ବାଇକ୍‌-ହାଇୱା ଧକ୍କା: ଶାଳୀ, ଭିଣୋଇ ମୃତ

ରିଆମାଳ: ଦେବଗଡ଼ ଜିଲ୍ଲା କୁ‌ଣ୍ଢେଇଗୋଳା ଥାନା ବୁଢ଼ାପାଳ-ରେଙ୍ଗାଳି ରାସ୍ତାର ଛତ୍ରିପିଟାଠାରେ ରବିବାର ଏକ ହାଇୱା ଧକ୍କାରେ ବାଇକ୍‌ରେ ଯାଉଥିବା ଶାଳୀ ଭିଣୋଇଙ୍କ ମୃତ୍ୟୁ ଘଟିଥିବା ବ‌େଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଭିଣୋଇଙ୍କ ନାମ ଅଧିକାରୀ ବେହେରା (୩୦) ଓ ଶାଳୀଙ୍କ ନାମ ରିଙ୍କି ବେହେରା (୨୬) ବୋଲି ଜଣାପଡ଼ିଛି। ରିଙ୍କିଙ୍କ ଭାଇ ବିଷ୍ଣୁ ବେହେରା (୧୦) ଗୁରୁତର ଆହତ ହୋଇଛନ୍ତି। ରିଙ୍କି ମାସେ ତଳେ ବିବାହ କରିଥିଲେ ଓ ଭିଣୋଇ ଓ ଭାଇଙ୍କ ସହ ନିଜ ଘରକୁ ଫେରୁଥିଲେ। ତାଙ୍କର ଦୁଃଖଦ ମୃତ୍ୟୁକୁ ଉଭୟ ବାପଘର ଓ ଶ୍ବଶୁର ‌ଘର ଲୋକ ସହଜରେ ଗ୍ରହଣ କରି ପାରୁନାହାନ୍ତି।

ଅନୁଗୋଳ ଜିଲ୍ଲା ଗେଙ୍ଗଠିଆର ରିଙ୍କି ବେହେରା (୨୬) ଗତ ମାସରେ ରିଆମାଳ ବ୍ଲକ୍‌ ଖିଲେଇ ପଂଚାୟତ ମୂଷାକାନି ଗ୍ରାମର ରଞ୍ଜନ ବେହେରାଙ୍କୁ ବିବାହ କରିଥିଲେ। ବିବାହର ମାସ‌େ ପରେ ରୀତି ଅନୁସାରେ ତାଙ୍କୁ ବାପଘରକୁ ନେବାପାଇଁ ଭାଇ ବିଷ୍ଣୁ ଓ ଭିଣୋଇ (ଅନୁଗୋଳ ଜିଲ୍ଲା ଶଗଡ଼ିଆର) ଅଧିକାରୀ ମୂଷାକାନି ଗାଁକୁ ଆସିଥିଲେ। ସେମାନେ ଏକ ବାଇକ୍‌ରେ ଫେରୁଥିବା ବେଳେ ଅପରାହ୍‌ଣ ୫ଟାରେ ଛତ୍ରିପିଟାଠାରେ ଥିବା ଦୁର୍ଗା କମ୍ପାନି କ୍ରସର୍‌ର ଏକ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ରିଙ୍କି ଓ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା। ଛତ୍ରିପିଟା ଗ୍ରାମବାସୀ ତୁରନ୍ତ ଆମ୍ବୁଲାନ୍ସ ଓ ପୁଲିସକୁ ଖବର କରିଥିଲେ। ବିଷ୍ଣୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ଜଣାଯାଇଛି। ଖଇରିପାଲି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଓ ଗାଡ଼ିକୁ ଜବତ କରିଛି। ରିଙ୍କିଙ୍କ ବାପଘର ଓ ଶ୍ବଶୁର ଲୋକ ଲୋକ ଦୁର୍ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର