କୋଇଡ଼ା: ଖଣି ଅଞ୍ଚଳର ରାସ୍ତାଘାଟ ଉନ୍ନତି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବାସ୍ତବରେ ପରିସ୍ଥିତି କିନ୍ତୁ ଭିନ୍ନ। ରାସ୍ତା ଦୁରବସ୍ଥା ଯୋଗୁ ଜାତୀୟ ରାଜପଥରେ ବାଇକ୍‌ ଆମ୍ବୁଲାନ୍‌ସ ଅଧଘଣ୍ଟା ଫସିରହିବା ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ। ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳର ଲାଇଫ୍‌ ଲାଇନ୍ କୁହାଯାଉଥିବା ୫୨୦ ନମ୍ବର ଜାତୀୟ ରାଜପଥ ଅବସ୍ଥା ଏଥିରୁ ଅନୁମେୟ। ସୁଚନା ଅନୁଯାୟୀ ଗତ ୨୪ ତାରିଖରେ ରକ୍ସି ପଞ୍ଚାୟତ ପୁରୁଣାପାଣି ଗ୍ରାମର ମୁଗାନ୍ତି ସିଂ (୨୩) ପ୍ରସବ ପାଇଁ କେବଲାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ଆସିଥିଲେ।

Advertisment

ପ୍ରସବ ପରେ ଗୋଟିଏ ଦିନ ରହି ଶନିବାର ଦିନ ୧୦ଟା ସମୟରେ ତାଙ୍କୁ ଡାକ୍ତରଖାନାରୁ ଡିସ‌‌‌ଚାର୍ଜ କରାଯାଇଥିଲା। ରାସ୍ତା ଖରାପ ଯୋଗୁ ଚାରିଚକିଆ ଆମ୍ବୁଲାନ୍‌ସ ଯିବାରେ ସମସ୍ୟା ଥିବାରୁ ଡାକ୍ତରଖାନା ପକ୍ଷରୁ ବାଇକ୍‌ ଆମ୍ବୁଲାନ୍‌ସ ଯୋଗେ ପ୍ରସୂତି ଓ ନବଜାତକକୁ ତାଙ୍କ ଗାଁ ପୁରୁଣାପାଣିକୁ ପଠାଯାଇଥିଲା। କିଛି ବାଟ ଆସିଲା ପରେ ରକ୍ସି ରେଳଫାଟକ ନିକଟ ଜାତୀୟ ରାଜପଥ କାଦୁଅରେ ଆମ୍ବୁଲାନ୍‌ସଟି ଫସି ଯାଇଥିଲା। ଚାଳକ ଯେତେ ଚେଷ୍ଟା କଲେ ବି କାଦୁଅ ପଙ୍କରୁ ବାଇକ୍ ବାହାରିଲା ନାହିଁ। ଏ ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ବସ୍, ଛୋଟଗାଡ଼ି ଅଟକିଥିଲେ। ଯାତ୍ରୀମାନେ କାଦୁଅରେ ପଶି ବାଇକ୍ ଆମ୍ବୁଲାନ୍‌ସକୁ କାଦୁଅରୁ ବାହାର କରିଥିଲେ। ଏହା ପରେ ପ୍ରସୂତି ଓ ନବଜାତକଙ୍କୁ ପୁରୁଣାପାଣିରେ ଛଡ଼ାଯାଇଥିଲା। ବାଇକ୍‌ ଆମ୍ବୁଲାନ୍‌ସ ଚାଳକ ଜେନା ମୁଣ୍ଡା ଏହି ସମସ୍ୟା ନିତିଦିନିଆ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି।