ବାଇକ-ମାରୁତି ମୁହାଁମୁହିଁ ଧକ୍କାରେ ପଞ୍ଚାୟତ ପିଅନଙ୍କ ମୃତ୍ୟୁ, ପୁଲିସ୍ ଗାଡି ଆଗରେ ଶବ ରଖି ରାସ୍ତା ଅବରୋଧ 

କାର ଡ୍ରାଇଭର, ପିଡବ୍ଳୁଡି ଜେଇଙ୍କୁ ଉତ୍ତମ ମଧ୍ୟମ ଦେଇ ଛାଡିଲେ  

ଅମ୍ବାଭୋନା: ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ କଣ୍ଠିପାଲି ରାସ୍ତାରେ ଆଜି ବାଇକ ଓ ମାରୁତି କାର ମୁହାଁମୁହିଁ ଧକ୍କା ହେବାରେ ଭୁକ୍ତା ଗ୍ରାମପଞ୍ଚାୟତ ପିଅନ ସୁଦର୍ଶନ ପାତିକାର (୪୫) ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ସୂଚନା ମତେ ଜଣାଯାଏ ଯେ ଅମ୍ବାଭୋନା ପଟରୁ ଦ୍ରୁତ ଗତିରେ ଆସୁଥିବା ମାରୁତି (ଓଆର ୧୭ଜେ ୫୪୨୪) ଭାରସାମ୍ୟ ହରାଇ ବିପରୀତ ପଟରୁ ଆସୁଥିବା ବାଇକ (ଓଡି ୧୭ କ୍ବ୍ୟୁ-୮୩୫୮) ସହ ମୁହାଁମୁହିଁ  ଧକ୍କା ଦେଇଥିଲା ଏବଂ ସେଠାରେ  ବିଦ୍ୟୁତ ଖମ୍ଭକୁ ଜୋର ଧକ୍କା ଦେଇ ରାସ୍ତାକଡରେ ଚାଷ ଜମିକୁ କାରଟି ପଶି ଯାଇଛି । ବାଇକ ଆରୋହୀ ସୁଦର୍ଶନ ପାତିକାର ଭୁକ୍ତାରୁ ନିଜ ବାମ ପଟରେ ଥିବା ବେଳେ କାର ଡ୍ରାଇଭର ପିଡବ୍ଳୁଡି ଜେଇ ଗଜେନ୍ଦ୍ର ବେହେରା ନିଜ ବାମପଟେ ରହିଥିଲେ ହେଁ ଗାଡିର ଦ୍ରୁତ ଗତି ହେତୁ ଭାରସାମ୍ୟ ହରାଇ ଡାହାଣ ପାର୍ଶ୍ବରେ ଥିବା ବାଇକ ଆରୋହୀ ଧକ୍କା ଦେଇଥିଲା ବୋଲି ପ୍ରତକ୍ଷ୍ୟଦର୍ଶୀ ମାନେ ପ୍ରକାଶ କରିଛନ୍ତି ।

ଏହି ମୁହାଁମୁହିଁ ଧକ୍କା ହେବାରେ ଉଭୟ କାର ଓ ବାଇକ ସଂପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି । ଭାଗ୍ୟବଶତଃ କାର ଡ୍ରାଇଭର ପିଡବ୍ଳୁଡି ଜେଇ ଗଜେନ୍ଦ୍ର ବେହେରା ଅଳ୍ପକେ ଭର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ସଂପର୍କରେ ମୃତ ପରିବାର ପହଞ୍ଚିଥିଲେ ଏବଂ ଘଟଣାସ୍ଥଳରେ ଧକ୍କା ଦେଇ ଥିବା କାର ଡ୍ରାଇଭର ପିଡବ୍ଳୁଡି ଜେଇ ଗଜେନ୍ଦ୍ର ବେହେରାକୁ ପରିବାର ଲୋକେ ହତାହତି ଓ ଧସ୍ତା ଧସ୍ତି ହୋଇ ଉତ୍ତେଜନା ଦେଖାଦେଇଥିଲା । ପିଡବ୍ଳୁଡି ଜେଇ ଗଜେନ୍ଦ୍ର ବେହେରାଙ୍କୁ ଉତ୍ତମ ମଧ୍ୟମ ଦେଇ ଛାଡିଥିଲେ।

ଅମ୍ବାଭୋନା ପୁଲିସ୍ ଘଟଣା ସଂପର୍କରେ ଖବର ପାଇ ପହଞ୍ଚିଥିଲେ। କାର ଡ୍ରାଇଭର ପିଡବ୍ଳୁଡି ଜେଇ ଗଜେନ୍ଦ୍ର ବେହେରାଙ୍କୁ କାବୁ କରି ପୁଲିସ ଗାଡି ଭିତରେ ରଖିଦେଇ ଜଗି ରହିଥିଲେ । ପୁଲିସ ଗାଡି ଭିତରେ କାର ଡ୍ରାଇଭର ବେହେରା ଅଛି ଜାଣି ମୃତ ପରିବାର ଓ ସ୍ଥାନୀୟ ଗ୍ରାମବାସୀ ପୁଲିସ୍ ଆଗରେ ଶୋଇଯାଇ ଦୀର୍ଘ ସମୟ ଧରି ଅଟକ ରଖିବା ସଂଗେ ରାସ୍ତାରେ ଶବକୁ ରଖି ରାସ୍ତା ସଂପୂର୍ଣ୍ଣ ଅବରୋଧ କରିଦେଇଥିଲେ ।ସ୍ଥାନୀୟ ଜନପ୍ରତିନିଧି ଓ ପୁଲିସ ମୃତ  ପରିବାରକୁ ବୁଝା ସୁଝା କରିବା ପରେ ଉତ୍ତୋଜନା ଶାନ୍ତ ପଡିଥିଲା । ଅମ୍ବାଭୋନା ଥାନାରେ ଏକ ମାମଲା ରୁଜୁ ହୋଇ କାର ଓ ବାଇକ ଶବକୁ ଜବତ କରି ପୋଷ୍ଟମର୍ଟମ ସକାଶେ ପଠାଇଥିଲେ।

ସମ୍ବନ୍ଧିତ ଖବର