ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଜି ପଞ୍ଚମ ଦିନରେ ପହଞ୍ଚିଛି।

Advertisment

କେନ୍ଦୁଝର ସଦର ବ୍ଲକ୍‌ ରାଇସୁଆଁ ଗ୍ରାମ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, କୃଷି ବୀମା ଯୋଜନା ଆଦି ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ବିଭିନ୍ନ ଯୋଜନାର ହିତାଧିକାରୀମାନେ ନିଜର ଅନୁଭୂତି ପ୍ରକାଶ କରିଥିଲେ । ସେହିପରି କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ ଜନାର୍ଦ୍ଦନପୁର ଗ୍ରାମ ପଞ୍ଚାୟତରେ ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି । ଯାତ୍ରା ଅବସରରେ ହିତାଧିକାରୀଙ୍କୁ ସଚେତନ କରାଯିବା ସହିତ କିଛି ହିତାଧିକାରୀଙ୍କ ପଞ୍ଜୀକରଣ ଓ ସହାୟତା ବିତରଣ ମଧ୍ୟ କରାଯାଇଛି।

ଅନ୍ୟପଟେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ଗୋବର୍ଦ୍ଧନପୁର ଏବଂ କଦମଗୁଡ଼ା ଗ୍ରାମପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗୋବର୍ଦ୍ଧନପୁର ଠାରେ ବହୁ ମହିଳା ହିତାଧିକାରୀ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ସ୍ୱାଗତ କରିଥିଲେ । ସରପଞ୍ଚ ବୈଦେହୀ ମାଝୀ, ରୁଦ୍ରନାରାୟଣ ସାହୁ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ସେବତୀ ହରିଜନ ନିଜର ପ୍ରତିକ୍ରିୟାରେ କହିଥିଲେ ଯେ, ସ୍ୱଚ୍ଛ ରୋଷେଇ ଇନ୍ଧନ ପାଇଁ ସେ ଓ ତାଙ୍କ ପରିବାର ବିଶେଷ ଉପକୃତ ହୋଇଛନ୍ତି । ଲାଞ୍ଜିଗଡ଼ ବ୍ଲକ୍‌ କଦମଗୁଡ଼ା ପଞ୍ଚାୟତରେ ପାରମ୍ପରିକ ଘୁମୁରା ବାଦ୍ୟ ବଜାଇ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ସ୍ୱାଗତ କରାଯାଇଛି । ପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସଚେତନ କରାଯାଇଛି।