ସମ୍ବଲପୁର : ହନୁମାନ ଜୟନ୍ତୀ ବାଇକ୍ ରାଲି ଚାଲିଥିବା ସମୟରେ ବୁଧବାର ସନ୍ଧ୍ୟାରେ ହିଂସା ଦେଖିବାକୁ ମିଳିଥିଲା। ଏହି ହିଂସାରେ ହନୁମାନ ଭକ୍ତଙ୍କ ଠାରୁ ଆରମ୍ଭ କରି ପୁଲିସ ଅଧିକାରୀ ଓ କର୍ମଚାରୀ ପର୍ଯ୍ୟନ୍ତ ୨୦ରୁ ଅଧିକ ଆହତ ହୋଇଥିଲେ। ଏହି ମାମଲାରେ ଗିରଫଦାରୀ ୩୨କୁ ବୃଦ୍ଧି ପାଇଛି। ଗୁରୁବାର ୨୬ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଶୁକ୍ରବାର ଆଉ ୬ ଜଣଙ୍କୁ ଗିରଫ କରାଯାଇଥିବା ସମ୍ବଲପୁର ଏସ୍ପି ବି. ଗଂଗାଧର ସୂଚନା ଦେଇଛନ୍ତି।
ସହରର ବିଭିନ୍ନ ସ୍ଥାନରେ ପୂର୍ବରୁ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ସମ୍ବେଦନଶୀଳ ସ୍ଥାନ ଦେଖି ଆଉ ୧୫ଟି କ୍ୟାମେରା ପୁଲିସ ପକ୍ଷରୁ ଲଗାଯାଇଛି। ଗୋଲବଜାର ଅଞ୍ଚଳରେ ୩ଟି, ଲକ୍ଷ୍ମୀଟକିଜ୍ ଛକ ନିକଟରେ ୩ଟି, ପୀର୍ ବାବା ଛକ ନିକଟରେ ୨ଟି, ଜିଲ୍ଲା ସ୍କୁଲ୍ ଛକ ନିକଟରେ ୩ଟି ଏବଂ ମୋତିଝରଣ ନିକଟରେ ୪ଟି କ୍ୟାମେରା ଲଗାଯାଇଛି। ଅନ୍ୟପଟେ ପୁଲିସ ପକ୍ଷରୁ ଡ୍ରୋନ୍ ଉଡ଼ାଇବାକୁ ଯୋଜନା ରଖାଯାଇଥିବାବେଳେ ଅଘଟଣକୁ ନଜରରେ ରଖି କେହି ରାଜି ହେଉ ନଥିବା ସୂଚନା ମିଳିଛି। ତେବେ ବହୁ ବୁଝାସୁଝା ପରେ ଜଣେ ଡ୍ରୋନ୍ ଉଡ଼ାଇବାକୁ ରାଜି ହୋଇଥିବା ଜଣାପଡ଼ିଛି।
ଆଇନଶୃଙ୍ଖଳା ସ୍ଥିତିକୁ ନଜରରେ ରଖି ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ନେତୃତ୍ବରେ ଏସ୍ପି, ୯ ଏଏସ୍ପି, ୨୭ ଡିଏସ୍ପିଙ୍କ ସମେତ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଥିବା ଗଳି ରାସ୍ତାଗୁଡ଼ିକୁ ବାଉଁଶ ବ୍ୟାରିକେଡ୍ ଦେଇ ସିଲ୍ କରି ଦିଆଯାଇଛି।