ଜୟପୁର : ଜୟପୁର ସହରରେ ବଢ଼ି ଚାଲିଥିବା ଅପରାଧ ସହରବାସୀଙ୍କୁ ଅଣନିଶ୍ବାସୀ କରିସାରିଲାଣି। କିନ୍ତୁ ଏହାକୁ ନିୟନ୍ତ୍ରଣ କରିବା ବଦଳରେ ପୁଲିସ ସଂପୂର୍ଣ୍ଣ ବେଫିକର। ଯାହା ଏବେ ସହରବାସୀଙ୍କ ଚିନ୍ତାକୁ ବଢ଼ାଇଛି। ବାରମ୍ବାର ଚୋରି, ଲୁଟ୍ ଭଳି ଘଟଣା ଘଟିବା ସତ୍ତ୍ବେ ଦୁର୍ବୃତ୍ତଙ୍କ ଟେର୍ ନ ପାଇବା ପୁଲିସର ଦକ୍ଷତାକୁ ସନ୍ଦେହ ଘେରକୁ ଆଣିଛି। ଏପରିକି ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇସାରିଥିବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଗତ କିଛି ଦିନ ମଧ୍ୟରେ ବଢ଼ି ଚାଲିଥିବା ସିରଜ୍ ଅପରାଧ ଚର୍ଚ୍ଚା ତଥା ସନ୍ଦେହକୁ ବଳ ଦେଉଛି। ସଦ୍ୟତମ ଘଟଣାରେ ସହର ମଧ୍ୟ ଭାଗ ତଥା ମାଦଳା ସାହିରୁ ଆଜି ରାତିରେ ଗୋଟିଏ ବାଇକ୍ ଚୋରି ହୋଇଛି। ପୂର୍ବରୁ ପ୍ରାୟ ୩ମାସ ତଳେ ସେହି ଅଞ୍ଚଳରୁ ହିଁ ଗୋଟିଏ ବାଇକ୍ ଚୋରି ହୋଇଥିଲା। ଯାହାର ଖୋଜଖବର ଏପର୍ଯ୍ୟନ୍ତ ପୁଲିସ ପାଇଲା ନାହିଁ। ଏପରିକି ଚୋରଙ୍କୁ କାବୁ କରିବା ଦୂରର କଥା ସାମାନ୍ୟ ସୁରାକ ମଧ୍ୟ ପୁଲିସ ପାଉନାହିଁ।
ସୂଚନା ଅନୁଯାୟୀ, ମାଦଳା ସାହି ସ୍ଥିତ ଦୁର୍ଗା ମଣ୍ଡପ ଗଳିରେ ରହୁଥିବା ମନୋଜ ତ୍ରିପାଠୀ ଆଜି ରାତିରେ ଘର ସମ୍ମୁଖରେ ବାଇକ୍ ରଖିଥିଲେ। ରାତ୍ରିଭୋଜନ ପରେ ଘର ଭିତରକୁ ବାଇକ୍ ନେବା ପାଇଁ ଆସିବା ବେଳକୁ ବାଇକ୍ ସେଠାରେ ନଥିଲା। ଏହି ବିଷୟରେ ସାହିପଡ଼ିଶା ଲୋକଙ୍କୁ କହିବା ସହ ଖୋଜାଖୋଜି ଆରମ୍ଭ କରିଥିଲେ। ସନ୍ଧାନ ନମିଳିବାରୁ ଶେଷରେ ଟାଉନ ଥାନାକୁ ଅବଗତ କରିଥିଲେ। ସେହିପରି ୩ମାସ ତଳେ ମନୋଜଙ୍କ ପଡ଼ୋଶୀ ରଘୁନାଥ ଦଣ୍ଡସେନାଙ୍କ ହିରୋହୋଣ୍ଡା ବାଇକ୍ ଚୋରି ହୋଇଥିଲା। ଆଜି ପର୍ଯ୍ୟନ୍ତ ସେହି ବାଇକ୍ ପୁଲିସ ଉଦ୍ଧାର କରିପାରିନି। ଗୋଟିଏ ଅଞ୍ଚଳରୁ ଦୁଇଟି ବାଇକ୍ ଚୋରି ହେବା ପଛରେ ସଂଗଠିତ ଅପରାଧୀଙ୍କ ସଂପୃକ୍ତି ରହିଥିବା ଆଶଙ୍କା କରାଯାଉଛି।
ସୂଚନାଯୋଗ୍ୟ, କିଛି ଦିନ ତଳେ ୩ଜଣ ଦୁର୍ବୃତ୍ତ ଖଣ୍ଡା ଧରି ସହର ସାରା ବୁଲିବା ସହ ଆକ୍ରମଣ କରି ଲୁଟ୍ପାଟ୍ କରିଥିଲେ। ସେହିପରି ଅଳ୍ପ ଦିନ ତଳେ ଗୋଟିଏ ଜଘନ୍ୟ ହତ୍ୟାକାଣ୍ଡ ମଧ୍ୟ ଘଟିଛି। ଗତ ମାସ ମଧ୍ୟରେ ପାରବେଡ଼ା ସନ୍ତୋଷୀ ମା’ ନଗର ସ୍ଥିତ ‘ସମ୍ବାଦ’ର ନୂଆ କାର୍ଯ୍ୟାଳୟରୁ ଚୋରି ହୋଇଥିଲା। ଏହାବତୀତ ସହରରେ ଛୋଟମୋଟ ଅପରାଧ ଘଟଣା ଘଟିଛି। ଏଭଳି ଘଟଣା ସବୁ ବଢ଼ି ଚାଲିଥିବାରୁ ପୁଲିସ ଉପରୁ ଲୋକଙ୍କ ଆସ୍ଥା କମିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/loot-bike.jpg)