ବାଇକ୍‌କୁ ପିଟିଲା ଟ୍ରକ୍‌, ୩ ମୃତ

ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାଣିକୋଇଲି ଥାନା ସମ୍ମୁଖ ବୁଲାଣିରେ ଏକ ଦ୍ରୁତଗାମୀ ଟ୍ରକ୍‌ ଏକ ବାଇକ୍‌କୁ ଧକ୍କା ଦେବା ଫଳରେ ତିନି ତିନିଟି ଜୀବନ ଚାଲି ଯାଇଛି। ୧୬ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବାରୁ ବର୍ତ୍ତମାନ ଗୋଟିଏ ପାଖିଆ ରାସ୍ତାରେ ଅନେକ ସ୍ଥାନରେ ଗାଡ଼ି ଚଳାଚଳ ହେଉଛି। ସମୟ ପାଖପାଖି ଭୋର ୪ଟା। ପାଣିକୋଇଲି ଥାନା ତଣ୍ତରା ଗ୍ରାମର କାଠିଆ ଦଳେଇଙ୍କ ପୁଅ ପରୀକ୍ଷିତ ଦଳାଇ ଓରଫ ସିପୁନ(୨୩) ଏବଂ ଅନ୍ୟ ଦୁଇ ଜଣ ପାଣିକୋଇଲି ଥାନା ନରପଦା ଗ୍ରାମର ଈଶ୍ବର ପଣ୍ତାଙ୍କ ପୁଅ ଜଗନ୍ନାଥ(୪୯) ଏବଂ ତଣ୍ତରା ଗ୍ରାମର ମହେଶ୍ବର ଦଳେଇଙ୍କ ପୁଅ ଇନ୍ଦ୍ରମଣି ଓରଫ କୁନା(୨୪) ଏକ ବାଇକରେ ମୂଳାପାଳ ସ୍ଥିତ ବାବା ଲିଙ୍ଗେଶ୍ବରଙ୍କ ଦର୍ଶନ ପାଇଁ ଯାଉଥିଲେ। ମୋଡ଼ାଣିରେ ବାଇକ ବୁଲାଇବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ସହିତ ମୁହାଁମୁହିଁ ଧକ୍କା ଲାଗିଥିଲା। ପରୀକ୍ଷିତ ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟ ଦୁଇ ଜଣ ଜଗନ୍ନାଥ ଓ ଇନ୍ଦ୍ରମଣି ଗୁରୁତର ଆହତ ହୋଇଥିଲେ। ଥାନା ସମ୍ମୁଖରେ ଘଟଣା ଘଟିଥିବାରୁ ତତ୍‌କ୍ଷଣାତ୍ ପାଣିକୋଇଲି ପୁଲିସ ମୃତ ଓ ଗୁରୁତର ଆହତ ଯୁବକଦ୍ବୟଙ୍କୁ ଯାଜପୁର ମେଡିକାଲକୁ ପଠାଇଥିଲା। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପାଣିକୋଇଲି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବୋଲି ତଦନ୍ତକାରୀ ଅଧିକାରୀ ଏଏସଆଇ ସୟଦ ବକ୍ସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର