ଭଦ୍ରକ: ହଠାତ ବାଇକ୍ ଉପରେ ଚଢ଼ିଗଲା ହାଇୱା। ବାଇକ୍ ଚାଳକଙ୍କୁ ଘୋଷାରି ନେଇ ମୃତ୍ୟୁ ଘଟିଲା। ନିମିଷକ ମଧ୍ୟରେ ଜଳିଗଲା ବାଇକ୍। ଏମିତି ଦୁର୍ଘଟଣା ଘଟିଛି ଭଦ୍ରକ ଚାନ୍ଦବାଲି ରାସ୍ତାର ଇଚ୍ଛାପୁର ଠାରେ।
ସୂଚନା ଅନୁଯାୟୀ ଭଦ୍ରକ ଚରମ୍ପା ବରାଳପୋଖରୀ ଅଞ୍ଚଳର ନରେନ୍ଦ୍ର ବେହେରା ନିଜ ବାଇକରେ ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଭଦ୍ରକ ଚାନ୍ଦବାଲି ରାସ୍ତାର ଇଚ୍ଛାପୁର ନିକଟରେ ପଛରୁ ଆସୁଥିବା ଏକ ହାଇୱା ଗାଡ଼ି ବାଇକ୍ ଉପରେ ଚଢ଼ି ଯାଇଥିଲା। ହାଇୱାଟି ୩୦ ମିଟର ଯାଏଁ ବାଇକ ଚାଳକଙ୍କୁ ଘୋଷାରି ନେଇଥିଲା। ଘଟଣାସ୍ଥଳରେ ବାଇକ ଚାଳକର ମୃତ୍ୟୁ ହୋଇଥିବା ବେଳେ ବାଇକ୍ଟି ସମ୍ପୂର୍ଣ୍ଣ ଜଳିଯାଇଛି। ସ୍ଥାନୀୟ ଲୋକେ ଦେଖିବା ପରେ ହାଇୱା ଗାଡିଟିକୁ ଅଟକ ରଖି ପୁରୁଣା ବଜାର ଥାନାକୁ ଫୋନ୍ କରି ଜଣାଇଥିଲେ। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପୁରୁଣାବଜାର ଥାନା ଅଧିକାରୀ ଆଲୋକ ଜେନା ପହଞ୍ଚି ହାଇୱା ଗାଡିଟିକୁ ଜବତ କରିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଭଦ୍ରକ ଡାକ୍ତରଖାନାରେ ମୃତ ନରେନ୍ଦ୍ରର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/bhadrak.jpg)