ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଆୟୁଷ୍ମାନ ସହ କିଛି ସମ୍ପର୍କ ନାହିଁ: ବିଜେଡି

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା ହେବା ପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନା ଅପହରଣ କରୁଛନ୍ତି ବୋଲି ବିଜେପି ଯେଉଁ ଅଭିଯୋଗ ଆଣୁଛି ତାହା ସଂପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କୌଣସି ସମ୍ପର୍କ କେନ୍ଦ୍ର ଦ୍ୱାରା ଘୋଷଣା କରାଯାଇଥିବା ଆୟୁଷ୍ମାନ ଯୋଜନା ସହ ନାହିଁ। ଆୟୁଷ୍ମାନ ଯୋଜନା କେବଳ ଶିରୋନାମାରେ ଘୋଷଣା ହୋଇଛି। ଏହାର କାର୍ଯ୍ୟକାରିତା ନେଇ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନି। ଅପରପକ୍ଷେ ଅଗଷ୍ଟ ୧୫ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ରାଜ୍ୟ ସରକାର କେନ୍ଦ୍ରକୁ ଅନୁଧାବନ କରିନାହାନ୍ତି ବରଂ ୨୦୧୪ ନିର୍ବାଚନୀ ଇସ୍ତାହାରରେ ଦଳ ସରକାରକୁ ଆସିଲେ ଏକ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ବିଜେଡି ଘୋଷଣା କରିଥିଲା। ଯାହାକୁ ପାଳନ କରାଯାଇଛି ବୋଲି ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ ଆଜି ଦଳ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ବିଜେଡି ପକ୍ଷରୁ କୁହାଯାଇଛି ଯେ, ଆୟୁଷ୍ମାନ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟରେ ଗୋଟିଏ ମୌଳିକ ପାର୍ଥକ୍ୟ ରହିଛି। ଆୟୁଷ୍ମାନ ଯୋଜନାରେ ଜଣେ ବ୍ୟକ୍ତି ବୀମା ମାଧ୍ୟମରେ ଉପକୃତ ହେଉଥିବାବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସିଧାସଳଖ ଉପକୃତ ହେବ। ସେହିପରି ଆୟୁଷ୍ମାନ ଯୋଜନା ବୀମା ଆଧାରିତ, ଏଥିରେ କେନ୍ଦ୍ର ସରକାର ୬୦ଭାଗ ଦେଉଥିବାବେଳେ ରାଜ୍ୟ ସରକାର ୪୦ଭାଗ ଅର୍ଥ ଦେବେ। ହିତାଧିକାରୀଙ୍କୁ ଚୟନ କରିବା, ସର୍ବେକ୍ଷଣଭଳି ରାଜ୍ୟର ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣଗୁଡ଼ିକୁ ଯୋଡ଼ିଲେ ଏହା ୫୦:୫୦ ଅନୁପାତକୁ ଆସିଯିବ। ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ କାନ୍ଧରେ ରଖି ବହୁ ଯୋଜନାରେ ବାହାବା ନେଇଛନ୍ତି। ଏଥିରେ ଏବେ ଆୟୁଷ୍ମାନ ଯୋଡ଼ିବାକୁ ଯାଉଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସିଧାସଳଖ ୭୦ଲକ୍ଷ ପରିବାର ସାମିଲ୍‌ ହେବାକୁ ଯାଉଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ଦେବ କହିଥିଲେ ଯେ, ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖି ଜଣାଇଥିଲେ ଯେ, କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଆୟୁଷ୍ମାନ ଯୋଜନା ଯୋଗୁଁ କେବଳ ୬୧ଲକ୍ଷ ପରିବାର ଲାଭବାନ ହେବେ। ତେଣୁ ବାକି ୯ଲକ୍ଷ ପରିବାରକୁ ସାମିଲ୍‌ କରାଯାଉ। କିନ୍ତୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଏହି ଚିଠି ଉପରେ ଉତ୍ତର ରଖି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଲେ। କେନ୍ଦ୍ର ସରକାର ଅଗ୍ରାହ୍ୟ କରିବା ପରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ସଂପୂର୍ଣ୍ଣ ଠିକ୍‌ ବୋଲି ପ୍ରମାଣିତ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର