ପ୍ରବାସୀ ଓଡ଼ିଆଙ୍କୁ ବି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସୁବିଧା
କିଡ୍ନି, କର୍କଟ ଓ ହୃଦ୍ରୋଗ ଚିକିତ୍ସା ପାଇଁ ବାର୍ଷିକ ଆୟ ୩ ଲକ୍ଷକୁ ବୃଦ୍ଧି, ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଗଲେ ୨ ହଜାର ଟଙ୍କା ଯାତାୟତ ସହାୟତା
ଭୁବନେଶ୍ବର : ପ୍ରବାସୀ ଓଡ଼ିଆମାନଙ୍କୁ ଏଣିକି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ)ରେ ଚିକିତ୍ସା ସୁବିଧା ମିଳିବ। ଓଡ଼ିଶା ବାହାରେ ରହୁଥିବା ରୋଗୀ ନିଜ ନିଜ ଅଞ୍ଚଳରେ ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ହୋଇଥିବା ଡାକ୍ତରଖାନାରେ ନିଜର ଚିକିତ୍ସା କରିପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ଯାହାଫଳରେ ରାଜ୍ୟ ବାହାରେ ରହୁଥିବା ଲକ୍ଷାଧିକ ଓଡ଼ିଆ ଉନ୍ନତମାନର ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ। ରାଜ୍ୟରେ ସ୍ବାଧୀନତା ଦିବସରୁ ବିଏସ୍କେୱାଇ ଯୋଜନାର ଆରମ୍ଭ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୧ କୋଟିରୁ ଅଧିକ ରୋଗୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଏହା ସହ ବିଏସ୍କେୱାଇରେ କେତେକ ପରିବର୍ତନ କରାଯାଇଛି।
ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ କହିଥିଲେ, ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ମାନଙ୍କୁ ସ୍ବାସ୍ଥ୍ୟସେବା ସୁବିଧା ଦେବା ପାଇଁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଡାକ୍ତରଖାନାକୁ ବିଏସ୍କେୱାଇ ଯୋଜନାରେ ସାମିଲ କରାଯିବ। ଚିକିତ୍ସା ବାବଦରେ ଖର୍ଚ ସେମାନଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ। ସେହିପରି ଦେଶରେ ଥିବା ଆଗଧାଡ଼ିର ଡାକ୍ତରଖାନାଗୁଡ଼ିକ ଏହି ଯୋଜନାରେ ଅନ୍ତଭୁର୍କ୍ତ ହୋଇଛନ୍ତି। ଟାଟା ମେମୋରିଆଲ ହସ୍ପିଟାଲ, ସିଏମ୍ସି ଭେଲୋର ଓ ନାରାୟଣ ହୃଦୟାଳୟ ଭଳି ୧୭ଟି ଡାକ୍ତରଖାନାରେ ରୋଗୀ ଚିକିତ୍ସିତ ହୋଇପାରିବେ। ରାଜ୍ୟ ବାହାର ଅଧିକରୁ ଅଧିକ ଘରୋଇ ଡାକ୍ତରଖାନାକୁ ବିଏସ୍କେୱାଇ ଯୋଜନାରେ ସାମିଲ କରିବା ପାଇଁ ଉଦ୍ୟମ କରାଯାଇଛି।
ରାଜ୍ୟର ଅଧିକ ପରିବାରକୁ ଚିକିତ୍ସା ସୁବିଧାରେ ସାମିଲ କରିବା ପାଇଁ କିଡ୍ନି, କର୍କଟ ଓ ହୃଦ୍ରୋଗର ଚିକିତ୍ସା ପାଇଁ ପୂର୍ବରୁ ପରିବାରର ବାର୍ଷିକ ଆୟ ୧ଲକ୍ଷ ଟଙ୍କା ଥିବାର ନିୟମ ରହିଥିଲା। ଏବେ ତାହାକୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହାସହ ପ୍ୟାକେଜ୍ ଦରରେ ପରିବର୍ତନ କରାଯାଇ ଅଧିକରୁ ଅଧିକ ଡାକ୍ତରଖାନାକୁ ଏଥିରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଅପର ପକ୍ଷରେ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀମାନଙ୍କୁ ୨ହଜାର ଟଙ୍କାର ଯାତାୟତ ସହାୟତା ମଧ୍ୟ ପ୍ରଦାନ କରାଯିବ। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କାକୁ ପଠାଇ ଦିଆଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଆୟୁଷ୍ମାନ ଯୋଜନାରେ ୧୩୪୩ପ୍ରକାରର ରୋଗର ଚିକିତ୍ସା ସୁବିଧା ରହିଥିବା ବେଳେ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀମାନେ ୪୦୩୬ ପ୍ରକାର ରୋଗର ସୁବିଧା ପାଇପାରିବେ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।