ସମ୍ବଲପୁର: ମଣ୍ଡିଗୁଡ଼ିକର ଘରୋଇକରଣ ଓ ନୂତନ ଠିକା ଚାଷ ଆଇନ ବିରୁଦ୍ଧରେ ଭୁବନେଶ୍ୱରରେ ଗର୍ଜିବେ ଚାଷୀ। ଏଥର ସରକାର ବିରୋଧରେ ଆରପାରର ଲଢେଇ ପାଇଁ ବାହାରିଛନ୍ତି ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ଵୟ ସମିତି। ଆଜି ସମ୍ବଲପୁରରୁ ବହୁ ସଂଖ୍ୟାରେ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣ ବୃଦ୍ଧି ସହ ଏହାର ଗ୍ୟାରେଣ୍ଟି ପାଇଁ ନିର୍ଣ୍ଣାୟକ ଲଢେଇର ଡାକରା ଦେଇଛି କୃଷକ ସଙ୍ଗଠନ।
ଆଜି ସମ୍ବଲପୁର ଜେଲ ଛକରେ ଥିବା ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଭୁବନେଶ୍ୱର ଅଭିମୁଖେ ମୋଟରସାଇକେଲ ରାଲିରେ ପଶ୍ଚିମ ଓଡ଼ିଶାର ହଜାର ହଜାର ଚାଷୀ ବାହାରିଛନ୍ତି। ଆଜି ବାମୁରରେ ଓ ଆସନ୍ତାକାଲି କଟକରେ ରାତ୍ରୀ ରହଣି ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ସମସ୍ତ ଚାଷୀ ମାର୍ଚ୍ଚ ଦୁଇ ତାରିଖରେ ଭୁବନେଶ୍ବରର ପଳାଶୁଣି ନିକଟରେ ଏକତ୍ରିତ ହେବେ। ଏହା ପରେ ପଦଯାତ୍ରା ସହ ସଭାସମିତି କରି ଚାଷୀ ନେତା ଗର୍ଜିବେ। ଚାଷୀଙ୍କ ଆନ୍ଦୋଳନ ସହ ବାଇକ୍ ଶୋଭାଯାତ୍ରାକୁ ସମ୍ବଲପୁରରେ କେତେକ ରାଜନୈତିକ ଦଳଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି।
ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ପଡ଼ିରହିଛି ଚାଷୀଙ୍କ ହଜାର ହଜାର ବସ୍ତା ଧାନ। ମଣ୍ଡିରେ ଗଦା ହୋଇଥିବା ଧାନ ସବୁ ପଡ଼ି ଗଜା ହେବାକୁ ବସିଲାଣି । ଯେତେ ଗୁହାରି କଲେ ବି ସରକାର କଣ୍ଣପାତ କରୁନାହାନ୍ତି । ଏପଟେ ମଣ୍ଡି ବନ୍ଦ,ଆଉ ଧାନ କିଣିବାକୁ କାହାରି ଦର୍ଶନ ନାହିଁ । ଟୋକନ କଥା ନକହିବା ଭଲ ,ଟାର୍ଗେଟ ସରିଲା କହି ସରକାର ଅଧାରୁ ମଣ୍ଡି ବନ୍ଦ କରିଦେଲେ। ଚାଷୀ ଯେତେ ଗୁହାରି କଲେ ବି କେହି ପଦଟିଏ ବି ଶୁଣିଲେନି। ଏ ସମ୍ପର୍କରେ ଦୀର୍ଘ ଦିନରୁ ଦାନା ବାନ୍ଧୁଥିବା ଚାଷୀ ଅସନ୍ତୋଷ ଏବେ କିନ୍ତୁ ଉଗ୍ର ରୂପ ଧାରଣ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/84431ced-3b94-4baf-8fa0-a703fc30ebe6.jpg)