କାର୍‌ ସହ ମୁହାଁମୁହିଁ ଧକ୍କାରେ ଜଳିଗଲା ବାଇକ୍‌; ୨ ମୃତ, ଜଣେ ଗୁରୁତର

ଗଁଦିଆ: ଦ୍ରୁତଗାମୀ କାର୍‌ ସହ ଧକ୍କା ହେବା ଫଳରେ ବାଇକ୍‌ ଜଳିଯାଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସୋରିଶିଆପଦା ଗ୍ରାମପଞ୍ଚାୟତ ଅଧୀନ ଢୋଲପଥର ସନ୍ନିକଟ ରାସ୍ତାରେ ଆଜି ଏହି ମର୍ମତୁନ୍ତ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୃତକମାନେ ହେଲେ ଲକ୍ଷ୍ମଣ ଭଦ୍ରା ଓ ପୁରୁ ନାଏକ।

ସୂଚନା ଅନୁସାରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ସୋରିଶିଆପଦା ପଞ୍ଚାୟତର ରଗଡ଼ିସାହିର ତୁଳସୀ ହେମ୍ବ୍ରମ, ପୁରୁ ନାଏକ ଓ ଭାଲୁଗୁଡ଼ା ଗ୍ରାମର ଲକ୍ଷ୍ମଣ ଭଦ୍ରା ଏକ ବାଇକରେ ଟାଙ୍ଗି ଅଭିମୁଖେ ଯାଉଥିଲେ। ଢୋଲପଥର ନିକଟରେ ଅପରପାର୍ଶ୍ବରୁ ଆସୁଥିବା ଏକ କାର (ଓଡି୦୨ଡିଭି୩୨୩୮) ସହିତ ମୁହାଁମୁହିଁ ହୋଇଥିଲେ। ଏଥିରେ ୩ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ବାଇକଟି ସମ୍ପୂର୍ଣ୍ଣ ପୋଡି ଯାଇଥିଲା।

ଖବର ପାଇ ଗଁଦିଆ ଥାନା ଅଧିକାରୀ ଅମ୍ବିତ ମହାନ୍ତି ଘଟଣାସ୍ଥଳରେ ପହଁଚି ତୁରନ୍ତ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ଓ ସେମାନଙ୍କର ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମଣ ଭଦ୍ରା ଓ ପୁରୁ ନାଏକଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି। ପୁଲିସ ଦୁର୍ଘଟଣା କରାଇଥିବା କାରକୁ ଜବତ କରି ଥାନାକୁ ଆଣିଥିବା ବେଳେ ଘଟଣାସ୍ଥଳରୁ କାର ଡ୍ରାଇଭର ଓ ଅନ୍ୟ ଜଣେ ଆରୋହୀ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର