ତାଲା ପଡ଼ିରହିଛି ବିଜୁବାବୁଙ୍କ ଅସ୍ଥି କଳସ; ଶ୍ରାଦ୍ଧଦିବସରେ ଜଳିଲାନି ଧୂପ, ଦୀପ

ତାଲା ପଡ଼ିରହିଛି ବିଜୁବାବୁଙ୍କ ଅସ୍ଥି କଳସ; ଶ୍ରାଦ୍ଧଦିବସରେ ଜଳିଲାନି ଧୂପ, ଦୀପ

ପୁରୀ : ଦିନେ କି ମାସେ ନୁହେଁ, ୪ ବର୍ଷ ହେଲାଣି ପୁରୀ ଅର୍ବାନ ହାଟର ୧୪ ନମ୍ବର କକ୍ଷରେ ବିଜୁ ପଟ୍ଟନାୟକଙ୍କ ଅସ୍ଥି କଳସ ପୂଜା ପାଉଥିଲା। ବିଜୁବାବୁଙ୍କ ଏହି ଅସ୍ଥି କଳସକୁ ମୁଖ୍ୟମନ୍ତ୍ରୀ ନେବାକୁ ବହୁଦିନରୁ ଦାବି ହୋଇଆସୁଛି। ଯଦି ମୁଖ୍ୟମନ୍ତ୍ରୀ ଏହି ଅସ୍ଥି କଳସ ନ ନିଅନ୍ତି, ଶ୍ରୀଜଗନ୍ନାଥ ସେନା ଇଣ୍ଡୋନେସିଆକୁ ଏହି ଅସ୍ଥି କଳସ ପ୍ରଦାନ କରିଦେବ ଓ ଇଣ୍ଡୋନେସିଆ ଦୂତବାସ ଏହାକୁ ନେବାକୁ ଆଗ୍ରହୀ ରହିଥିବା ସେନା କହିଛି। ଜିଲ୍ଲା ପ୍ରଶାସନ ଏହାକୁ ନେଇ ଅଡ଼ୁଆରେ ପଡ଼ିବା ଓ ବିବାଦ ମୁଣ୍ଡ ଟେକିବା ପରେ ଏବେ ବିଜୁ ବାବୁଙ୍କ ଏହି ଅସ୍ଥି କଳସକୁ ତାଲା ପକାଇ ଦିଆଯାଇଛି। ଫଳରେ, ଏହି ଅସ୍ଥି କଳସ ଏବେ ୧୪ନମ୍ବର କକ୍ଷରେ ଅପୂଜା ରହିଛି। ଆଜି ତାଙ୍କର ଶ୍ରାଦ୍ଧଦିବସରେ ମଧ୍ୟ ଧୂପ କି ଦୀପ ଦିଆଯାଇନାହିଁ।

୨୦୧୯ ମସିହାରେ ସ୍ବର୍ଗଦ୍ବାରରୁ ବିଜୁ ସ୍ମୃତି ସ୍ତମ୍ଭ ହଟାଯିବା ପରଠାରୁ ଶ୍ରୀଜଗନ୍ନାଥ ସେନା ବିଜୁ ବାବୁଙ୍କ ଏହି ଅସ୍ଥି ଅବଶେଷ ମହଜୁଦ ରଖିଛନ୍ତି। ସେବେଠୁ ନୀଳାଚଳ ଅର୍ବାନ ହାଟରେ ୧୪ ନମ୍ବର କକ୍ଷରେ ଏହି ଅସ୍ଥି କଳସକୁ ରଖି ପୂଜାର୍ଚ୍ଚନା କରାଯାଉଥିଲା। ଦୀପ, ଧୂପ ଦିଆଯାଉଥିଲା। ୪ ବର୍ଷର ଦାବି ପରେ କେହି କର୍ଣ୍ଣପାତ ନ କରିବାରୁ ନିକଟରେ ବିଜୁ ଜୟନ୍ତୀ ଅବସରରେ ଶ୍ରୀଜଗନ୍ନାଥ ସେନା ଅସ୍ଥି କଳସ ସହ ନବୀନ ନିବାସ ଯାତ୍ରା କରିବ ବୋଲି ଘୋଷଣା କରିଥିଲା। ଯଦି ଅସ୍ଥି କଳସ କେହି ଗ୍ରହଣ ନ କରନ୍ତି, ସେନା ଏହାକୁ ସ୍ମୃତି ଉଦ୍ଦେଶ୍ୟରେ ଇଣ୍ଡୋନେସିଆ ନେବ ବୋଲି କହିଥିଲା। ଯେବେଠୁ ଏହି ଦାବି ଉଠିଛି, ବିଜୁ ବାବୁଙ୍କ ଅସ୍ଥି କଳସକୁ ତାଲା ପକାଇ ଦିଆଯାଇଛି।

ଏ ସଂପର୍କରେ ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ବିଜୁ ବାବୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ। ସ୍ବର୍ଗଦ୍ବାରରୁ ତାଙ୍କ ସ୍ମୃତିସ୍ତମ୍ଭ ଉଚ୍ଛେଦ ପରେ ରାଜ୍ୟ ସରକାର ହୁଅନ୍ତୁ କି ଜିଲ୍ଲା ପ୍ରଶାସନ, ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମୃତିସ୍ତମ୍ଭ ବସାଇବାକୁ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି। ସେ ସମୟରେ ସ୍ବର୍ଗଦ୍ବାରରୁ ଯେଉଁ ଅସ୍ଥି ଆମେ ସଂଗ୍ରହ କରିଥିଲୁ, ତାକୁ ଶୋଭାଯାତ୍ରା ସହକାରେ ଆଣି ଅର୍ବାନ ହାଟରେ ରଖିଥିଲୁ। ଜିଲ୍ଲା ପ୍ରଶାସନ ସହଯୋଗରେ ୪ ବର୍ଷ ହେଲା ବିଜୁ ବାବୁଙ୍କ ଅସ୍ଥି କଳସ ଅର୍ବାନ ହାଟରେ ରଖାଯାଇଛି। ନିୟମିତ ସେନା ପକ୍ଷରୁ ଅସ୍ଥି କଳସ ନିକଟରେ ଧୂପ, ଦୀପ ଦିଆଯାଉଥିଲା। କିନ୍ତୁ, ଯେବେଠୁ ଆମେ ନବୀନ ନିବାସ ଯାତ୍ରା କଥା ଉଠାଇଲୁ, ସେବେଠୁ ଅସ୍ଥି କଳସ ଥିବା ୧୪ ନମ୍ବର କକ୍ଷରେ ତାଲା ପକାଇ ଦିଆଯାଇଛି। ଆମକୁ ପାଖ ମଡ଼ାଇ ଦିଆଯାଉନି। ଅସ୍ଥି କଳସ ପାଖରେ ଦୀପ, ଧୂପ ଟିକେ ଦିଆଯାଉନି। ଆଜି ଚାରିଆଡ଼େ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇଥିଲେ ବି ଏଥିପ୍ରତି କେହି ଦୃଷ୍ଟି ନ ଦେବା ଦୁର୍ଭାଗ୍ୟଜନକ‌ ବୋଲି ସେ କହିଛନ୍ତି। ଏଥିସହିତ, ଯଦି ଅସ୍ଥି କଳସ କେହି ନ ନିଅନ୍ତି ଓ ପୂଜା ପାଉଥିବା କକ୍ଷରୁ ତାଲା ନ ଫିଟେ, ଶ୍ରୀଜଗନ୍ନାଥ ସେନା ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe