ବିଜୁବାବୁଙ୍କ ବ୍ୟକ୍ତିଗତ ସଚିବ ଗୌରମୋହନଙ୍କ ପରଲୋକ

ଟାଙ୍ଗୀ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ ଗୌରମୋହନ ଷଡ଼ଙ୍ଗୀଙ୍କର (୮୬) ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି। କେବଳ ରାଜନୈତିକ ନୁହେଁ, ବିଜୁବାବୁଙ୍କ ପରିବାର ସହିତ ବି ତାଙ୍କର ଘନିଷ୍ଠ ସଂପର୍କ ରହିଆସିଥିଲା। କଟକ ଜିଲ୍ଲାର ଟାଙ୍ଗୀ ମଦନ ମୋହନସାହିରେ ରହିଆସୁଥିବା ‌ଗୌରମୋହନ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଗୌରମୋହନଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି।

ଗୌରମୋହନ ୧୯୮୫ରୁ ୧୯୯୨ ଯାଏ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିଲେ। ୧୯୮୫ରେ ବିଜୁବାବୁ ବିରୋଧୀଦଳ ନେତା ଥିବାସମୟରେ ଏବଂ ୧୯୯୦ରେ ମୁଖ୍ୟମନ୍ତ୍ରୀ ଥିବାବେଳେ ୧୯୮୫ରୁ ୧୯୯୫, ୧୦ ବର୍ଷ ପାଇଁ ସେ ସଚିବ ଭାବେ ନିଯୁକ୍ତି ହୋଇଥିଲେ।୧୯୯୨ମସିହାରେ ଦିଲ୍ଲୀଠାରେ ଏକ କାର୍ ଦୁର୍ଘଟଣା ଶିକାରହୋଇ ଗୁରୁତର ଭାବେ ଆହତ ହେବାପରେ ସେ ଚାକିରିରୁ ଅବ୍ୟାହତି ନେଇଥିଲେ। କିନ୍ତୁ, ବିଜୁବାବୁ ତାଙ୍କୁ ନିଜର ବେସରକାରୀ ସଚିବ ଭାବେ ନିଯୁକ୍ତି ଦେଇଥିଲେ। ୧୯୯୭ମସିହାରେ ବିଜୁବାବୁଙ୍କ ମୃତ୍ୟୁର ସାତଦିନ ପୂର୍ବରୁ ଦିଲ୍ଲୀରେ ଗୌରମୋହନଙ୍କ ସହିତ ତାଙ୍କର ଶେଷ ସାକ୍ଷାତ ହୋଇଥିଲା। ୧୯୩୬ ଅଗଷ୍ଟ ୧୪ ତାରିଖରେ ଗୌରମୋହନ ଟାଙ୍ଗୀ ମଦନମୋହନ ସାହିରେ ଜନ୍ମଗ୍ରହଣ କରିଥିଲେ। ଟାଙ୍ଗୀ ବିଦ୍ୟାପୀଠରେ ମାତ୍ର ୮ମାସ ଶିକ୍ଷକତା କରିବାପରେ ଓଡ଼ିଶା ପ୍ରଶାସନିକ ସେବାରେ ସେ ଯୋଗ ଦେଇଥିଲେ। ବିଜୁବାବୁଙ୍କ ସହିତ ଅତିବାହିତ କରିଥିବା ସମୟର ଅନୁଭୂତିକୁ ନେଇ ସେ ‘ଗୌର ଚନ୍ଦ୍ରିକା’ ଓ ‘ମହାନାୟକ ବିଜୁ ପଟ୍ଟନାୟକ’ ନାମରେ ଦୁଇଟି ପୁସ୍ତକ ରଚନା କରିଛନ୍ତି।

ଗୌରମୋହନଙ୍କ ମୃତ୍ୟୁ ଖବରପାଇ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା, ଟାଙ୍ଗୀ-ଚୌଦ୍ୱାର ପଂଚାୟତ ସମିତି ଅଧକ୍ଷା ମିନାକ୍ଷୀ ଦାସ, ଶିଳ୍ପପତି ପ୍ରମୋଦଚନ୍ଦ୍ର ରଥ, ଡାକ୍ତର ଶକ୍ତିପ୍ରସାଦ ସାହୁ,  ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଞ୍ଜନ ସାମଲ, ସରପଞ୍ଚ ସୁମନପ୍ରଭା ସାହୁ, ଯୁବ ସଙ୍ଗଠକ ବିରଜା ପ୍ରସାଦ ରାଉତ, ଜନ୍ମେଜୟ ଖିଲାର, ଆଶୁତୋଷ ବରାଳ, ଗାନ୍ଧିବାଦୀ ସମାଜସେବୀ ବିଷ୍ଣୁ ଦାସ, ସାମାଜିକ କର୍ମୀ ରବୀନ୍ଦ୍ର ଲେଙ୍କା, ଜଗବନ୍ଧୁ ସାହୁ, ଦୈତ୍ୟାରୀ ସାହୁ, ଅଜୟ ପୃଷ୍ଟି, ଶ୍ରୀନିବାସ ସାହୁ, ବସନ୍ତ କୁମାର ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତାଙ୍କର ଶେଷଦର୍ଶନ କରିଥିଲେ। ତାଙ୍କର ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଟାଙ୍ଗୀ ବଜାର ପରିକ୍ରମା କରିବାପରେ ଗ୍ରାମଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଛି। ଟାଙ୍ଗୀ ଅଞ୍ଚଳର ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଶେଷକୃତ୍ୟରେ ସାମିଲ ହୋଇଥିଲେ। ଗୌରମୋହନଙ୍କ ପୁତ୍ର ପ୍ରଫୁଲ୍ଲ, ପ୍ରଣବ, ପ୍ରବୋଧ, ମାଧୁର୍ଯ୍ୟ ଓ ଝିଅ ଜୟଶ୍ରୀଙ୍କ ସମେତ ପରିବାର ସଦସ୍ୟ, ବନ୍ଧୁ ଓ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର