ଉପରୁ ଛିଣ୍ଡିଲା ୧୧ କେଭି ତାର : ବାଇକ୍‌ ପୋଡ଼ି ପାଉଁଶ, ଅଳ୍ପକେ ବର୍ତିଲେ ୨ ଆରୋହୀ

ଧାମରା/ଚାନ୍ଦବାଲି : ଗଞ୍ଜାମ ବସ୍‌ ଟ୍ରାଜେଡି ଘଟଣା ମନରୁ ନ ଯାଉଣୁ ଆଜି ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ ସମାନ ଘଟଣା ଦେଖିବାକୁ ମିଳିଛି। ଯଦିଓ ଏଥିରେ କେହି ମୃତାହତ ହୋଇନାହାନ୍ତି, ଗୋଟିଏ ମଟର ସାଇକେଲ କିନ୍ତୁ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଦୈବୀ କୃପା ଅବା ଭାଗ୍ୟ ଜୋର୍‌ କାରଣରୁ ହେଉ, ମରଣମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇ ବାଇକ୍ ଆରୋହୀ। ଘଟଣାସ୍ଥଳରେ ପୋଡ଼ା ବାଇକ୍‌କୁ ଯିଏ ଦେଖିଛି ସିଏ ଅନୁଭବ କରିଛି କେତେ ଭୟଙ୍କର ଥିଲା ଏ ଦୃଶ୍ୟ।

ସୋମବାର ଭୋର ପ୍ରାୟ ୫ଟା। ଧାମରା ପଞ୍ଚାୟତ ଗୁଆଁଳ ଗ୍ରାମର ଦୁର୍ଯ୍ୟ‌ୋଧନ ରାଉଳ କଟକ ଯିବା ପାଇଁ ବସ୍‌ ଧରିବାକୁ ନିକଟସ୍ଥ କଇଥଖୋଲା ବଜାରକୁ ବାହାରିଥିଲେ। ତାଙ୍କୁ ଛାଡ଼ିବାକୁ ନେଇଥିଲେ ସଂପର୍କୀୟ ପୁତୁରା ସୁଦର୍ଶନ ଜେନା। କଇଥଖୋଲା ବସ୍‌ଷ୍ଟାଣ୍ତରେ ପହଞ୍ଚିବାକୁ ଆଉ ମାତ୍ର ଅଳ୍ପ ବାଟ ଥିବାବେଳେ ବଜାର ମଧ୍ୟରେ ଯାଇଥିବା ଏକ ୧୧ କେଭି ତାର ହଠାତ୍‌ ବାଇକ୍‌ ଆଗରେ ଛିଣ୍ଡି ପଡ଼ିଥିଲା। କିଛି ବୁଝିବା ଆଗରୁ ଦୁହେଁ ବାଇକ୍‌ ଛାଡି ଡେଇଁ ପଡିଥିଲେ। କିନ୍ତୁ ଛିଣ୍ଡା ବିଦ୍ୟୁତ୍ ତାରଟି ସାପ ଭଳି ବାଇକ୍‌ରେ ଗୁଡାଇ ହୋଇ ହୁ ହୁ ହୋଇ ଜଳି ଉଠିଥିଲା। ବଜାର ଛକରେ ଥିବା କିଛି ଲୋକ ଏ ଦୃଶ୍ୟ ଦେଖି ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ବିଦ୍ୟୁତ୍ ବିଭାଗ ତତ୍‌କ୍ଷଣାତ ସ୍ଥାନୀୟ ଅଞ୍ଚଳର ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରିବା ପରେ ଲୋକମାନେ ଘଟଣାସ୍ଥଳକୁ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା, ବଜାର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ବହୁ ପୁରୁଣା। ଗଛରେ ବାଡ଼େଇ ହୋଇ ଏହି ତାର ଅଧିକାଂଶ ସମୟରେ ସ୍ପାର୍କିଂ ହୋଇ ଛିଣ୍ଡିଛି। ବାରମ୍ବାର ଅଭିଯୋଗ ସତ୍ତ୍ବେ ବିଦ୍ୟୁତ ବିଭାଗ ଏହାର କିଛି ପ୍ରତିକାର କରିନଥିଲା। ଯେଉଁଥି ପାଇଁ ଆଜି ଏହି ଘଟଣା ଘଟିଲା ବୋଲି ଲୋକେ ଅଭିଯୋଗ କରି ଗୁଆଁଳ-କଇଥଖୋଲା ରାସ୍ତାକୁ ଅବରୋଧ କରିଥିଲେ।

ସମ୍ବନ୍ଧିତ ଖବର