ଧର୍ମଶାଳା,: ଧର୍ମଶାଳା ଥାନା କୁମାରୀ ପଞ୍ଚାୟତ ଦେଉଳିପାଳ ଗାଁ ରାସ୍ତାରେ ଆଜି ପୂର୍ବାହ୍ଣରେ ଏକ ବାଇକ୍ ଧକ୍କାରେ ଜଣେ ବାଳକର ମୃତ୍ୟୁ ହୋଇଛି। ମୃତ ବାଳକ ଦେଉଳିପାଳ ଗ୍ରାମର ରତିକାନ୍ତ ଖୁଣ୍ଟିଆଙ୍କ ପୁଅ ସୌମ୍ୟଜିତ୍(୧୧)। ସୌମ୍ୟଜିତ୍ ରାସ୍ତାରେ ସାଇକଲ ଚଳାଇବା ଶିଖୁଥିବା ବେଳେ ଏକ ବାଇକ୍ ତାକୁ ଧକ୍କା ଦେଇଥିଲା। ଫଳରେ ସେ ସାଇକଲ୍‌ରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲା। ଦୁର୍ଘଟଣା ଘଟାଇ ବାଇକ୍‌ ଚାଳକ ଫେରାର ହୋଇଯାଇଥିଲା।

Advertisment

ଖବରପାଇ ସୌମ୍ୟଜିତଙ୍କ ବାପା ଓ ଜଣେ ସଂପର୍କୀୟ ଏକ ବାଇକ୍‌ରେ ନାବାଳକକୁ ଧର୍ମଶାଳା ଡାକ୍ତରଖାନା ନେଉଥିବା ବେଳେ ସେମାନେ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲେ। ପରେ ସୌମ୍ୟଜିତକୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ୨୮୬/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ସୌମ୍ୟଜିତ୍ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲା। ତାର ଆକସ୍ମିକ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।