ଝାରସୁଗୁଡ଼ାରେ ବିକ୍ରି ହେଉଛି ନକଲି ବାଇକ୍‌ ପାର୍ଟସ ଓ ପ୍ୟୁରିଫାୟର

ପୁଲିସ ପକ୍ଷରୁ ବିଭିନ୍ନ ଦୋକାନରେ ଚଢ଼ଉ, ବହୁ ପରିମାଣରେ ନକଲି ସାମଗ୍ରୀ ଓ  ବାଇକ୍‌ ପାର୍ଟସ ଜବତ 

ଝାରସୁଗୁଡ଼ା: ଲୋଗୋ ଅସଲି, ଜିନିଷ ନକଲି। ସର୍ଫ, ତେଲ ପରେ ଏବେ ବାଇକ୍‌ ପାର୍ଟସ ଓ ପ୍ୟୁରିଫାୟର ବି ନକଲି। ଝାରସୁଗୁଡ଼ା ସହରରେ ଏଭଳି ନକଲି ବାଇକ୍‌ ପାର୍ଟସ ଓ ପ୍ୟୁରିଫାୟର ବିକ୍ରି ହେଉଥିବା ସୂଚନା ପାଇ ବୁଧବାର ସଦର ଏସ୍‌ଡିପିଓ ନିର୍ମଳ ମହାପାତ୍ରଙ୍କ ନେତୃତ୍ବରେ ଟାଉନ୍‌ ଥାନା ଏବଂ ସଦର ଥାନାଞ୍ଚଳର ବିଭିନ୍ନ ଦୋକାନରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ପୁଲିସ ୩ ଜଣ ଦୋକାନୀଙ୍କୁ ଅଟକ ରଖିଥିବା ବେଳେ ବହୁ ପରିମାଣରେ କେଣ୍ଟ କମ୍ପାନିର ନକଲି ପ୍ୟୁରିଫାୟର ସାମଗ୍ରୀ ଓ ବୋସ୍‌ କମ୍ପାନିର ନକଲି ବାଇକ୍‌ ପାର୍ଟସ ଜବତ କରିଛି। ଏହି ଘଟଣାରେ ଟାଉନ୍ ପୁଲିସ ୨ଟି ଓ ସଦର ଥାନା ପୁଲିସ ଗୋଟିଏ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଅଭିଯୁକ୍ତମାନେ ହେଲେ ବେହେରାମାଲ ‘ସାହୁ ଏଣ୍ଟରପ୍ରାଇଜେସ’ ମାଲିକ ଭୁବନେଶ୍ବର ସାହୁ, ଶନି ମନ୍ଦିର ସମ୍ମୁଖରେ ଥିବା ଏକ ବାଇକ୍‌ ପାର୍ଟସ ଦୋକାନ ମାଲିକ ଅନୁ ସାହୁ ଓ ସଦର ଥାନାଞ୍ଚଳର ଦୋକାନ ମାଲିକ ଦଣ୍ଡପାଣି ବେହେରା। ତେବେ ଅଭିଯୁକ୍ତମାନେ ଏହି ନକଲି ସାମଗ୍ରୀ କେଉଁଠୁ ଆଣୁଥିଲେ ଓ ଏହା କେଉଁଠି ତିଆରି ହେଉଥିଲା ସେନେଇ ତଦନ୍ତ କରାଯାଉଥିବା ଏସ୍‌ଡିପିଓ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ପୁଲିସ୍‌ ସୂଚନା ଅନୁସାରେ, ଝାରସୁଗୁଡ଼ା ବଜାରରେ କେଣ୍ଟ କମ୍ପାନିର ପ୍ୟୁରିଫାୟରରେ ଲାଗୁଥିବା କ୍ୟାଣ୍ଡେଲ୍‌, ସିଲିଣ୍ଡର ଭଳି ଛୋଟ ଛୋଟ ସାମଗ୍ରୀ ନିର୍ଦ୍ଧାରିତ ଦରରୁ କମ୍‌ ଦରରେ ବିକ୍ରି ହେଉଥିବା ନେଇ କମ୍ପାନି ସୂଚନା ପାଇଥିଲା। ଠିକ୍‌ ସେହିଭଳି ବୋସ୍‌ କମ୍ପାନିର ବାଇକ୍‌ ପ୍ଲଗ୍‌ ମଧ୍ୟ ଅଧା ଦାମ୍‌ରେ ବଜାରରେ ବିକ୍ରି କରାଯାଉଥିବା ନେଇ କମ୍ପାନି ସୂଚନା ପାଇବା ପରେ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲା। ଏହି ଘଟଣା ପରେ ବୁଧବାର ସନ୍ଧ୍ୟାରେ ଝାରସୁଗୁଡ଼ା ସହରର ସଦର ଓ ଟାଉନ୍‌ ଥାନାଞ୍ଚଳର ବିଭିନ୍ନ ଦୋକାନରେ ପୁଲିସର ୨ଟି ଟିମ୍‌ ଚଢ଼ଉ ଆରମ୍ଭ କରିଥିଲା। ଏହି ସମୟରେ ସାହୁ ଏଣ୍ଟରପ୍ରାଇଜେସ୍‌ ନିକଟରୁ କେଣ୍ଟ କମ୍ପାନିର ଲୋଗୋ ଲାଗିଥିବା ୩୦ରୁ ଅଧିକ କ୍ୟାଣ୍ଡେଲ ଓ ସିଲିଣ୍ଡର ଜବତ କରାଯାଇଥିଲା। ସେପଟେ, ଅନୁ ସାହୁଙ୍କ ପାର୍ଟସ ଦୋକାନରୁ ୫୦ ପିସ୍‌ ବୋସ୍‌ ସ୍ପାର୍କ ପ୍ଲଗ୍‌ ଓ ଦଣ୍ଡପାଣି ବେହେରାଙ୍କ ଦୋକାନରୁ ୨୪ ପିସ୍‌ ପ୍ଲଗ୍‌ ଜବତ କରାଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବୋସ୍‌ କମ୍ପାନିର ଅସଲି ବାଇକ୍‌ ପ୍ଲଗ୍‌ର ଦାମ୍‌ ୧୦୬ ଟଙ୍କା ରହିଥିବା ବେଳେ ଦୋକାନୀ କିନ୍ତୁ ଗ୍ରାହକଙ୍କୁ ୬୦ ଟଙ୍କାରେ ବିକ୍ରି କରୁଥିଲେ। ସେହିଭଳି କେଣ୍ଟ କମ୍ପାନିର କ୍ୟାଣ୍ଡେଲ ଦାମ୍‌ଠାରୁ ଅଧା ଦାମ୍‌ରେ ଜିନିଷ ବିକ୍ରି କରାଯାଉଥିଲା ବୋଲି ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି। ସେପଟେ, ବ୍ରାଣ୍ଡେଡ୍‌ ଜିନିଷର ଏମ୍‌ଆର୍‌ପିରୁ କମ୍‌ ଦରରେ ଜିନିଷ ମିଳୁଥିବାରୁ ଗ୍ରାହକଙ୍କ ମଧ୍ୟରେ ବି ଏହା ବେଶ୍‌ ଆଦୃତ ହୋଇଥିଲା।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ଏହି ନକଲି ବାଇକ୍‌ ପାର୍ଟସ୍‌ ଓ ନକଲି ପ୍ୟୁରିଫାୟର ସାମଗ୍ରୀ ଝାରସୁଗୁଡ଼ା ସହରକୁ ଆସୁଛି। ପ୍ରତି ସପ୍ତାହରେ ରାୟପୁରରୁ କିଛି ବ୍ୟକ୍ତି ଝାରସୁଗୁଡ଼ା ଆସି ବିଭିନ୍ନ ଦୋକାନ ବୁଲିବା ସହ ଏମ୍‌ଆର୍‌ପିର ୨୫ ପ୍ରତିଶତ ଦାମ୍‌ରେ ‌ଦୋକାନୀଙ୍କୁ ଜିନିଷ ବିକ୍ରି କରୁଥିଲେ। ଦୋକାନୀ ମଧ୍ୟ ଅଧିକ ମୁନାଫା ଆଶାରେ କମ୍‌ ଦାମ୍‌ରେ ଉକ୍ତ ଜିନିଷ ରଖି ଗ୍ରାହକଙ୍କୁ ବିକ୍ରି କରି ଆସୁଥିଲେ। ତେବେ ଏହି ଘଟଣା ପରେ ଜିଲ୍ଲା ପୁଲିସ୍‌ ଏକ ଟିମ୍‌ ଗଠନ କରି କେଉଁ କେଉଁ ସ୍ଥାନରୁ ଏହି ନକଲି ସାମଗ୍ରୀ ଝାରସୁଗୁଡ଼ାକୁ ପ୍ରବେଶ କରୁଥିଲା, ସେହି ସ୍ଥାନରେ ଚଢ଼ଉ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର