ଭୁବନେଶ୍ବର : ବିଜୁ ଯୁବ ବାହିନୀ ପକ୍ଷରୁ ଆରମ୍ଭ ହେବ ଏକ ନୂଆ ସାମାଜିକ କାର୍ଯ୍ୟକ୍ରମ ‘ନନ୍ଦିନୀ’। ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତୀକରଣ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଜରିଆରେ ସମଗ୍ର ରାଜ୍ୟରେ ବାଲ୍ୟବିବାହ, ଯୌତୁକ ଓ ଘରୋଇ ହିଂସା ଆଦିର ପ୍ରତିରୋଧ ଲକ୍ଷ୍ୟ ନେଇ ଜନସଚେତନତା ସୃଷ୍ଟି କରାଯିବ। ଏ ସମ୍ପର୍କରେ ପ୍ରଚଳିତ ଆଇନ ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଯିବ।

Advertisment

ଏହି କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟ କରୁଥିବା ବିଜୁ ଯୁବ ବାହିନୀର କର୍ମକର୍ତ୍ତା ତଥା ସ୍ବେଚ୍ଛାସେବୀମାନେ ୩୧୪ଟି ବ୍ଲକ୍‌ ଅଧୀନରେ ଥିବା ପ୍ରତ୍ୟେକ ଗ୍ରାମ ଓ ୱାର୍ଡରେ ଏହି ସଂସ୍କାରଧର୍ମୀ କାର୍ଯ୍ୟକ୍ରମ କରିବେ। ଏମାନେ ପୋଷ୍ଟର୍‌ ଓ ପ୍ଲାକାର୍ଡ ମାଧ୍ୟମରେ ପ୍ରଚାର ସହ ଘରକୁ ଘର ଯାଇ ଏ ସମ୍ପର୍କରେ ‌େଲାକଙ୍କୁ ଅବଗତ କରାଇବେ। ସ୍ବେଚ୍ଛାସେବୀମାନେ ବିଭିନ୍ନ ସରକାରୀ ବିଭାଗ ସହ ଯୋଗସୂତ୍ର ସ୍ଥାପନ କରି ଏହି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ସହିତ ବ୍ଲକ୍‌ ଓ ଗ୍ରାମ ପଞ୍ଚାୟତ ସ୍ତରରେ ସମସ୍ତଙ୍କ ନିକଟରେ ଏହାକୁ ପହଞ୍ଚାଇବାକୁ କାର୍ଯ୍ୟ କରିବେ। ବିଜୁ ଯୁବ ବାହିନୀ ପକ୍ଷରୁ ସ୍ବତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇ ଅଞ୍ଚଳକୁ ବାଲ୍ୟ ବିବାହମୁକ୍ତ, ଯୌତୁକ ମୁକ୍ତ ଓ ଘରୋଇ ହିଂସାମୁକ୍ତ ଅଞ୍ଚଳ ଭାବେ ଗଠନ କରିବା ନିମନ୍ତେ ‘ସଂକଳ୍ପ ସଭା’ମାନର ଆୟୋଜନ କରାଯିବ। ବାଲ୍ୟ ବିବାହ ରୋକିବା ଦିଗରେ ମାଲକାନଗିରି, ନବରଙ୍ଗପୁର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ନୟାଗଡ଼, ଗଞ୍ଜାମ, କେଉଁଝର, ବାଲେଶ୍ବର, ଢେଙ୍କାନାଳ, ଗଜପତି, ବୌଦ୍ଧ, ଦେବଗଡ଼, ସୁବର୍ଣ୍ଣପୁର ଓ କନ୍ଧମାଳ ଆଦି ୧୫ଟି ଜିଲ୍ଲାକୁ ଫୋକସ୍‌ରେ ରଖାଯାଇଛି। ଯୌତୁକ ଓ ଘରୋଇ ହିଂସା ପ୍ରତିରୋଧ ପାଇଁ ଅନୁଗୁଳ, କଳାହାଣ୍ଡି, ନୂଆପଡ଼ା, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼, କେନ୍ଦ୍ରାପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ଜଗତସିଂହପୁର, ଯାଜପୁର, ପୁରୀ ଓ ଭଦ୍ରକ ଆଦି ୧୫ଟି ଜିଲ୍ଲାକୁ ଫୋକସ୍‌ରେ ରଖାଯାଇଛି।

ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁ‌ଷାରକାନ୍ତି ବେହେରା , ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ, ମିସନ୍ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, କ୍ରୀଡ଼ା ଓ ଯୁବସେବା ବିଭାଗର ଉପ ଶାସନ ସଚିବ ବିଜୟାନନ୍ଦ ନାୟକଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।