବନେଶ୍ବର: ଓଡ଼ିଶାରେ ୨୪ ବର୍ଷ ଧରି କ୍ଷମତାରେ ରହିଥିବା ବିଜେଡିର ପରାଜୟ ପରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ଦଳର ଯୁବ ନେତାଙ୍କ ପରେ ଏବେ ଛାତ୍ର ସଂଗଠନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଶଙ୍ଖ ଭବନରେ ଆଜି ଅନୁଷ୍ଠିତ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତା ସମ୍ମିଳନୀରେ ଛାତ୍ରନେତାମାନେ ପରାଜୟ ପାଇଁ ଗତ କିଛି ବର୍ଷ ହେଲା ବିଜେଡିର ମଙ୍ଗ ଧରିଥିବା ନିର୍ଦ୍ଦିଷ୍ଟ ନେତାଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ବାଲେଶ୍ବର, ମୟୂରଭଞ୍ଜଠାରୁ ଆରମ୍ଭ କରି ସମ୍ବଲପୁର ପର୍ଯ୍ୟନ୍ତ, ଛାତ୍ରନେତାମାନେ ମନ ଖୋଲି ଦଳୀୟ ନେତୃତ୍ବଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ବାଲେଶ୍ବରର ଜଣେ ଛାତ୍ରନେତା ପରାଜୟ ପାଇଁ ସିଧାସଳଖ ପ୍ରାର୍ଥୀ ଚୟନକୁ ଦାୟୀ କରିଛନ୍ତି। ବାହାରୁ ନେତା ଆଣି ଏଠାରେ ସାଂସଦ ପ୍ରାର୍ଥୀ କରିବାରୁ ତାହାର ପ୍ରଭାବ ବିଧାନସଭା କ୍ଷେତ୍ର ଉପରେ ପଡ଼ିଲା। ତେଣୁ ବାଲେଶ୍ବର ଲୋକସଭା ସହ ୪ଟି ବିଧାନସଭା ଆସନରେ ପରାଜୟ ଭୋଗିଲୁ।

Advertisment

ମୟୂରଭଞ୍ଜର ଜଣେ ଛାତ୍ରନେତା ମଧ୍ୟ ପ୍ରାର୍ଥୀ ଚୟନକୁ ନେଇ ପ୍ରଶ୍ନ ଉଠାଇ କହିଲେ ବର୍ଷ ବର୍ଷ ଧରି ଦଳ ପାଇଁ କାମ କରିବୁ। ତୃଣମୂଳସ୍ତରରେ ସଙ୍ଗଠିତ ରଖିବୁ। ଶେଷ ମୁହୂର୍ତ୍ତରେ ବାହାରୁ ନେତା ଆମଦାନୀ କରାଯାଇ ପ୍ରାର୍ଥୀ କରାଯିବାରୁ ପରାଜୟ ଭୋଗିବାକୁ ପଡ଼ିଲା। ଛାତ୍ରନେତାମାନଙ୍କୁ ସୁଯୋଗ ଦିଆଗଲା ନାହିଁ କି ପ୍ରାର୍ଥୀ କରାଗଲା ନାହିଁ ବୋଲି ସେ କହିଥିଲେ। ପଶ୍ଚିମ ଓଡ଼ିଶାର ଛାତ୍ରନେତାମାନଙ୍କୁ ସବୁବେଳେ ଅଣଦେଖା କରାଯାଉଛି। ପ୍ରାର୍ଥୀ ଚୟନ ହେଉ କି ରାଜ୍ୟସ୍ତରୀୟ କମିଟିରେ ଏହି ଅଞ୍ଚଳ ନେତାମାନଙ୍କୁ ଉପଯୁକ୍ତ ପଦବି ମିଳୁ ନ ଥିବା ସମ୍ବଲପୁରର ଜଣେ ଛାତ୍ରନେତା ଅଭିଯୋଗ କରିଛନ୍ତି। ଅନୁଗୁଳ ଜିଲ୍ଲାର ଜଣେ ଛାତ୍ର ନେତା ସଂଗଠନ ଏକାଠି ନାହିଁ ବୋଲି ରୋକ୍‌ଠୋକ ଜଣାଇ ଦେଇଥିଲେ। ସଙ୍ଗଠନର ଜଣେ ସାଧାରଣ ସମ୍ପାଦକ ମଞ୍ଚ ଉପରକୁ ଚଢ଼ି ଦଳୀୟ ନେତୃବୃନ୍ଦଙ୍କ ବିରୋଧରେ ସ୍ବର ଉଠାଇଥିଲେ। ଏହାକୁ ନେଇ ସମ୍ମିଳୀନରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା।

ସମ୍ମିଳନୀକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଶ୍ରୀ ପଟ୍ଟନାୟକ ସେଠାରୁ ଗଲା ପରେ ଏମିତି ସ୍ଥିତି ସୃଷ୍ଟି ହୋଇଥିଲା। ଉଦ୍‌ଘାଟନୀ ଭାଷଣରେ ସେ କହିଲେ, ବିଜେଡି ଏକ ଆଞ୍ଚଳିକ ଦଳ ଭାବେ ୨୭ ବର୍ଷ ହେଲା ଓଡ଼ିଶାବାସୀଙ୍କ ସେବା କରିଆସୁଛି। ଛାତ୍ରଛାତ୍ରୀ, ଯୁବକ ଯୁବତୀ, ମହିଳା, କୃଷକ ଓ ଶ୍ରମିକଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ବାରା ବର୍ତ୍ତମାନ ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହେଲାଣି। ଆମର ଆଦର୍ଶ ହେଉଛି ସେବା, ସ୍ୱାଭିମାନ, ସଂଗ୍ରାମ ଓ ସଚେତନତା। କ୍ଷମତା ନୁହେଁ, ବରଂ ଲୋକଙ୍କ ସେବା କରିବା ବିଜେଡିର ଆଭିମୁଖ୍ୟ। ଗଣତନ୍ତ୍ରରେ ହାର୍‌ଜିତ୍‌ ରହିଛି। ଗତ ନିର୍ବାଚନରେ ବିଜେଡ଼ି ୪୧.୦୨% ଭୋଟ ପାଇଛି। ତେଣୁ ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶ୍ରଦ୍ଧା ହେଉଛି ଆମର ଶକ୍ତି। ଗତ ୨୪ ବର୍ଷ ମଧ୍ୟରେ ମେଡିକାଲ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇ ଓଡ଼ିଶାକୁ ପୂର୍ବ ଭାରତର ଶିକ୍ଷା ହବ୍‌ ଭାବେ ପରିଣତ କରାଯାଇଛି। 

ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମ ଏବେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତେଣୁ ଏଥିରେ ସକ୍ରିୟ ଅଂଶଗ୍ରହଣ କରିବା ସହ ମିଥ୍ୟା ଓ ଭୁଲ ଖବର ବିରୋଧରେ ସ୍ବର ଉଠାଅ। ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଦିଆଯାଇଥିବା ମିଥ୍ୟା ପ୍ରତିଶ୍ରୁତି, ଯେପରିକି ୩୦୦ ୟୁନିଟ୍‌ର ମାଗଣା ବିଜୁଳି, ୩ ହଜାର ଟଙ୍କା ପେନ୍‌ସନ୍‌, ରାଜ୍ୟର ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ ଭଳି ପ୍ରତିଶ୍ରୁତି ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବାକୁ  ସେ ଆହ୍ବାନ ଦେଇଥିଲେ। ସଂଗଠନ ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ସାଙ୍ଗଠନିକ ପ୍ରସ୍ତାବ, ରାଜନୈତିକ ପ୍ରସ୍ତାବ ଓ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି। ବିଜୁ ଛାତ୍ର ଜନତା ଦଳର ଆଗାମୀ ଦିନର କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ଖସଡ଼ା ପ୍ରସ୍ତୁତ ସହ ବିଭିନ୍ନ ଦିଗରେ ଆଲୋଚନା ହୋଇଛି। ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ ଓ ରୋହିତ ପୂଜାରୀଙ୍କ ସମେତ ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ ଓ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ସାମିଲ ହୋଇ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ।