ପୁଲିସ୍ ପଞ୍ଝାରେ କେଟିଏମ୍ ଓ କଳା ପଲସର୍‌ ଛିନତାଇ ଗ୍ୟାଙ୍ଗ: ବାରିପଦାରେ ଲୁଟ୍ କରି ବସ୍ତା ଅଞ୍ଚଳରେ ଲୁଚୁଥିଲେ

କେଟିଏମ ବାଇକ ସହ କଳା ପଲସର ଜବତ, ସୁନା ଅଳଙ୍କାର-ମୋବାଇଲ ଉଦ୍ଧାର

ବାରିପଦା: କେଟିଏମ୍ ବାଇକ୍ ଓ କଳା ପଲସର୍‌ ସାହାଯ୍ୟରେ ବାରିପଦା ସହରରେ ଛିନ୍ତାଇ କରି ଆତଙ୍କ ରଚିଥିବା ଏକ ଗ୍ୟାଙ୍ଗ୍‌କୁ ବାରିପଦା ପୁଲିସ୍ ଠାବ କରିବାରେ ସଫଳ ହୋଇଛି। ବାରିପଦାର ବିଭିନ୍ନ ସ୍ଥାନରୁ ଏକୁଟିଆ ମହିଳାମାନଙ୍କୁ ଟାର୍ଗେଟ୍ କରି ସୁନା ଚେନ୍ ଆଦି ଲୁଟ୍ କରୁଥିବା ଏହି ଗ୍ୟାଙ୍ଗ୍ର ୪ ସଦସ୍ୟଙ୍କୁ ବାରିପଦା ଟାଉନ୍ ଥାନା ପୁଲିସ୍ ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳରୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଛିନ୍ତାଇରେ ବ୍ୟବହୃତ ହୋଉଥିବା ଗୋଟିଏ କେଟିଏମ୍ ବାଇକ୍ ସହିତ ଗୋଟିଏ କଳା ପଲ୍ସର-୨୨୦ ଜବତ କରିଛି ସେହିପରି ଲୁଟ୍ ହୋଇଥିବା ଏକାଧିକ ସୁନା ଚେନ୍ ମଧ୍ୟ ଉଦ୍ଧାର କରିଛି ପୁଲିସ୍।

ଏହି ଅଭିଯୁକ୍ତମାନେ ଗତ ଜୁନ ୧ ତାରିଖରେ ପାଲବଣି ଅଞ୍ଚଳରୁ ଜଣେ ମହିଳାଙ୍କ ବେକରୁ ଲୁଟ ହୋଇଥିବା ସୁନାଚେନ ମାମଲା, ଜୁନ ୭ ତାରିଖରେ ବାରିପଦା ପ୍ରଫୁଲ୍ଲନଗର ଅଂଚଳରୁ ଜଣେ ବରିଷ୍ଠ ମହିଳାଙ୍କ ବେକରୁ ହୀରା ଲକେଟ ଲଗା ସୁନାଚେନ ଲୁଟ ମାମଲା ଓ ଜୁନ ୨୮ ତାରିଖରେ ପାଲବଣି ଅଂଚଳରୁ ଗାଡିରେ ପାଥଲୋଜି ଯାଉଥିବା ଜଣେ ମହିଳାଙ୍କ ବେକରୁ କେଟିଏମ ବାଇକରେ ଆସି ହୋଇଥିବା ସୁନାହାର ଛିନତାଇ ମାମଲାରେ ସଂପୃକ୍ତ ଅଛନ୍ତି।

ଏନେଇ ବାରିପଦା ଟାଉନ ଥାନାରେ ମାମଲା ରୁଜୁ କରି ପୁଲିସ୍ ଲୁଟେରାମାନଙ୍କୁ ବାନ୍ଧିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗୋବିନ୍ଦ ଗ୍ରାମର ରଞ୍ଜନ ପରିଡା ଓରଫ୍ ବାଙ୍ଗୁରୁ (୨୫), କୁଣ୍ଢେଇ ଗ୍ରାମର ଦୀପକ ଜେନା ଓରଫ୍ ବାବାଜୀ ଓରଫ୍ କାହ୍ନୁ (୨୧), ସାନକୁଣ୍ଢେଇ ଗ୍ରାମର ରାକେଶ ଦାସ ଓରଫ୍ ନେହେରୁ (୨୦) ଏବଂ କୁଣ୍ଢେଇ ଗ୍ରାମର ତରୁଣ କୁମାର ଜେନା ଓରଫ୍ ଦିପୁ (୨୨)। ଏହି ଅଭିଯୁକ୍ତମାନେ ବାରିପଦାରେ ଲୁଟ୍ କରି ଦ୍ରୁତ ବେଗରେ ବସ୍ତା ଅଞ୍ଚଳକୁ ଯାଇ ଅତ୍ୟନ୍ତ ସ୍ବାଭାବିକ ଭାବେ ଲୁଚି ରହୁଥିଲେ। ଏମାନଙ୍କୁ ଧରିବାକୁ ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ଅନୁଯାୟୀ ବାରିପଦା ପୁଲିସ୍ କେଟିଏମ୍ ବାଇକ୍ ମରାମତି ନିମନ୍ତେ ଯାଇଥିବା ଏକ ସୋ’ରୁମ୍‌ରୁ ଉକ୍ତ ଲୁଟେରାଙ୍କ ପତା ଲଗାଇଥିଲା। ଲୁଟେରାଙ୍କ ନିକଟରୁ ଦୁଇଟି ସୁନାଚେନ ଏବଂ ଗୋଟିଏ ହୀରା ଲକେଟ ଥିବା ସୁନାଚେନ ସହିତ ୩ଟି ମୋବାଇଲ ଫୋନ ଜବତ କରିଛି। ଆଜି ବାରିପଦା ଟାଉନ ଥାନାରେ ଅଭିଯୁକ୍ତମାନଙ୍କୁ ହାଜର କରିଥିଲା ପୁଲିସ୍। ବାରିପଦା ସଦର ଏସଡିପିଓ କେ.କେ ହରିପ୍ରସାଦ, ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ଏମାନଙ୍କ ସମ୍ପର୍କରେ ସୂଚନା ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ବାରିପଦା ସହରରେ ଛିନ୍ତାଇ ଓ ଲୁଟ୍ କରୁଥିବା ଆଉ ଏକ ଗ୍ୟାଙ୍ଗ୍ର ୪ ସଦସ୍ୟଙ୍କୁ ମଧ୍ୟ ପୂର୍ବରୁ ପୁଲିସ୍ ଗିରଫ କରିଛି। ଆତଙ୍କ ଖେଳାଇଥିବା ୨ଟି ଲୁଟେରା ଗ୍ୟାଙ୍ଗ ଇତିମଧ୍ୟରେ ଧରା ପଡିସାରିଥିବା ବେଳେ, ଆଉ ଗୋଟିଏ ଲୁଟେରା ଗ୍ୟାଙ୍ଗ ମଧ୍ୟ ଖୁବଶୀଘ୍ର ଧରାଯିବା ନେଇ ଟାଉନଥାନା ଅଧିକାରୀ ଶ୍ରୀ ସେନାପତି ସୂଚନା ଦେଇଛନ୍ତି ।

ତିନି ଲକ୍ଷରୁ ଅଧିକ ମୂଲ୍ୟର ହୀରା ଖଚିତ ଲକେଟ୍‌କୁ ବିକିଥିଲା ୧୨ ହଜାରରେ

ଆଜି ପୁଲିସ୍ ବାନ୍ଧିଥିବା ୪ ଲୁଟେରାମାନେ ହୀରା ଖଚିତ ଲକେଟ୍‌କୁ ଚିହ୍ନି ପାରିନଥିବା ଜଣାପଡ଼ିଛି। କାରଣ ବାରିପଦାରୁ ଲୁଟ୍ କରିଥିବା ଉକ୍ତ ହୀରା ଖଚିତ ସୁନା ଚେନ୍‌ର ମୂଲ୍ୟ ପ୍ରାୟ ସାଢ଼େ ତିନି ଲକ୍ଷ ଟଙ୍କା ହୋଇଥିବା ପୁଲିସ୍ ଅନୁମାନ କରୁଛି। ମାତ୍ର ଲୁଟେରାମାନେ ଏହାକୁ ଜଣେ ପାନ ଦୋକାନୀକୁ ମାତ୍ର ୧୨ ହଜାର ଟଙ୍କାରେ ବିକିଥିଲେ। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

 

ସମ୍ବନ୍ଧିତ ଖବର