ନଭେମ୍ବରରେ ବିଜୁଙ୍କ ଡାକୋଟା ଆସିବ ଭୁବନେଶ୍ୱର

ଡିସେମ୍ବର ସୁଦ୍ଧା ପୁରୁଣା ରୂପରେ ପ୍ରଦର୍ଶନ

କଟକ,(ସଚ୍ଚିକାନ୍ତ ନାଥ): କୋଲ୍‌କାତାର ନେତାଜୀ ସୁଭାଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ପଡ଼ି ରହିଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କଳିଙ୍ଗ ଏୟାର୍‌ଲାଇନ୍‌ସର ଡାକୋଟା ବିମାନ ଭୁବନନେଶ୍ବର ଆସିବାର ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଅନୁମୋଦନ ପରେ ଏହା ତ୍ବରାନ୍ବିତ ହୋଇଛି। କୋଲକାତାର ନିଲୁ ଇଣ୍ଟେରିଅର୍‌ ପକ୍ଷରୁ ନେତାଜୀ ସୁଭାଷ ବିମାନ ବନ୍ଦରରେ ଆଜି ଉକ୍ତ ଡାକୋଟାର ଖୋଲିବା( ଡିସମେଣ୍ଟାଲ୍‌) ପ୍ରକ୍ରିୟା ଆରମ୍ଭ ହୋଇଛି। ଡାକୋଟା ବିମାନର ଆଖପାଖ ଅଞ୍ଚଳ ସଫା କରାଯାଉଛି। କୋଲ୍‌କାତା ବିମାନ ବନ୍ଦରର ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ବିମାନ ଖୋଲିବା ପାଇଁ ୱେଲଡିଂ ଯନ୍ତ୍ରପାତି ବ୍ୟବହାରର ଅନୁମତି ମିଳିବା ପରେ ଆସନ୍ତା ୨୧/୨୨ ତାରିଖରୁ ବିମାନ ଖୋଲାଯିବ ଓ ନଭେମ୍ବର ପ୍ରଥମ ସପ୍ତାହରେ ଏହା ଭୁବନେଶ୍ବରକୁ ଅଣାଯିବ ବୋଲି ନିଲୁ ଇଣ୍ଟେରିଅର୍‌ର ମୁଖ୍ୟ ନିଲୁ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଇଣ୍ଡୋନେସିଆର ଉପ-ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କରି ଦିଲ୍ଲୀକୁ ଆଣିବା ତଥା ୧୯୪୭-୪୮ ମସିହା କଶ୍ମୀର ଅପରେସନ୍‌ରେ ବିଶେଷ ଭୂମିକା ଗ୍ରହଣ କରିଥିବା ପୂର୍ବତନ ମୁ୍ଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୮ଟି ଡାକୋଟା ବିମାନ ଭିତରୁ ଗୋଟିଏ କୋଲ୍‌କାତାର ନେତାଜୀ ସୁଭାଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ପଡ଼ି ରହିଛି। ଉକ୍ତ ବିମାନକୁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଆଣିବା ପାଇଁ ଗତବର୍ଷ ରାଜ୍ୟ ସରକାର ଯୋଜନା କରିଥିଲେ। ଚଳିତବର୍ଷ ଜାନୁଆରି ପ୍ରଥମ ସପ୍ତାହରୁ ସରକାର ଏଥିପାଇଁ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଥିଲେ। ଜାନୁଆରି ୨୧ ତାରିଖରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ସଚିବ ପ୍ରେମାନନ୍ଦ ଖୁଣ୍ଟିଆ ଏ ନେଇ ‌ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ)ର ଅଧ୍ୟକ୍ଷ ଅରବିନ୍ଦ୍‌ ସିଂଙ୍କୁ ପତ୍ର ଲେଖିଥିଲେ। ଏଏଆଇର ଅନୁମୋଦନ ପରେ ଏହାକୁ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। କୋଲ୍‌କାତାର ନିଲୁ ଇଣ୍ଟେରିଅର୍‌ ଏହାର ସ୍ଥାନାନ୍ତର ଠିକା ପାଇଛି। ଚୁକ୍ତି ମୁତାକବ, ଉକ୍ତ ସଂସ୍ଥା ଡାକୋଟା ବିମାନକୁ ଖୋଲି ସଡ଼କପଥରେ ଭୁବନେଶ୍ବରକୁ ଆଣି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ତାହାକୁ ଯୋଡ଼ି ପୁରୁଣା ଅବସ୍ଥାକୁ ଆଣିବ। ବିମାନଟି କୋଲ୍‌କାତା ବିମାନ ବନ୍ଦରର ରନ୍‌ୱେ ନିକଟରେ ରଖାଯାଇଥିବାରୁ ଏହାକୁ ଖୋଲିବାରେ କେତେକ କଟକଣା ରହିଛି। ବିମାନ ବନ୍ଦର ନିୟମ ଅନୁଯାୟୀ ଗ୍ୟାସ୍‌ କଟର୍‌ ବ୍ୟବହାର ପାଇଁ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ଅନୁମତି ଲୋଡ଼ା। ନିଲୁ ଇଣ୍ଟେରିଅର୍‌ ବିମାନ ବନ୍ଦର ଭିତରେ ଗ୍ୟାସ୍‌ କଟର୍‌ ବ୍ୟବହାର ପାଇଁ ଅନୁମତି ମାଗିଛି। ଆସନ୍ତା ୨୧/୨୨ ତାରିଖରେ ଅନୁମତି ମିଳିବ ବୋଲି ତାଙ୍କୁ ସୂଚନା ଦିଆଯାଇଛି। ଅନୁମତି ମିଳିବା କ୍ଷଣି ବିମାନଟି ଖୋଲାଯାଇ ନଭେମ୍ବର ଆରମ୍ଭରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ପଠାଯିବ ବୋଲି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି। ‘ବିଜୁବାବୁ ବ୍ୟବହାର କରିଥିବା ଉଡ଼‌ାଜାହାଜକୁ ଖୋଲି ଭୁବନେଶ୍ବରକୁ ନେଇ ଯୋଡ଼ି ପୁରୁଣା ରୂପ ଦେବାର ଠିକା ମିଳିବା ମୋ ପାଇଁ ସୌଭାଗ୍ୟର ବିଷୟ। ମୋ ସଂସ୍ଥା ଏହାକୁ ପୁରୁଣା ରୂପ ଦେବା ପାଇଁ ସବୁ ପ୍ରକାର ଉଦ୍ୟମ କରିବ’ ବୋଲି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି।

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦ୍ବାରା ପ୍ରତିଷ୍ଠିତ କଳିଙ୍ଗ ଏୟାରଲାଇନ୍‌ସରେ ସମୁଦାୟ ୧୮ଟି ଡାକୋଟା(ଭିଟି-ଏଭିଆଇ) ବିମାନ ଥିଲା। ଡାକୋଟା ବିମାନ ଗୋଟିକ ପରେ ଗୋଟିଏ ଦୁର୍ଘଟଣାଗ୍ରସ୍ତ ହୋଇ ମାତ୍ର ୬ଟିରେ ରହିଯାଇଥିଲା। ଉକ୍ତ ୬ଟି ଡାକୋଟା ବିମାନ ଭିତରୁ ଗୋଟିଏ କୋଲ୍‌କାତାର ନେତାଜୀ ସୁଭାଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ, ଗୋଟିଏ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓ ଗୋଟିଏ ଇଣ୍ଡୋନେସିଆ ସରକାର ସନ୍ତକ ଭାବେ ସେଠାରେ ରଖିଥିବା ବେଳେ ଅନ୍ୟ ୩ଟି ସମ୍ପର୍କରେ କାହା ପାଖରେ ଅଛି, କିଛି ତଥ୍ୟ ନାହିଁ। ଉଲ୍ଲେଖଯୋଗ୍ୟ ଯେ ତତ୍‌କାଳୀନ କଳିଙ୍ଗ ଏୟାର୍‌ଲାଇନ୍‌ସର ୧୯୫୩ ମସିହାରେ ଇଣ୍ଡିଆନ୍‌ ଏୟାରଲାଇନ୍‌ସରେ ବିଲୟ ଘଟିଥିଲା।

ସମ୍ବନ୍ଧିତ ଖବର