ବିଜୁଙ୍କ ଡାକୋଟା ଆସିବ!

ପୂର୍ତ ବିଭାଗକୁ ପ୍ରସ୍ତାବ ଦେଲା ବାଣିଜ୍ୟ ଓ ପରିବହନ ବିଭାଗ
ଅନୁ‌ମୋଦନ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ‌ହେବ

ଭୁବନେଶ୍ବର : ଇଣ୍ତୋନେସିଆ ଓ ଭାରତୀୟ ସ୍ବାଧୀନତା ସ˚ଗ୍ରାମର ଅନ୍ୟତମ ଐତିହାସିକ ସ୍ବାକ୍ଷର ବହନ କରିଆସିଥିବା ଦୁର୍ଦ୍ଧର୍ଷ ବୈମାନିକ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ‘ଡାକୋଟା (ଡିସି-୩) ଓଡ଼ିଶାକୁ ଫେରିବା ଆଶା ଦୀର୍ଘ ୪ ବର୍ଷ ପରେ ପୁଣି ଥରେ ଉଜ୍ଜୀବିତ ହୋଇଛି। କୋଲକତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରର ଅଗମ୍ୟ କୋଣରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା ଏହି ଐତିହାସିକ ବିମାନକୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଆଣି ସେଠାରେ ସ୍ମାରକୀ ରୂପେ ସ୍ଥାପନ କରିବା ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ବିଭାଗ ଦ୍ବାରା ପ୍ରସ୍ତୁତ ‘ପ୍ରସ୍ତାବ ଆହ୍ବାନ’ (ଆର‌ପିଏଫ୍‌)ର ଅନୁମୋଦନ ନିମନ୍ତେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ମୁଖ୍ୟଙ୍କ ନିକଟକୁ ପଠାଯାଇଛି। ଆର‌ପିଏଫ୍‌ରେ ଥିବା ସର୍ତ୍ତାବଳୀର ଆନୁଷ୍ଠାନିକ ଅନୁମୋଦନ ପରେ ବିଧିବଦ୍ଧ ଟେଣ୍ତର ଆହ୍ବାନ କରାଯିବ ବୋଲି ଜଣାପଡ଼ିଛି।

ଇତିହାସ ତଥ୍ୟ ଅନୁଯାୟୀ ପ୍ରାୟ ୩୦୦ ବର୍ଷ ଧରି ଫ୍ରାନ୍ସ ଅଧୀନରେ ଓ ଦ୍ବିତୀୟ ବିଶ୍ବ ଯୁଦ୍ଧ କାଳରେ ମାତ୍ର ୩ ବର୍ଷ ପାଇଁ ଜାପାନ ଅଧୀନରେ ଥିବା ଇଣ୍ତୋନେସିଆକୁ ବ୍ରିଟେନ୍‌ ନେତୃତ୍ବାଧୀନ ମିତ୍ର ଶକ୍ତି ସ୍ବାଧୀନ ଘୋଷଣା କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ ମଧୢ ଫ୍ରାନ୍ସ ଏହାକୁ ପୁନର୍ବାର ଅଧିକାର କରିବାକୁ ଷଡ଼ଯନ୍ତ୍ର ଆରମ୍ଭ କରିଥିଲା। ଏହି କ୍ରମରେ ଆତ୍ମଘୋଷିତ ଇଣ୍ତେନେସିଆର ପ୍ରମୁଖ ସ୍ବାଧୀନତା ସ˚ଗ୍ରାମୀ ସୁକର୍ଣ୍ଣ, ମହମ୍ମଦ ହାତ୍ତା ଓ ସୁତାନ୍‌ ସାହିରିର‌୍‌ ଆଦି ନେତାମାନେ ପ୍ରାନ୍ସ ସେନାର ନଜର ବନ୍ଦୀ ଥିଲେ। ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକୁ ସ୍ବାଧୀନ କରିବା ଲାଗି ନେତୃତ୍ବ ନେଇଥିବା ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ୍‌ ନେହରୁଙ୍କ ନିର୍ଦ୍ଦେଶରେ ବୈମାନିକ ବିଜୁ ପଟ୍ଟନାୟକ ଫରାସୀ ସେନାଙ୍କ ଗୁଳିଗୋଳାକୁ ଭ୍ରୂକ୍ଷେପ ନକରି ଅଦମ୍ୟ ସାହସ ଓ କୌଶଳ ପ୍ରଦର୍ଶନ କରି ଇଣ୍ତୋନେସିଆର ନେତାମାନଙ୍କୁ ନିରାପଦରେ ଦିଲ୍ଲୀ ନେଇ ଆସିଥିଲେ। ଏହି ନେତାମାନେ ପରବର୍ତ୍ତୀ ସମୟରେ ଯଥାକ୍ରମେ ସେ ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପୂର୍ବରୁ ଇଣ୍ତୋନେସିଆ ସ୍ବାଧୀନତା ସ˚ଗ୍ରାମୀମାନଙ୍କୁ ଔଷଧ ଓ ଅନ୍ୟାନ୍ୟ ମାନବୀୟ ସହାୟତା ପ୍ରଦାନ ଲାଗି ବର୍ଷାଧିକ କାଳ ନିୟୋଜିତ ହୋଇଥିଲା ବିଜୁଙ୍କ କଳିଙ୍ଗ ଏୟାର ଲାଇନ୍ସର ଡଜନେ ଡାକୋଟା ବିମାନ। ପୁଣି ଭାରତ ସ୍ବାଧୀତା ହେବା ମାତ୍ରେ ଚୀନ ସହାୟତାରେ ପାକିସ୍ତାନର ଆକ୍ରମଣ ଓ ପରେ ପରେ ଚୀନ ଆକ୍ରମଣ ବେଳେ ସୀମାନ୍ତରେ ସେମାନଙ୍କ ମୁକାବିଲା କରୁଥିବା ଭାରତୀୟ ସେନାଙ୍କ ପାଇଁ ବିଜୁ ନିଜ ଡାକୋଟାରେ ଖାଦ୍ୟ ଓ ଯୁଦ୍ଧାସ୍ତ୍ର ପହଞ୍ଚାଉଥିଲେ। ଏସବୁ ଦୃଷ୍ଟିରୁ କିମ୍ବଦନ୍ତୀ ନେତା ବିଜୁଙ୍କ ଡାକୋଟା ଦେଶ ପାଇଁ ଓ ବିଶେଷକରି ଆମ ଓଡ଼ିଆଙ୍କ ପାଇଁ ଯଥେଷ୍ଟ ଗୌରବ ବହନ କରେ। ମାତ୍ର ପରିତାପର ବିଷୟ ସେଥିରୁ ଗୋଟିଏ ଡାକୋଟା କୋଲକାତା ବିମାନ ବନ୍ଦରର ଅଗମ୍ୟ କୋଣରେ ଖୋଲା ଆକାଶ ତଳେ ଦୀର୍ଘ ବର୍ଷ ଧରି ପଡ଼ିରହିବା ସହ ଏହାର ଚାରିପାଖ ଛୋଟ ଜଙ୍ଗଲରେ ପରିଣତ ହୋଇଛି।

ବିଜୁଙ୍କ ଡାକୋଟା ବିମାନକୁ କୋଲକାତାରୁ ଆଣି ଭୁବନେଶ୍ବର ବିମାନ ବନ୍ଦରରେ ସ୍ମାରକୀ ସ୍ଥାପନ ନିମନ୍ତେ ବିଭିନ୍ନ ସମୟରେ ଦାବି ହୋଇଆସିଥିଲେ ମଧୢ ପ୍ରାୟ ୪ ବର୍ଷ ତଳେ ଏହା ଜୋର ଧରିଥିଲା। ବିଜୁଙ୍କ ଜନ୍ମ ଶତବାର୍ଷିକୀରେ ଏହି ସ୍ମାରକୀ ଲୋକଲୋଚନକୁ ଆସିବ ବୋଲି ଆଶା ସଞ୍ଚାର ହୋଇଥିଲା। ମାତ୍ର କିଛି ଦିନ ପୂର୍ବେ ଇହଲୀଳା ତ୍ୟାଗ କରିଥିବା ଆଇଏଏସ୍‌ ଅଫିସର ଗୁରୁପ୍ରସାଦ ମହାପାତ୍ର ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ଅଧୢକ୍ଷ ଥିବା ବେଳେ ଡାକୋଟା ବିମାନଙ୍କୁ ଓଡ଼ିଶା ଆଣିବା ଲାଗି ବିଶେଷ ଉଦ୍ୟମ ଆରମ୍ଭ କରିଥିଲେ। ଆବଶ୍ୟକ ପଦକ୍ଷେପ ତ୍ବାରାନ୍ବିତ ନିମନ୍ତେ ସେ ଭୁବନେଶ୍ବର ଓ କୋଲକାତା ବିମାନ ବନ୍ଦର କତ୍ତୃର୍ପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହ ଓଡ଼ିଶା ସରକାରଙ୍କୁ ବାରମ୍ବାର ଚିଠି ଲେଖିଥିଲେ। ଏପରିକି ଡାକୋଟା ବିମାନକୁ ଓଡ଼ିଶା ସ୍ଥାନାନ୍ତର ପାଇଁ ଆବଶ୍ୟକ ପରିବହନ ଖର୍ଚ୍ଚ ବିମାନ ବନ୍ଦର ପ୍ରାଧିକରଣ ବହନ କରିବ ବୋଲି ସେ ମଧୢ ପ୍ରତିଶ୍ରୁତି ଦେଇଥିଲେ। ଏସବୁ ସତ୍ତ୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ ତତ୍ପରତା ପରିଲକ୍ଷିତ ହୋଇନଥିଲା।

ତେବେ ଡାକୋଟା ଆଣିବାକୁ ଆର‌୍‌ପିଏଫ୍‌ ସର୍ତ୍ତାବଳୀର ବିଚାର ଆରମ୍ଭ ହୋଇଥିବାରୁ ନିକଟ ଭବିଷ୍ୟତରେ ସେଥିପାଇଁ ଟେଣ୍ତର ହେବ ବୋଲି ଆଶା କରାଯାଉଛି। ଚଉଷଠି ଫୁଟ ୮ ଇଞ୍ଚ ଲମ୍ବ ଡାକୋଟାର ଉଭୟ ଡେଣାର ଦୈର୍ଘ୍ୟ ୯୫ ଫୁଟ୍‌ ୨ ଇଞ୍ଚ ଓ ଏହାର ଉଚ୍ଚତା ୧୬ ଫୁଟ୍‌ ୧୧ ଇଞ୍ଚ। ତେଣୁ ପରିବହନ ପୂର୍ବରୁ ଏହାର କିଛି ଅ˚ଶକୁ ପୃଥ କରାଯାଇ ସଡ଼କ ପରିବହନ ଯୋଗ୍ୟ କରାଯିବ। ଏଠାରେ ପହଞ୍ଚିବା ପରେ ପ୍ରସ୍ତାବିତ ସ୍ମାରକୀସ୍ଥଳରେ ପୁରୁଣା ଡାକୋଟାର ବାହ୍ୟ ଅ˚ଶକୁ ପୁନରୁଦ୍ଧାର କରାଯାଇ ର˚ଗ କରାଯିବ। ଏ ଦିଗରେ ଅନୁଭୂତି ଥିବା ସ˚ସ୍ଥାକୁ ଟେଣ୍ତର ଜରିଆରେ ଚୟନ କରାଯିବା ପ୍ରସ୍ତାବ ଅଛି। ସଦ୍ୟ ପ୍ରୟାସ ଯଦି ବାସ୍ତବ ରୂପ ନିଏ, ତେବେ ବିଜୁଙ୍କ ପାଇଁ ଏହା ଅନ୍ୟତମ ଶ୍ରଦ୍ଧାଞ୍ଜଳି ହେବ। ଅନ୍ୟ ପକ୍ଷରେ ଏଥିପାଇଁ ବ୍ୟକ୍ତିଗତ ଉଦ୍ୟମ କରିଥିବା ସ୍ବର୍ଗତଃ ମହାପାତ୍ରଙ୍କ ଆତ୍ମା ମଧୢ ଶାନ୍ତି ପାଇବ।

ସମ୍ବନ୍ଧିତ ଖବର