ବାଇକ ଚଳାଚଳ ଉପରେ କଡ଼ା କଟକଣା ଲାଗୁ, ଜରିମାନା ଆଦାୟର ଚେତାବନୀ

ଭୁବନେଶ୍ବର: ଆଜିଠାରୁ କୋରାପୁଟ ଜିଲ୍ଲାରେ ପ୍ରଶାସନ ଲକ ନିୟମକୁ କଡ଼ାକଡ଼ି କରିଛି । ପୁଲିସର ବିନା ଅନୁମତିରେ ସହରରେ ଗଡ଼ିବନି ଦୁଇ ଚକିଆ ଗାଡ଼ି । ବାଇକ ଚଳାଚଳ ଉପରେ ଆଜିଠାରୁ କଡ଼ା କଟକଣା ଲାଗୁ ହୋଇଛି । ଆଜି ଅମାନିଆ ଚାଳକଙ୍କ ଶହେଟି ବାଇକକୁ ଉଠାଇ ନେଇଛି ପୁଲିସ । ଅନ୍ୟପଟେ ପୁଲିସର ପାସ ନଥିବା ଲୋକଙ୍କୁ ପେଟ୍ରୋଲ ନଦେବା ପାଇଁ ସହରର ସବୁ ପେଟ୍ରୋଲ ପମ୍ପକୁ କଡ଼ା ନିର୍ଦେଶ ଦିଆଯାଇଛି । ସେହିପରି ଦୋକାନୀ ସାମାଜିକ ଦୂରତା ନ ମାନିଲେ ଦୋକାନକୁ ସିଲ କରାଯିବ ବୋଲି ଘୋଷଣା କରିଛି ପ୍ରଶାସନ ।
ସେପଟେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ପୁଲିସର ଲକଡାଉନ କଟକଣା କଡାକଡି । ବିଭିନ୍ନ ଛକ ସ୍ଥାନରେ ଚେକ ପୋଷ୍ଟ କରି ଚେକିଂକୁ କଡ଼ାକଡ଼ି କରିଛି ପୋଲିସ । ବଜାର ଭିତରକୁ ବାଇକରେ ଯାଉଥିବା ଲୋକଙ୍କୁ ବାରଣ କରାଯାଇଛି । ନିୟମ ଉଲ୍ଲଘଂନ କରୁଥିବା ଲୋକଙ୍କ ଗାଡ଼ିର ଚକାରୁ ପମ୍ପ ଖୋଲି ଦେଇଛନ୍ତି ପୁଲିସ । ଏପରିକି କିଛି ଅମାନିଆ ବ୍ୟକ୍ତିଙ୍କୁ ମାଡ଼ ମାରିଛି ପୁଲିସ । ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେବା ସହ ନ ପିନ୍ଧିବା ଲୋକଙ୍କୁ ତାଗିଦ କରାଯାଇଛି ।
ସେହିପରି ଭଦ୍ରକ ସହରରେ ମଧ୍ୟ ଲକ୍ ଡ଼ାଉନ କଟକଣାକୁ କଡ଼ାକଡ଼ି କରିଛି ସ୍ଥାନୀୟ ପ୍ରଶାସନ । ସକାଳୁ ସକାଳୁ ଅମାନିଆ ଚାଳକଙ୍କୁ ସାବାଡ଼ କରିଛି ପୁଲିସ । ଶହେରୁ ଅଧିକ ବାଇକ୍, ୧୦ଟି ଚାରି ଚକିଆ ଯାନ ଜବତ କରିଛି ପୁଲିସ । ଜବତ ବାଇକ ଚାଳକଙ୍କ ନିକଟରୁ ୨ ହଜାର ଟଙ୍କା, ଚାରି ଚକିଆ ଯାନ ଚାଳକଙ୍କ ନିକଟରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ପୁଲିସ ପକ୍ଷରୁ କୁହାଯାଇଛି । ଗତକାଲି ନିୟମ ଉଲ୍ଲଙ୍ଘନକାରୀଙ୍କ ନିକଟରୁ ମୋଟା ଅଙ୍କର ଜରିମାନା ଆଦାୟ ହେବ ବୋଲି ପୁଲିସ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଥିଲା । ତଥାପି ଆଜି ସକାଳୁ ସକାଳୁ ଲୋକଙ୍କୁ ରାସ୍ତାରେ ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର