ଖପ୍ରାଖୋଲ: ବାର୍ହା ଶିକାର କରିଥିବା ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ରେଞ୍ଜ ପକ୍ଷରୁ ଦୁଇ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଦ୍ବୟ ହେଲେ ରେଙ୍ଗାଲି ପଞ୍ଚାୟତ ଖୁରିପାଣି ଗାଁର ଅଶୋକ ମାଝୀ (୨୧ବର୍ଷ) ଓ ଭୁବ ମାଝୀ (୨୮ବର୍ଷ)। ସେମାନଙ୍କ ନିକଟରୁ ବାଇକ୍ ସହ ୨୦ କେଜି ବାର୍ହା ମାଂସ ଜବତ କରାଯାଇଛି।
ସୂଚନା ଅନୁସାରେ, ବନ କର୍ମଚାରୀମାନେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗନ୍ଧମାର୍ଦନ ପାହାଡ଼ ତଳି ସାପମୁଣ୍ଡ ମହୁଲପାଲି ଗାଁ ମଝିରେ ବାଇକ୍ରେ ଯାଉଥିବା ଉକ୍ତ ଦୁଇ ଯୁବକଙ୍କୁ ଅଟକାଇଥିଲେ। ଯାଞ୍ଚ କରିବାରୁ ସେମାନଙ୍କ ନିକଟରୁ ୨୦ କେଜି ବାର୍ହା ମାଂସ, ଦୁଇଟି ବାର୍ହା ଚମଡ଼ା ଜବତ କରିଥିଲେ। ଏନେଇ ହରିଶଙ୍କର ରେଞ୍ଜ ଓଆର୍ କେସ୍ ନଂ ୨୦୩/୨୨ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ରେଞ୍ଜ ଅଧିକାରୀ ଗିରିଧାରୀ ନାଗ ପ୍ରକାଶ କରିଛନ୍ତି।