ଆଜି ସିଙ୍ଗାପୁର ଯିବେ ବିଜୁ ଯୁବବାହିନୀ ସ୍ବେଚ୍ଛାସେବୀ

ଲୋକଙ୍କ ଟିକସ ଅର୍ଥରେ ବିଦେଶ ବୁଲା: ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ବର : ବିଜୁ ଯୁବ ବାହିନୀର ୮୮ ଜଣ ସ୍ବେଚ୍ଛାସେବୀ ଆସନ୍ତାକାଲି ସିଙ୍ଗାପୁର ଗସ୍ତରେ ଯିବେ। ଭବିଷ୍ୟତ ସମୃଦ୍ଧି, ନେତୃତ୍ବ ଓ ସ୍ବେଚ୍ଛାସେବା ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ଏହି ଗସ୍ତର ଉଦ୍ଦେଶ୍ୟ ବୋଲି କୁହାଯାଇଛି। କିନ୍ତୁ ଏହି ଗସ୍ତକୁ ବିରୋଧ କରିଛି ବିଜେପି ଯୁବମୋର୍ଚ୍ଚା। ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦେବାରେ ବିଫଳ ସରକାର ଲୋକଙ୍କ ଟିକସ ଅର୍ଥରେ ବିଜୁ ଯୁବବାହିନୀ ସଦସ୍ୟଙ୍କୁ ବିଦେଶ ବୁଲାଉଛନ୍ତି ବୋଲି ମୋର୍ଚ୍ଚା ଅଭିଯୋଗ କରିଛି।

ସ୍ବେଚ୍ଛାସେବା କ୍ଷେତ୍ରରେ ନିଜର ବ୍ୟକ୍ତିତ୍ବ, ପ୍ରତିଭା ଓ ଅନନ୍ୟତା ହାସଲ କରିଥିବା ୮୮ ଜଣ ସ୍ବେଚ୍ଛାସେବୀ ସିଙ୍ଗାପୁର ଯିବେ। ସେମାନଙ୍କ ମଧ୍ୟ‌େର ଅଛନ୍ତି ବିଭିନ୍ନ ଜିଲ୍ଲାର ଅନୁସୂଚିତ ଜନଜାତି, ଅନଗ୍ରସର ସମ୍ପ୍ରଦାୟ, ଦୁର୍ଗମ ଅଞ୍ଚଳ ଅଧିବାସୀ ତଥା ଦିବ୍ୟାଙ୍ଗ। ସିଙ୍ଗାପୁର ରହଣି ସମୟରେ ସେମାନେ ସେଠାକାର କଳା ଓ ସାଂସ୍କୃତିକ କେନ୍ଦ୍ର, କ୍ରୀଡ଼ା ଓ ମନୋରଞ୍ଜନ ସ୍ଥଳୀ, ଶିଳ୍ପ ପ୍ରତିଷ୍ଠାନ, ବାଣିଜ୍ୟ କେନ୍ଦ୍ର, ଶିକ୍ଷା ତଥା ବୈଷୟିକ ଅନୁଷ୍ଠାନ ଏବଂ ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନ କରିବା ସହ ଯୁବଗୋଷ୍ଠୀଙ୍କ ସାଙ୍ଗରେ ଭାବ ବିନିମୟ କରିବେ। ଆଜି କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଗସ୍ତ ଫଳପ୍ରଦ ହେବ ବୋଲି ଆଶାପ୍ରକଟ କରିଥିଲେ। କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ସହ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅପର ପକ୍ଷରେ ବିଜେପି ଯୁବମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରାଜ‌େକାଷରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ସରକାର ବିଜୁ ଯୁବ ବାହିନୀକୁ ସିଙ୍ଗାପୁର ଓ ଥାଇଲାଣ୍ଡ ବୁଲାଇବା ପାଇଁ ନେଉଛନ୍ତି। ରାଜ୍ୟ ସରକାର ୧୯ ବର୍ଷ ଶାସନରେ ଥାଇ ବି ନିଯୁକ୍ତି ଓ ଆତ୍ମନିଯୁକ୍ତି ଯୋଗାଇ ପାରିଲେ ନାହିଁ। କିନ୍ତୁ ଏବେ ଟିକସଦାତାଙ୍କ ଅର୍ଥକୁ ବରବାଦ କରି ସିଙ୍ଗାପୁର ପଠାଇବାର ଉଦ୍ଦେଶ୍ୟ କ’ଣ ବୁଝାପଡ଼ୁ ନାହିଁ। ଯୁବ ବାହିନୀକୁ ସରକାର କେବଳ ବିଦେଶ ବୁଲାଉ ନାହାନ୍ତି, ବରଂ ପ୍ରତି ବ୍ଲକ୍‌ରେ ୫୦୦୦ ମୋବାଇଲ୍ ହ୍ୟାଣ୍ଡ୍‌ସେଟ୍‌ ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ବଣ୍ଟାଯିବାର ବ୍ୟବସ୍ଥା କରାଯାଉଛି। ପାଖାପାଖି ୭୫୦ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହେବ। ଏହି ଅର୍ଥକୁ ବେଆଇନ୍ ଭାବେ ଅନୁଗ୍ରହିତ ହୋଇଥିବା କିଛି ଖଣି ମାଫିଆ ଓ ଚିଟ୍‌ଫଣ୍ଡ୍‌ ଲୁଟେରା ଭରଣା କରିବେ ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି। ୨୦୦୯ରୁ ଆଜି ଯାଏ ରାଜ୍ୟର ଏମ୍ପ୍ଲୟମେଣ୍ଟ୍ ଏକ୍ସଚେଞ୍ଜ୍‌ରେ ୨୨ ଲକ୍ଷ ୫୭ ହଜାର ବେକାର ଯୁବକ, ଯୁବତୀ ଚାକିରି ପାଇଁ ନାମ ପଞ୍ଜୀକୃତ କରିଥିଲା ବେଳେ ନିଯୁକ୍ତି ମିଳିଛି ମାତ୍ର ୨୬,୪୫୦ ଜଣଙ୍କୁ। ଅର୍ଥାତ ନିଯୁକ୍ତି ହାର ୧ ପ୍ରତିଶତ। ସରକାର ଏହି ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର